Unknown

 

 

 

 

 

 

 

 

 

ବନଗହନର ତଳେ

ଶ୍ରୀ କାହ୍ନୁଚରଣ ମହାନ୍ତି

 

ପାହାଡ଼ ତଳ ଜଙ୍ଗଲ ଭିତରେ ଗୋଟିଏ ଖୋଲା ଜାଗା ।

ସଞ୍ଜ ଆଗରୁ । ଚଇତ ମାସ । କନ୍ଧ ରାଇଜର ଚଇତ ପର୍ବ ।

ଗୋଟିଏ ପାଖରୁ କେତେଗୁଡ଼ିଏ କନ୍ଧ ଝିଅ ଓ ଆରପାଖରୁ କେତେଗୁଡ଼ିଏ କନ୍ଧ ପୁଅ ଗୀତ ବୋଲି ବୋଲି ଆସିଲେ । ଚଇତ ପରବ ଗୀତ । ଝିଅଗୁଡ଼ାକ ବେକରେ କାଚମାଳି ପକାଇଛନ୍ତି । ମୁଣ୍ଡରେ ନାନାଜାତିଫୁଲ ଖୋସିଛନ୍ତି । ରଙ୍ଗିନ୍‌ ଦେଶୀ ଲୁଗା ପିନ୍ଧିଛନ୍ତି । ପୁଅମାନେ ଧରିଛନ୍ତି, ଚାଙ୍ଗୁ, ଡୁଙ୍ଗ୍‌ଡୁଙ୍ଗା, ବଂଶୀ । ମୁଣ୍ଡରେ ଓ ଦେହରେ ପତ୍ର । ନାନାରଙ୍ଗର ଲୁଗା । ଝିଅ ଓ ପୁଅ ସମସ୍ତେ ଗୋଡ଼ରେ ବାନ୍ଧିଛନ୍ତି ଘୁଙ୍ଗୁର ମାଳ । ନାଚିଲେ ।

ଝିଅମାନେ କେତେବେଳେ କାନ୍ଧ ଧରାଧରି ହୋଇ, କେତେବେଳେ ବା ହାତ ଧରାଧରି ହୋଇ ପୁଅମାନଙ୍କ ଆଗରେ, ଚାରିପାଖେ, ନଇଁ ନଇଁ ଗୀତ ବୋଲି ବୋଲି ନାଚିଲେ । ପୁଅମାନେ ଗୀତର ପାଳି ଧରି, ବାଜା ବଜାଇ ଅଙ୍ଗଭଙ୍ଗୀ କରି ନାଚିଲେ ।

ଗୀତ ନାଚ ସରିଲା । ଟିକିଏ ଦମ୍‌ ନେଲେ । ତା’ପରେ ଦୁଇ ଦୁଇ ଜଣ, ଜଣେ ପୁଅକୁ ଧରି ଆଉ ଜଣେ ଝିଅ ନାଚିବାକୁ, ଝିଅପୁଅ ସମସ୍ତେ ମିଶିଗଲେ । ସମସ୍ତେ ଦୁଇ ଦୁଇ ଜଣ ହୋଇଗଲେ, କିନ୍ତୁ, ପୁଗି ଗାଁର ଜାନି କାଡ୍ରାକା ଭେଡ଼ିକାର ଝିଅ ସୁନାର ଦୁଇ ହାତ ଦୁଇଆଡ଼ୁ ଧରି ଠିଆହୋଇ ରହିଲେ–କିନାମ ଗାଁର ନାଇକ ମିଲିକା ନୋକାର ପୁଅ ମାଗତା ଓ ସିପି ଗାଁର ମୃତ କନ୍ଧ ମୋସକା ହେଙ୍ଗୁର ପୁଅ ବାୟା । ମାଗତାର ଗୋଟିଏ ହାତ ଧରି ଠିଆ ହେଲା ପୁଗି ଗାଁର ମଲା କନ୍ଧ ଉର୍ଲ୍ଲକା ବାସୁର ଝିଅ ଲତା ।

ଯୁଗଳ ନାଚ ବନ୍ଦ ରହିଲା । ମସସ୍ତେ ସୁନା, ମାଗତା, ବାୟା ଓ ଲତାଙ୍କ ଆଡ଼କୁ ଚାହିଁଲେ । ହସିଲେ ।

ନାଇକ ପୁଅ ମାଗତା କହିଲା, ସୁନାର ହାତ ଛାଡ଼ିଦେରେ ବାୟା । ମୁଁ ତା’ରି ସାଥିରେ ନାଚିବି ।

ବାପଛେଉଣ୍ଡ ଲତା ମାଗତାର ହାତ କଟମଟ କରି ଧରି କହିଲା, ଆରେ ମାଗତା, ବାୟା ସୁନା ସାଥିରେ ନାଚୁ । ଆ, ତୋ’ର ମୋ’ର ନାଚିବା ।

ମାଗତା ରାଗରେ ଫଁ ଫଁ ହୋଇ, ଆଖି ରଙ୍ଗ କରି, ମୁହଁ ବୁଲାଇ ଲତାକୁ ଚାହିଁଲା । ତା’ ହାତରୁ ଜୋର୍‌ରେ ହାତ ଟାଣି ଆଣି କହିଲା, ତୁ ଯା’ଲୋ ବାୟା ସାଥିରେ ନାଚିବୁ । ଜାଣୁ ନାଇଁ କି, ସୁନା ଜାନିର ଝିଅ ଆଉ ମୁଁ ନାଇକର ପୁଅ । ବାୟାର ଯେମିତି ବାପ ନାହିଁ, ତୋ’ର ବି ସେମିତି ବାପା ନାହିଁ । ବାୟା କୁଲି ଭୁତି କରି ଖାଉଛି, ଆଉ, ତୁ ବି କୁଲି ଭୁତି କରୁଛୁ । ତା’ ହାତ ଧରି ତୁ ନାଚିଲେ ସିନା ସାଜିବ–

ଜାନିର ଝିଅ ମାଗତାର ହାତରୁ ହାତ ଖସାଇ ନେଇ, ବାୟାର ଗୋଟିଏ ହାତ ଧରି ହସି ହସିକା କହିଲା, କେମିତି ବେଢ଼ଙ୍ଗ କଥା କହୁଛୁ ତୁ ମାଗତା ! ଆମର ଚଇତ ପରବ ନାଚ । ଏଇ ଡୋଙ୍ଗର ତଳେ ଜଙ୍ଗଲ ଭିତରେ ସମସ୍ତେ ଆମେ ସମାନ । ଏଠି ଆଉ ନାଇକର ପୁଅ କି ଜାନିର ଝିଅ କହିଲେ ଚଳିବ ନାହିଁ । ଆମେ ସମସ୍ତେ ଏକା, ସମସ୍ତେ ଆମେ ଏଇ ବଣ, ଜଙ୍ଗଲ, ଲହଡ଼ିଆ ପାହାଡ଼ ମାଳର ପୁଅ ଝିଅ । ଦେଖ୍‍ ତ, କେଡ଼େ ଖୁସିରେ ଲତା ତୋ’ର ହାତ ଧରିଥିଲା, ତୁ ହାତ ଟାଣି ନେଲୁ । ଲତାର ମନରେ ଦୁଃଖ ଦେଲୁ ।

ମାଗତା କହିଲା, ମୁଁ କେଡ଼େ ଖୁସିରେ ଆଗ ତୋ’ର ହାତ ଧରିଲି ଯେ ? ଅନାଥ ପିଲା ବାୟା କହିଲା, ନାଇଁ ନାଇଁ ତୋ ଆଗରୁ ମୁଁ ସୁନାର ହାତ ଧରିଛି । ସୁନା ସାଥିରେ ମୁଁ ନାଚିବି । କିରେ ମାଗତା, ତୁ ନାଇକର ପୁଅ ହେଲୁ ତ କ’ଣ ହେଲା, ଆଇଲୁ ଦେଖି ଲଢ଼ିବା କାହା ଦେହରେ ବେଶୀ ତାକତ । ଆରେ ମାଗତା, ରାତି ଅଧରେ ସେଇ ଡୋଙ୍ଗର କଡ଼ରେ ଯେଉଁଠି ଗେଡ଼୍‌ଡାର ପାଣି ଦି ଲାଠି ଉପରୁ ପଥର ଚଟାଣ ଉପରେ ପଡ଼ୁଛି, ସେଇଠି ଘାସ ବଣ ଭିତରେ ଛପି ଛପି ମୁଁ ଏଇ ଟାଙ୍ଗିରେ ଜିଆଦ ପିଲା ମାଇଲି । ପାର୍‌ବୁ କି ତୁଇ ? ନାଇକର ପୁଅ ବୋଲି ଟାଣ କରୁଛୁ ଯେ-

ମାଗତା ରଗରଗ ହୋଇ କହିଲା, ଭାରି କଥାଟେ କହିଲୁରେ । ତୋ’ର ବାପ ମୋସକା ଡେଙ୍ଗୁକୁ ବାଘ ଖାଇଲା । ତୋ’ର ମାକୁ ସାପ ଚୋବେଇଲା । ତୋ ବାପ ଆଜି ବାଘ-ଡୁମା (ଭୂତ) ହେଇଚି, ମା ହେଇଚି ସାପ-ଡୁମା । ସେଥିଲାଗି ବାଘ କି ସାପକୁ ଡର ଭୟ ନାହିଁ । ଚଢ଼ିବୁ କି ସେଇ ମହୁଲ ଗଛର ଅଗ ଡାଳରେ ? ଭାଙ୍ଗି ପାରିବୁ କାଇ–ବସା ?

ପୁଙ୍ଗି ଗୋଟାଏ କନ୍ଧ ଟୋକା । ଭଲ ଧାଙ୍ଗଡ଼ା ବୋଲି ତା’ର ଖ୍ୟାତି ଅଛି । ସେ ହକିଲା, ହେ ମାଗତା, ଆରେ, କଜିଆ କାଇଁକି କରୁଛୁ ? ତୁଇ ଜନମ ହେଲାବେଳେ ଦିଶାରି କହିଲା ତୋ’ର ଡୁମା (ଆତ୍ମା) ମାଙ୍କଡ଼ ଡୁମା । ସେଥିଲାଗି ତୁ ଗଛର ସରୁ ଡାଳରେ ଚଢ଼ିବୁ ସିନା, ଆଉ କିଏ ଚଢ଼ିବ-? ନାଇଁ କି ପୁଲକି ?

ପୁଲକି କହିଲା, ପୁଙ୍ଗି ଯାହା କହିଲା ସତ । ମାଙ୍କଡ଼ ଡୁମା ବୋଲି ମାଗତା ମିଛଟାରେ କଜିଆ କରେ । ନାଚୁନୁ ଲତାକୁ ଧରି, ସୁନା ବାୟାକୁ ଧରି ନାଚୁ ।

ଲତା ପୁଣି ଧରିଲା ମାଗତାର ହାତ । ମାଗତା ହାତ ଟାଣିଆଣି ଲତାକୁ ଠେଲି ଦେଲା । ଲତା ପଡ଼ି ଯାଉଁ ଯାଉଁ ଅଟକି ଯାଇ କହିଲା, ମାଗତା, ସୁନା ସୁନା ହୋଇ ତୁ ପାଗଳ ହେଉଛୁ । ଜାଣୁ, ସୁନା ତତେ ଦେଖିପାରେ ନାହିଁ ? ସୁନା ବାୟାକୁ ଭଲପାଏ ।

ମାଗତା ପଚାରିଲା, ସତେ ସୁନା ?

ସୁନା ତମ୍‌ ତମ୍‌ ହୋଇ ଛଳେଇ କହିଲା, ତୁ ଯେମିତି ମିଛ କଥାରେ କଜିଆ କରୁ, ବାୟା କ’ଣ ସେମିତି କଜିଆ କରେ ? ସେ ଭଲ ଧାଙ୍ଗଡ଼ା, ଗରିବ ହେଲା ତ କି ହେଲା ? ତତେ ଭଲ ପାଇବେ ନାହିଁ । ତୁ ଲତା ସାଥିରେ ଆଜି ନାଚ । ବଜାଅରେ ବାଜା–

ଡମ୍ବପିଲାମାନେ ବାଜା ବଜାଇଲେ । ହଳ ହଳ ହୋଇ ଟୋକା ଟୋକୀ ପୁଣି ନାଚିଲେ, ଗୀତ ବୋଲିଲେ । ଗୋଟିଏ କଡ଼ରେ ଠିଆ ହୋଇ ମାଗତା ସୁନା ଆଡ଼କୁ ଅନାଇଁ ରହିଲା । ଆର କଡ଼ରେ ଠିଆ ହୋଇ ଲତା ଆକୁଳ ଆଖିରେ ଚାହିଁ ରହିଲା ମାଗତାକୁ । ନାଚ ଘନେଇ ଆସିଲା । ଲତା ଛିଡ଼ା ହୋଇଥିବା ପାଖରୁ ହିଆଲୋ ବୁଦ୍ଧି ଡମ୍ବ, କିନାମ ଗାଁ ବାରିକ ଟୋକା, ଧଇଁସଇଁ ନାଟ ଜାଗାରେ ପହଞ୍ଚିଲା । ତା ସଙ୍ଗରେ ଆଉ ଦୁଇଜଣ ଡମ୍ବ ପିଲା ଅଛନ୍ତି ।

ବୁଦ୍ଧି ଡମ୍ବ ହାତଟେକି କହିଲା, ନାଚ ବନ୍ଦ କର । ବାଜା ଗୀତ ବନ୍ଦ କର । ଶୁଣ, ଭାରିମଜା । ବଡ଼ ଶିକାର–

ନାଚ ବନ୍ଦ ହେଲା । ଝିଅ ପୁଅ ହାତ ଛଡ଼ାଛଡ଼ି ହୋଇ ଡମ୍ବ ଟୋକାକୁ ଘେରିଗଲେ ।

ସୁନା ଧରିଲା ଲତାର ହାତ ।

ବୁଦ୍ଧି ଧଇଁସଇଁ ହୋଇ କହିବାକୁ ଲାଗିଲା, ଆରେ ବାୟା, ହେ ମାଗତା, ଡୁଡୁମା (ଜଳପ୍ରପାତ) ପାଖରେ, ସେ ତିନିଟିକିଆ ମହୁଲ ଗଛ ତଳେ ପଳେ ଜିଆଦ ପାଣି ପିଇବାକୁ ଗଡ଼ିଲେ ।

ବାୟା ଖୁସି ହୋଇ ପଚାରିଲା–ଏଁ, ସତେ ?

ହ, ରେ ହଁ । ନାଚ ବନ୍ଦ କର । ଆସ ସମସ୍ତେ ଧନୁଶର ଧରି ଯିବା ।

ହଁ, ଝୋଲା ଭିତରେ ଲୁଚି ଲୁଚି ଯିବା–

କନ୍ଧ ପିଲାମାନେ ଖୁସି ହୋଇ ଡମ୍ବ ପିଲାଙ୍କ ପଛେ ପଛେ ପାଖରେ ଚାଲିଗଲେ । ସବା ପଛରେ ମାଗତା । ପଛକୁ ସୁନା ଆଡ଼କୁ ଚାହିଁ ଚାହିଁ ଗଲା । ଝିଅମାନେ ଆଉ ଗୋଟିଏ ବାଟରେ ଗଲେ । ଲତା ସଭିଙ୍କ ପଛରେ ମାଗତା ଆଡ଼କୁ ଚାହିଁ, ହସିଲା ମୁହଁରେ ସୁନାର ହାତ ଧରି ଚାଲିଗଲା ।

ପୁଗି ଗାଁ କନ୍ଧ ପଲ୍ଲି ।

ଛୋଟ ଛୋଟ ନୁଆଁଣିଆ ଚାଳଘର । ଘରଗୁଡ଼ିକର ଆଗପିଣ୍ଡା ରଙ୍ଗ ମାଟିରେ ଲିପା । ଗାଁ ମଝିରେ ଜାନି କାଡ୍ରାକା ଭେଡ଼ିକାର ଘର ଟିକିଏ ବଡ଼ । ଘର ଆଗରେ ଗାଁ ଦାଣ୍ଡର ପଥୁରିଆ ରାସ୍ତା ଉପରେ ବାଉଁଶ ତଲେଇ ପରା ହୋଇଛି । ଦିନ ଦଶଟା ହେବ । ତଲେଇ ଉପରେ କେତେଜଣ କନ୍ଧ ନାଉତୁମ୍ବା ଧରି ବସିଛନ୍ତି । ମଦହାଣ୍ଡି ପାଖରେ ଧାଙ୍ଗଡ଼ା ମାଝି ତୁମ୍ବା ଧରି ଠିଆ ହୋଇଛି । ପାଖରେ ଅଛି ତିନିଟି ଗାଁର ବାରିକ ହିଆଲୋ ବୁଦ୍ଧି ଡମ୍ବ ।

ବୁଦ୍ଧି ଡମ୍ବ ନାଇକ ପାଖକୁ ଗଲା । ସେ ବାରିକ, କନ୍ଧଲୋକଙ୍କ ବିବେକ । ସେ କହିଲା, କେମିତି କଥା କହୁଛୁ ନୋକା, କିନାମ ଗାଁର ନାଇକ ହେଲୁ ତ କ’ଣ ହେଲା । ଚାରିହଳ ପୁଢ଼, ପାଞ୍ଚହଳ ଗାଈ ବାନ୍ଧିଛୁ, ତିନି ଗଡ଼ିଶା ଭୂମି ଚାଷ କରିଛୁ ସତ, ତୋ ପୁଅ ମାଗତାଟା କ’ଣ ମଣିଷ କିରେ ? ପୁଙ୍କି ଦେଲେ ଟଳିପଡ଼ିବ । ଡୋଙ୍ଗର ଉପରକୁ ଥରେ ଚଢ଼ି ଓହ୍ଲାଇ ଆସିଲେ ଦରମରା ହେବ । ସେ କ’ଣ ଭେଡ଼ିକା ଜାନିର ଝିଅ ସୁନାର ନାଖି ହେବ ?

ପାଖରେ କନ୍ଧଟୋକା ପୁଙ୍ଗି ଠିଆ ହୋଇଥିଲା । ସେ ବୁଦ୍ଧି ଡମ୍ବର କଥାକୁ ସମର୍ଥନ କରି କହିଲା, ବାରିକ ପିଲା ଠିକ୍‌ କଥା କହିଲା । ସେଦିନ ଜିଆଦ୍‌ ଶିକାର କରିବାକୁ ଲୁକି ଲୁକି ଗଲୁଁ । ବାୟା ଟାଙ୍ଗିରେ ମାରିଲା ଜିଆଦ । ମୁଁ ମାଇଲି କାଣ୍ଡରେ, ନାଇଁକି ବାରିକ ? ସଞ୍ଜ ହୋଇ ଆସୁଥିଲା-। ଗୋଟାଏ କାଣ୍ଡରୁ ଦୁଇଟା ମାରି ନାଇଁତ । ଆଉ ମାଗତା, ଧାଇଁ ଧାଇଁ ଗଲା, ଝୋଲା (ନାଳ)ରେ ପଡ଼ିଲା । ଆଣ୍ଠୁ ଗଣ୍ଠି ଛିଣ୍ଡିଲା । କାନ୍ଦିଲା ବୋଲି ବଞ୍ଚି ଗଲା । ପିର୍‌କି ଘାସ ଭିତରେ ଯେମିତି ଖସ୍‌ ଖସ୍‌ ହେଉଥିଲା, ଧନୁରେ କାଣ୍ଡ ଚଢ଼େଇ ଥିଲି ତ । ମୁଁ ସିନା ଭାବିଲି ଜିଆଦ ପିଲା, ଭାଗ୍ୟକୁ ବାରିକ ପିଲା ମୋ’ର ହାତ ଧରି ଟାଣି ଆଣିଲା । ନୋହିଲେ–

ବୁଦ୍ଧି ସମର୍ଥନ କରି କହିଲା, ସତ କଥା । ହେ ନୋକା ନାଇକ, ମୋ’ର କଥାଟି କର । ଉର୍ଲ୍ଲାକା ବାସୁର ଝିଅ ଲତା । ଭଲ ପିଲାଟେରେ ! ତୋ ପୁଅ ମାଗତା ପରି ସରୁ । ମାଗତାକୁ ସେ ଚାହେଁ । ତାକୁ ତୁ ବୋହୂ କରି ନେ । ଆଚ୍ଛା ଦିଶାରି, ଲତା କାହାର ଡୁମାରେ ? ମାଗତାର ସିନା ମାଙ୍କଡ଼ ଡୁମା ।

ମଦ ନିଶାରେ ଆଖି ରଙ୍ଗ ଦିଶୁଚି ଦିଶାରିର । ବୁଢ଼ାଲୋକ, ମୁଣ୍ଡ ଚନ୍ଦା । ତଳକୁ ଚାହିଁ, ତଳେ ଗାର ପକାଇ ଭୁଟ୍‌ ଭୁଟ୍‌ ହେଲା । ପୁଣି ଉପରକୁ ଚାହିଁଲା, ତଳକୁ ଚାହିଁଲା । ଆଖି ମିଞ୍ଜି ମିଞ୍ଜି କରି କହିଲା, କାଲି ପରି ଲାଗୁଛିରେ, ଲତାର ବାପ ଯେତେବେଳେ ମତେ ଡାକି କହିଲା, ହେ ଦିଶାରି, ଝିଅଟେ ଜନମ ହେଇଚି, କାହାର ଡୁମାରେ, କହିଥିଲି ବିଲେଇ ଡୁମା । ଉର୍ଲ୍ଲାକା ବାସୁର ଥିଲା ମୂଷା ଡୁମା । ବାସୁ ଚମକି ପଡ଼ିଲା । ମୁଁ ତାକୁ ଭୁଲେଇ କହିଲି. ଆରେ, ତୋ’ର ଡୁମା ପାହାଡ଼ୀ ମୂଷା, ବଡ଼ ମୂଷା । ତୋ’ର ଝିଅଟା ବିଲେଇ ଡୁମା ହେଲା ତ କ’ଣ ହେଲା । ଖାଇ ପାରିବ ନାହିଁ । କହିଥିଲି ସିନା କଥାଟେ, ବାସୁ ରହିଲା କି ? ବାର ବରଷ ପୁରିଲା ନାହିଁ । ଲତା ତାକୁ ଖାଇଦେଲା ।

ମିଲିକା ନୋକା ଆଶ୍ଚର୍ଯ୍ୟ ହୋଇ ଦିଶାରିକୁ ଚାହିଁଲା । ବୁଦ୍ଧି ଡମ୍ବ ଆଡ଼କୁ ମୁହଁ ଫେରାଇ କହିଲା, ଶୁଣିଲୁତ ବାରିକ ପୁଅ ! ତୁ କେମିତି କହୁଛୁ ଲତାକୁ ବୋହୂ କରିବାକୁ ? ସୁନାର ଡୁମା କିସରେ ଦିଶାରି ?

ଦିଶାରି ପୂର୍ବପରି ଗଣନା କରି କହିଲା, ଖୁଟୁର ଡୁମା ।

କାଡ୍ରାକା ଭେଡ଼ିକା ଜାନି କହିଲା, ହ, ହ, ଖୁଟୁରା । ଜନମ ହେଲାବେଳେ ତୁ ସେଇଆ କହିଥିଲୁ ।

ଧାଙ୍ଗଡ଼ା ମାଝି କହିଲା, ତେବେ ତ– । କଥା ଶେଷ କରିପାରିଲା ନାହିଁ । ମଦ ନିଶାରେ ମୁଣ୍ଡ ଝାଙ୍କି ହେଉଛି । ସେ ଆଖି ବୁଜି ପାଟି ପାକୁ ପାକୁ କଲା ।

ନୋକା ତା’ର ମନର କଥା ବୁଝିଲା । କହିଲା, ଲତା ଆଉ ମାଗତା ବାହା ହେଲେ କଜିଆ କରି ତାଙ୍କର ବେଳ କଟିବ । ଜଣେ ବିଲେଇ, ଆଉ ଜଣେ ମାଙ୍କଡ଼, କି ଘର କରିବେ ସେମାନେ ? ନା, ନା, ଏହା ହେବ ନାହିଁ ।

ବୁଦ୍ଧି ପଚାରିଲା, ସୁନା ଆଉ ମାଗତା ବାହା ହେଲେ କେହି ଭଲରେ ରହିବେ କି, କହୁନୁ କାହିଁକି ଦିଶାରି? ଜଣେ ଗଛରେ ଚଢ଼ିଲେ ଆଉ ଜଣେ ବଣରେ ପଶିବ ନାଇଁକି ?

ଦିଶାରି ଉତ୍ତର ଦେଲା–କଜିଆ ତ ହେବ ନାହିଁ, ଭଲରେ ଘର ନ କରିବେ କାହିଁକି ?

ନୋକା ଖୁସି ହୋଇ କହିଲା, ଶୁଣିଲୁ ତ ବାରିକ ? ଶୁଣିଲୁ ତ ଜାନି ? ମାଗତା ସୁନା ସୁନା ହେଇ ପାଗଳ ହୋଇଛି । ସେଇ ଏକା ମତେ ତୋ ପାଖକୁ ଜିଗର କରି ପଠେଇଛିରେ ଭେଡ଼ିକା ଜାନି । କହିଲା, ଯା ବାପା, ଦି ହାଣ୍ଡି ରନ୍ଧାମଦ ନେଇ ଯା । କଥା ଠିକ୍‌ କରି ଆ ।

ଭେଡ଼ିକା କହିଲା–ତେବେରେ ନୋକା, ମଦହାଣ୍ଡି ରଖିଦେଇ ଯା । ସୁନା କନ୍ଦା ଖୋଳିବାକୁ ଯାଇଛି । ସେ ଆସୁ । ଧାଙ୍ଗଡ଼ୀ ହେଲାଣି ସେ । ତା’ର ଯେମିତି ମନ । ତାକୁ ପଚାରି ତୋ ହାଣ୍ଡିରୁ ଯଦି ମଦ ଖାଇବି ଜାଣିବୁ ତା’ର ମନ ଅଛି, ମାଗତାକୁ ବାହା ହେବ । ମଦ ନ ଖାଇଲେ, ତୋ’ର ତୁଇ ଫେରେଇ ନେବୁ ।

ଜଣେ ବୁଢ଼ାକନ୍ଧ ମୁଣ୍ଡ ହଲାଇ କହିଲା, ଭେଡ଼ିକା ଭଲ କଥା କହିଲାରେ ନୋକା ।

ସତେ ସେଇଆ କର ତୁ ନୋକା-ବୁଦ୍ଧି ପରାମର୍ଶ ଦେଲା ।

ନୋକା ଟିକିଏ ଭାବି କହିଲା, ଆରେ ଭେଡ଼ିକା, ଝିଅ ଧାଡ଼ଙ୍ଗୀ ହେଲା ବୋଲି ତା’ର ବୁଦ୍ଧି ହେଲା କି ? ସେ କି ଭଲ ମନ୍ଦ ଜାଣିବରେ ? ତୁ ଜାନି, ମୁଁ ନାଇକ । ତୋ ଝିଅ ବୋହୂ ହେଲେ, ଲୋକେ ଭଲ କହିବେ । ଦିହିଁଙ୍କର ମାନ ବଢ଼ିବ ।

ଦିଶାରି କହିଲା, ସତ କଥା । ତୁଇ ଯାହା ଠିକ୍‌ କରିବୁ ସେଇଆ ହବ । ସୁନା କ’ଣ ତୋ’ କଥାରୁ ବାହାର ହେବ କି ନୋକା ନାଇକ ? ସୁନା ଅତି ଭଲ ପିଲା । ଗାଁଟାରେ ଝିଅ ଖଣ୍ଡେତ ।

ଆଉ ଜଣେ କନ୍ଧ ସ୍ୱୀକୃତି ଜଣାଇଁ କହିଲା, ସୁନା ଭଲ ପିଲା । ଏ ଗାଁରେ ତା’ପରି କୁହାର ବୋଲର ଝିଅ ନାହିଁ । କେଡ଼େ ବୁଦ୍ଧି ତା’ର । ହେ ଜାନି, ତୁ ଯାହା କହିବୁ ସେ ମାନିବ । ଧାଙ୍ଗଡ଼ା ମାଝି, ଦେରେ ମଦ ।

ମଦ ଦେବାକୁ ଧାଙ୍ଗଡ଼ା ମାଝି ଆଗେଇ ଆସିଲା । ହାତ ଟେକି ଭେଡ଼ିକା ବନ୍ଦ କଲା । ଏଣିକି ତେଣିକି ଚାହିଁ କାହାକୁ ଖୋଜିଲା ପରି ହୋଇ କହିଲା, ସୁନା ନାହିଁ କି ତା ମା ନାହିଁ । ତୋ’ର ମଦ ଖାଇ ମୁଁ କେମିତି ପକ୍‌କା ଜବାବ ଦେବି ନୋକା ? ତୋ ମଦ ମୁଁ ଖାଇଲେ ଜବାବ ଦେଲା ପରି ହେବ ନାହିଁକି ? ମୋ ମଦ ମୁଁ ଖାଇଛି ସିନା ।

ବୁଦ୍ଧି ଡମ୍ବ କହିଲା, ହେବ ଏକା । ତା’ପର, କଥା ଛିଡ଼ିବା ଆଗରୁ ଗାଁ ଲୋକେ ପୁଣି ଜାଣିବେ–ଖାଇବାକୁ ତୁ କ’ଣ ଦେବୁ । ତମ କୁଳର ପ୍ରଥା ଯେମିତି, ସୁନାର ବାପକୁ ସିନା ଝୋଲା ଟଙ୍କା କୋଡ଼ିଏ ଏକ ଦେବୁ । ଆଗ କହ, ଗାଁ ଲୋକଙ୍କୁ ଖାଇବାକୁ କେଇ ମୁଣ୍ଡ ଗାଈ ଦେବୁ, କେତେ ହାଣ୍ଡି ମଦ ଦେବୁ, କେତେ ଟଙ୍କା ଦେବୁ ।

ବାରିକ ସତ କଥା କହୁଛି, ଦିଶାରି କହିଲା ।

ନୋକା ଚିନ୍ତାକରି, ହସି ହସି କହିଲା, ଏଇ କଥା ବାକି ରହିବ କି ? ଆରେ ମାଝି, ଦେରେ ମଦ ତଣ୍ଟି ଶୁଖି ଯାଉଛି । ପିଅରେ, ଏମଦଟା ବାହାଘର ମଦ ନୁହେଁ । ସେଇ ଡୋଙ୍ଗର ଉପରେ ମାଗତା ରନ୍ଧେଇ ଥିଲା । ଗାଁ ଲୋକ ଆମେ ବସି କରି ଏକାଠି ଖାଇବା ନାହିଁକି ? ଚଇତ ପରବ ସରିଆସୁଛି । ଦେଏରେ ଧାଙ୍ଗଡ଼ା ମାଝି !

ଧାଙ୍ଗଡ଼ା ମାଝି ମଦ ଢାଳିଲା । ସମସ୍ତେ ନିଜ ନିଜର ନାଉ ତୁମ୍ବାରେ ପିଇଲେ ।

ବୁଦ୍ଧି କହିଲା, ସମସ୍ତେ ତ ତୋ’ର ମଦ ଖାଇଲେ ନାଇକ, ତୁଇ ଏବେ କହ, ଗାଁ ଲୋକଙ୍କ ଖାଇବାକୁ ଦି ମୁଣ୍ଡ ଗାଈ ଦେବୁ, ତିନିହାଣ୍ଡି ମଦ ଦେବୁ, ଦି କୋଡ଼ି ଟଙ୍କା ଦେବୁ–

ନୋକା ସମ୍ମତି ଜଣାଇ କହିଲା, ଦେବିରେ, ନିଶ୍ଚେ । ଗୋଟେତ ପୁଅ ମୋ’ର ମାଗତା । ସୁନାକୁ ବୋହୂକରି ଘରକୁ ନେବି, ଏତିକି କ’ଣ ଦେବି ନାହିଁକି ? ଭେଡ଼ିକା, ତୁ ମତେ ଦେ; ଜବାବ୍‌ ପକ୍‌କା ହେଉ । ମାଗତାକୁ ମୁଁ କହିବି ।

ଦିଶାରି ପ୍ରବର୍ତ୍ତାଇଲା ଦୃଷ୍ଟିରେ ଭେଡ଼ିକାକୁ ଚାହିଁ କହିଲା, ସବୁ କଥାତ ଛଣ୍ଡିଲା, ଜବାବ୍‌ ଦେ ଜାନି ।

ସୁନା ବୋଉକୁ ପଚାରି ମୁଁ କହିବି, ସୁନାକୁ ପଚାରିବି ନାହିଁ । ତା’ ବୋଉ ଯଦି ରାଜିହୁଏ, ମୋ’ର ରାଜି । ଆମ କଥାରୁ ସୁନା ବାହାର ହେବନାହିଁ ।

ଲତା ପାଣିମାଠିଆ ଧରି ଗୋଟିଏ ପାଖରୁ ଆସୁ ଆସୁ ସମସ୍ତଙ୍କୁ ଥରେ ଚାହିଁଲା । ସେମାନଙ୍କୁ ମଦ ଖାଉଥିବାର ଦେଖି ସେ ସାବଧାନ କରିବାକୁ କହିଲା, ରନ୍ଧା ମଦ କିରେ ଧାଙ୍ଗଡ଼ା ମାଝି ? ଗେଡ଼ା (ନାଳ) ଆଡ଼ୁ ସଲ୍‌ଟୁଜମାନ (ଏକ୍‌ସାଇଜ ପିଅନ୍‌) ଆସୁଛି । ତା’ ସଙ୍ଗେ ଆଉ କେତେ ଲୋକ ଅଛନ୍ତି । ଦୂରରୁ ଦେଖି ମୁଁ ଧାଇଁ ଆଇଲି ।

ସଲ୍‌ଟୁଜମାନ ନାମ ଶୁଣି ସମସ୍ତେ ଭୟଭୀତ ହେଲେ । ଅସ୍ତବ୍ୟସ୍ତ ହୋଇ ଠିଆହେଲେ-। ଆକୁଳ ବିକଳ ଆଖିରେ ଚାରିଆଡ଼କୁ ଚାହିଁଲେ ।

ବୁଦ୍ଧି ବାରିକ ପଚାରିଲା, ହେ ଲତା, ସଲ୍‌ଟୁଜମାନ ବୋଲି କିପରି ଜାଣିଲୁ ? ଆଉ କିଏ ହୋଇଥିବ ।

ତାକୁ ମୁଁ ଭଲ କରି ଚିହ୍ନେରେ । କେତେଦିନ ହେଲାଣି, ଆଉଥରେ ସେ ଆସି ନ ଥିଲା କି ? ଯେଉଁଥର ଆସି ଉର୍ଲ୍ଲକା ବେରା ଓ ସାରାକା ଧାନକୁ ଧରି ନେଇ ଶିକ୍ଷା କରେଇଲା (ଜେଲ ଭୋଗେଇଲା) । ଜାଣେରେ ତାକୁ ମୁଁ, ମତେ ବି ସେ ଚିହ୍ନିଛି ।

ତତେ କେମିତି ଚିହ୍ନିଲାରେ ଟୋକି ? ଜାନି ପଚାରିଲା ।

ଡୋଙ୍ଗର ତଳେ ମୁଁ ବସି କନ୍ଦା ଖୋଳୁଥିଲି, ସେ ତେଣୁ ଆଇଲା ତ । ମତେ କେତେ କଥା ପଚାରିଲା । କହିଲା, ମାଳି ଦେବ, ପାନିଆଁ ଦର୍ପଣ ଦେବ, ଖଦି ଦେବ । ମୁଁ ଭାବିଲି ସିନା ସତରେ । ମୋ’ର ହାତଧରି କେତେ ବାଟ ଚାଲିଲା । ସେଇ ଯୋଉ ବଣ ଭିତରେ ମୋ ହାତକୁ ଟାଣିନେଇ ମୋ କାନ୍ଧରେ ହାତ ପକାଇଲା–

ଏଁ, ସତରେ ?

ହଁରେ । ଦି ଗାଲରେ ତା’ର ଦି ଚାପୁଡ଼ା ଥୋଇଲି । ଖଣତି ଉଠେଇ କହିଲି, ଧଇଲୁ ଜମାନ୍‌ ମୋ ହାତ, ତୋ କାନ୍ଧରୁ ମୁଣ୍ଡଟା ଛିଡ଼େଇ ଦେବି । ମତେ ଚଦି ଥିଲା । ମୁଁ କହିଲି, ମଦ କ’ଣ ମୁଁ ରାନ୍ଧେ କି ତତେ ଡରିବି ? ସେଇ ଜମାନ୍‌ ଆଉଚିରେ ବୁଦ୍ଧିଆ । ତମକୁ ସବୁ ଧରି ଶିକ୍ଷାଦେବ ।

ସମସ୍ତେ ଭୟରେ ବୁଦ୍ଧି ବାରକିକୁ ଚାହିଁଲେ । ବୁଦ୍ଧି କ୍ଷଣକାଳ ଚିନ୍ତା କରି କହିଲା, ହେ ନୋକା, ଭିଡ଼ିକା, ତେମେ ସୁବୁ ମଦ ହାଣ୍ଡି ନେଇ ଚାଲି ଯା । ଯା, ଯା– । ଭିଡ଼ିକା, ଦିଟା କୁକୁଡ଼ା ତୋ ଘରୁ ଧରି ଆଣ ତ ।

ମଦ ହାଣ୍ଡି ନେଇ ସମସ୍ତେ ପ୍ରସ୍ଥାନ କଲେ । କେବଳ, ଲତା ଓ ଭିଡ଼ିକା ବୁଦ୍ଧି ଡମ୍ବ ପାଖରେ ରହିଲେ । ଭିଡ଼ିକା ପଚାରିଲା, ଦିଟା କୁକୁଡ଼ା ନା ବାରିକ ପୁଅ ?

ହଁରେ ହଁ ।

ଭିଡ଼ିକା ଚାଲିଗଲା । ଲତା ପଚାରିଲା, କୁକୁଡ଼ା କ’ଣ ହେବ ବାରିକ ?

ଜମାନ୍‌ ମତେ ମାଗିଥିଲା । ପୁଣି କହିଥିଲା, ତତେ ବି ନେବାକୁ ସାଙ୍ଗରେ ।

ମତେ ? ତାଆର ଏଡ଼େ ସାହସ ? ତୋ’ର ଏଡ଼େ ବହପ ?

ଲତାର କାଖରୁ ପାଣିମାଠିଆ ଖସି ପଡ଼ିଲା । ରାଗରେ କଟମଟ କରି ଚାହିଁଲା ଡମ୍ବକୁ । ବୁଦ୍ଧିଆ କେବଳ ହସିବାକୁ ଲାଗିଲା ।

ସିପିଗାଁର କନ୍ଧ ପଲ୍ଲୀ ବାହାରେ ଛୋଟ ଡୋଙ୍ଗର, ଲଣ୍ଡାମୁଣ୍ଡିଆ, ତାହାରି ତଳେ ଜଙ୍ଗଲ ଭିତରେ ଖଣ୍ଡେ ପଥର ଚଟାଣ । ସାମ୍ନାରେ ଗେଡ଼୍‌ଡ଼ା, ତିରିଶି ହାତ ଚୌଡ଼ା । ସରୁ ଝରଣାଟିଏ ପଥର ଗଦା ଉପରେ ଝିପିଝିପି ହୋଇ ବହିଯାଉଛି । ଗେଡ଼୍‌ଡ଼ା ଆରପାଖେ ସମତଳ ଭୂଇଁ । ସେପାଖକୁ ଘଞ୍ଚ ଅରଣ୍ୟ ବେଢ଼ା ପାହାଡ଼ ମାଳ, ବିମାନ ପରି ଖଞ୍ଜା ହୋଇଛି ।

ପଥର ଚଟାଣ ଉପରେ ପାଖାପାଖି ହୋଇ କପୋତ କପୋତୀ ପରି ବସିଛନ୍ତି ସୁନା ଓ ବାୟା । ବାୟା ଗମ୍ଭୀର ଦେଖାଯାଉଛି । ସୁନା ଗେଡ଼୍‍ଡ଼ାର କଳକଳ ଝରଣା ପରି ମୁଖର, ହାସ୍ୟମୟୀ । ଗୁନ୍ଥୁଛି ଫୁଳର ମାଳ ।

ଅପରାହ୍ନ । ଆକାଶର ମଥାଉପରୁ ସୂର୍ଯ୍ୟ ପଶ୍ଚିମ ପାହାଡ଼ ମାଳ ଉପରକୁ ଓହ୍ଲାଇ ଆସୁଛନ୍ତି ।

ବାୟାର ବଳିଷ୍ଠ ବାହୁ ହଲାଇ ମୁହଁ ପାଖକୁ ମୁହଁ ନେଇ ସୁନା କହିଲା, ମୁହଁ ଶୁଖାଇ ବସିଲେ କଅଣ ହେବରେ ବାୟା ? ମୋ ମାଆ ସିନା ମଙ୍ଗିଲା, ମୋ ବାପ ନୋକା ନାୟକକୁ କଥା ଦେଲା, ମତେ ତ କେହି ପଚାରିଲେ ନାହିଁ ? ବାପ, ମା, ଭାଇ ସମସ୍ତେ ମତେ ଭଲ ପାଆନ୍ତି । ମୁଁ କେବେ ସେମାନଙ୍କ କଥାରୁ ବାହାର ହୁଏ ନାହିଁ । ତା’ ବୋଲି କ’ଣ ତାଙ୍କ କଥାରେ ପଡ଼ି ମାଗତାର ହାତ ଧରି ଯିବିକି ?

ସୁନା ଡବ ଡବ କରି ଦୂରର ପାହାଡ଼ମାଳ ଆଡ଼କୁ ଚାହିଁଲା । ଦୁଇପାଖର ସବୁଜ ବଣ ମଝିରେ କଳା ମିଚି ମିଚି ଗଡ଼ାଣିଆ ପଥର ଚଟାଣ । ସେଇ ଚଟାଣ ମଝିରେ ସିଧାସଳଖ ପାଣି ଧାରଟିଏ ଗଡ଼ି ଆସୁଛି, ସୂର୍ଯ୍ୟକିରଣରେ ରୂପାପରି ଝଟକି ଉଠୁଛି । ସୁନାର ଆଖି ସେଇଠି ଲାଖିଲା-। ବାୟା ସେଇ ରୂପେଲୀ ଚଟାଣକୁ ଚାହିଁ ଦୁଃଖ ମିଶା ସ୍ୱରରେ କହିଲା, ଆମ କୁଳରେ ବାପ ମା କଥାରୁ କେହି କେବେ ବାହାର ହୋଇନାହିଁ । ସମସ୍ତେ ଯେତେବେଳେ କଥା ଠିକ୍‌ କଲେ, ତୋ’ର ଆଉ ଅନ୍ୟଗତି ନାହିଁ । କିନାମ ଗାଁର ନୋକା ନାଇକ ପୁଅ ମାଗତା ଘରକୁ ତୁ ଯିବୁ । ସେ ହେବ ତୋ’ର ଧାଙ୍ଗଡ଼ା । ତୁଇ ଜାନିର ଝିଅ, ଆର ଗାଁର ନାଇକର ବୋହୁ ହେବୁ । ଭଲ ହେବ ସୁନା ।

ସୁନା ପର୍ବତ ମାଳରୁ ଦୃଷ୍ଟି ଫେରାଇଲା ପାଦତଳେ ଗଡ଼ି ଯାଉଥିବା ଝରଣାର ପାଣିକୁ । ପଛଆଡ଼େ ଜଙ୍ଗଲ ଭିତରୁ ଝିଙ୍କାରୀ ପଲର ଝିଁ ଝିଁ ଶବ୍‍ଦ କାନରେ ବାଜୁଛି । ଛୋଟ ପାହାଡ଼ ଗଡ଼ାଣିରେ ଅସୁମାର ବଣମଲ୍ଲୀ ବୁଦାରେ ନକ୍ଷତ୍ରମାନଙ୍କର ମହୋତ୍ସବ ପରି ଅସୁମାର ଫୁଲ । ଧୀର ପବନରେ ବାସ ଚହଟି ନାକରେ ବାଜୁଛି । ମନ ଆଜି ଉଲସି ଉଠୁ ନାହିଁ । ବାୟାର କଠୋର କଥାରେ ତା’ର ଟିକି ମନରେ ଦୁଃଖ ବଉଦ ଭାସୁଛି । ସେ ଆଖି ଛଳଛଳ ମୁହଁ ଫଣଫର କରି କହିଲା, ମାଗତା ଘରକୁ ମୁଁ ଯିବି ? ମାଗତା, ମାଙ୍କଡ଼ ପରି ସେ ଡରୁଆ, ଫୁଙ୍କିଦେଲେ ଟଳି ପଡ଼ିବ-। ବେଶି ମଦ ଖାଏ । ପାଗଳା ହୋଇ ଜଙ୍ଗଲ ମଝିରେ ବୁଲେ । ଅଚେତ୍‍ ହୋଇ ପଡ଼େ । ଡୋଙ୍ଗର ଉପରେ ଲୁଚି କରି ମଦ ରାନ୍ଧୁଛି । ସାଲ୍‌ଟୁଜମାନ୍‌ ତାକୁ ତିନିଥର ଛାଡ଼ିଲାଣି । ଏଥର ଧରିଲେ ଶିକ୍ଷା କରେଇବ । ସେଇ ମାଗତାକୁ ମୁଁ ଭଲ ପାଏନା ।

ମାଗତା ତତେ ଭଲପାଏ । ତତେ ସେ ଚାହେଁ–

ସତେ ? ହସିହସିକା ସୁନା କହିଲା, ମାଗତା କାହାକୁ ଭଲପାଏ ନାହିଁ । ଆର ବରଷ ଏଇଦିନେ ସେ ତାଡ଼କା ଭାନୁମତିକୁ ସେମିତି କହିଥିଲା । ତା’ ସାଥିରେ ଡୋଙ୍ଗର ଉପରକୁ ଯାଇ ତିନିଦିନ ରହିଲା । ଝୋଲା ଟଙ୍କା ଦେଲା ନାହିଁ । ବାହା ହେଲା ନାହିଁ । ଭାନୁମତି କାନ୍ଦି କାନ୍ଦି ଗୋଟାଏ ଖିରିସ୍ତାନ ଡମ୍ବ ପିଲାକୁ ଧରି ଆସାମ ଗଲା ଚା ତୋଳିବାକୁ, ଜାଣୁ ନାଇଁକି ?

ଜାଣେ । ଭାନୁମତି ମୋ’ର ପରି ବାପ ମା ନ ଥିଲା ପିଲା । କୁଲି ଭୁତି କରୁଥିଲା । ତା’ର କେହି ନ ଥିଲେ ବୋଲି ନାଇକ ପୁଅ ମାଗତା ସିନା ଏପରି କାମ କଲା । ଜାନିର ଝିଅ ସୁନାକୁ ସେପରି ଦଗା ଦେବାକୁ ତା’ର ସାହସ ହେବ କି ? ତା’ର ମୁଣ୍ଡଟାକୁ ଜାନି କାଟି ଦେବ ନାହିଁକି ?

ହେଲା, ତେବେ ଲତା ସାଙ୍ଗରେ ଏମିତି ଖେଲିଲା କାହିଁକି ମାଗତା ? ଲତା ଯେବେ ପିଲାଟେ ହେଇଥିଲା, ମାଗତାର ବାପ ତାକୁ ବୋହୂ କରିବ ବୋଲି ମଦ ପାଣି ଦେଇ କହିଥିଲାତ । ଲତା ଧାଡ଼ଙ୍ଗୀ ହେଲା ଯାଏ ଆଶା କରିଥିଲା ମାଗତା ଦିନେ ଆସିବ, ତା’ର ହାତ ଧରି ଘିଚିନେବ । ମାଗତାକୁ ଆମେ ଲତାର ଅଣ୍ଡରା ବୋଲି ଚଳାଉ ନାହିଁକି ? ଲତାତ ଧାଙ୍ଗଡ଼ୀ ହେଲା । ସେ ଜାଣେ ମାଗତା ତା’ର ଅଣ୍ଡରା । ସେଥିଲାଗି ସେ ସବୁବେଳେ ମାଗତା ମାଗତା ହେଉଛି । ଲୁକି ଲୁକି ମାଗତା ପଛେ ଧାଇଁଛି । ମାଗତା ତାକୁ ପଚାରୁ ନାହିଁ ।

ବାୟା ପଚାରିଲା, ସତେ କି ସୁନା ?

ବାୟାର ବଳିଷ୍ଠ ତମ୍ବାଳିଆ ଗୋଲ ମୁହଁରେ ଆଗ୍ରହର ଉଲ୍ଲାସ । ଉଜ୍ଜ୍ୱଳ ଆଖି ଝଲସି ଉଠିଲା । ବିହ୍ୱଳ ନୟନରେ ସୁନାର ହଳଦୀ ମିଶା ଗୋକ୍ଷୀର ବରନ ଡଉଲ ଆନନ ଓ ପୂରିଲା ଯୌବନର ମନଓଟରା ଶୋଭା ସମ୍ପଦକୁ ଅନାଇଁ ରହିଲା ।

ସୁନାର ଢଳ ଢଳ ଆଖିରେ ଅଳପ ସରମର ଆଭା ଖେଳିଲା । ସେ ଦୃଷ୍ଟି ଫେରାଇ କହିଲା, ଲତା ମତେ ସବୁ କହେ । କେତେ ଧାଙ୍ଗଡ଼ା ଆଇଲେ, ଲତାକୁ କହିଲେ, ହେ ଲତା, ମାଗତା ମାଗତା ହୋଇ ଝୁରି ମରିବୁ କି ? ମୋ ସାଥିରେ ଆ । କହିବୁ ଯଦି ତତେ ଓଟାରି ନେବି । ଲତା ମଙ୍ଗିଲା ନାହିଁ । ଲତା କହିଲା, ଯା ଯା ରେ, ସେମିତି ହେଲେ କେତେ ଟୋକା ମତେ ମିଳିବେ-। ନାଇକ ମଦ ପାଣି ଦେଇ ପାଞ୍ଚ ଗାଁର ଲୋକଙ୍କ ଆଗରେ ସ୍ଥିର କଲା । ଦିଶାରି ମଙ୍ଗିଲା ଓ କହିଲା, ଲତା ନାଇକର ବୋହୁ । ତୁ କହତ ବାୟା, ଲତା ସୁନ୍ଦର ନୁହେଁକି ? ଲତା ମୋ’ର ପିଲାଦିନର ସାଙ୍ଗ । ମୋ ଆଖିକି ସେ କେଡ଼େ ସୁନ୍ଦର ଦିଶେ ।

ସୁନାର ମୁଣ୍ଡକୁ ଦୁଇ ହାତରେ ବାୟା ଟେକି ଧରିଲା । ବିହ୍ୱଳ ଆଖିରେ ମୁହୂର୍ତ୍ତେ ଚାହିଁଲା-। କହିଲା, ଲତା କ’ଣ ତୋଠୁ ସୁନ୍ଦର, ସୁନା ? ତୋ ମୁହଁଟା ତୁ ଦେଖିଛୁକି ? ଏଇ ଗେଡ଼୍‍ଡ଼ା ପାଣିରେ ଥରେ ଚାହିଁଲୁ । ବଳେ ବୁଝିବୁ । ଲତା ସୁନ୍ଦର କି ତୁ ସୁନ୍ଦର ।

କୃତ୍ରିମ କ୍ରୋଧ ଓ ଅଭିମାନରେ ସୁନା ମୁହଁ ବୁଲାଇଲା । ବାୟାର ହାତ ଖସି ପଡ଼ିଲା । ସୁନା ବାୟା ପାଖରୁ ଘୁଞ୍ଚି ବସି ଓଠ ଥରାଇ କହିଲା, ତୁ ବଡ଼ ଦୁଷ୍ଟ । ମତେ କ’ଣ ଧାଙ୍ଗଡ଼ୀ କଲୁକି ଯେ ମୋ ମୁହଁରେ ହାତ ଦେଉଛୁ ?

ନିଜର ଭୁଲ ବୁଝିପାରି ବାୟା ଲାଜରା ହେଲା । ସେ କଅଣ କହିବାକୁ ବସିଥିଲା କହିପାରିଲା ନାହିଁ । ଛାତି ତଳର ଛପିଲା ବ୍ୟଥା ତା’ର ସୁନ୍ଦର ମୁହଁରେ ପ୍ରତିଫଳିଲା । ସେ ସୁନାର ହାତ ଧରିଲା, ଥରିଲା ଓଠରେ କହିଲା, ମୁଁ ଗରିବ, ମୁଁ ମୂଲିଆ । ଜାନିର ଝିଅର ହାତ ଧରି ଘରକୁ ଆଣି ତାକୁ ଏଇ ଭଙ୍ଗା କୁଡ଼ିଆରେ ରଖିବି ? ଦେଖ, ଏଇ ମୋ’ର ଘର । ଉପରେ ଛପର ନାହିଁ, କାନ୍ଥ ଝାଟି ଝାଲି ହେଲାଣି ।

ସୁନା ହାତ ଖସାଇ ନେଇ ପଚାରିଲା ନାହିଁ । ତା’ର ସାରା ଅଙ୍ଗରେ ତାରୁଣ୍ୟର ତଡ଼ିତ୍‌ ପ୍ରବାହ ଖେଳିଗଲା । ସେ ଅଦୂରରେ ଥିବା ବାୟାର ଭଙ୍ଗା କୁଡ଼ିଆକୁ ଚାହିଁଲା ।

ବାୟା ପଚାରିଲା, ଶୁଣିବୁ ମୋ କଥା ?

ସୁନା ପଚାରିଲା ଆଖିରେ ଚାହିଁଲା ।

ତା’ର ଦୃଷ୍ଟିରୁ ବାୟା ସଙ୍କେତ ପାଇଲା, ସେ ଶୁଣିବାକୁ ଚାହେଁ, ଜାଣିବାକୁ ଚାହେଁ । କହିଲା, ମୋ’ର ଏଇ ଏକୁଟିଆ କୁଡ଼ିଆ ଭିତରେ ମୁଁ ରହେ । ବର୍ଷା ଆସେ, କୁଡ଼ିଆ ଭିତରେ ପାଣି ପଶେ । ଦି କୂଳ ଖାଇ ଗେଡ଼୍‌ଡ଼ାରେ ବହିଯାଏ ପାଣି । ତାଆରି ଉପରେ ସେ ଯେଉଁ ପଥର ଖୋଲି, ସେଇଠି ଦିନରାତି ଲୁଚି ବସେ । କେବେ କେମିତି ପଦାକୁ ବାହାରି ତିନ୍ତିବୁଡ଼ି ଡୋଙ୍ଗର କଡ଼ରୁ କନ୍ଦା ଖୋଳି ଖାଏ । କେତେଦିନ କେତେରାତି କଟିଯାଏ । ପେଟରେ ପେଜ ପଡ଼େ ନାହିଁ । ଜଙ୍ଗଲରେ କନ୍ଦା, ଝୋଲାର ପାଣିରେ ଜୀବନ ରଖେ ।

ସେ ତୁନି ହେଲା ।

ତୁନି ହେଲୁ ଯେ ? କହ ବାୟା, ତୋ କଥା ମୁଁ ଶୁଣିବି ।

ଶୀତ ଆସେ । ଏଇ କୁଡ଼ିଆର ଚଟାଣ ଉପରେ ପତର ପାରି ଶୁଏ । କାନି ଘୋଡ଼ିହୁଏ । ମୁଣ୍ଡ ଉପରେ ନିଆଁ ଜାଳେ । ପାହାଡ଼ ଉପରୁ ବୋବାଳି ଛାଡ଼େ ବାଘ । ଭୟରେ ଥରି ଥରି ଉଠି ବସେ । ଧନୁଶର ଧରେ । ତାଟି କବାଟ ବନ୍ଦ କରି ବସିରହେ । ବାଘ ଓହ୍ଲାଏ । ଗେଡ଼୍‍ଡ଼ାରୁ ପିଏ ପାଣି । ପାଣି ଚଟାଣ ଉପରେ ବସେ । ବର୍ଷା ଦିନର ଘଡ଼ଘଡ଼ି ପରି ସେ ଗର୍ଜନ କରେ । ପାହାଡ଼ ଜଙ୍ଗଲ ଥରି ଉଠେ, ସତେକି ପର୍ବତ ଅଜାଡ଼ି ହୋଇ ପଡ଼ିବ । ଧନୁରେ ଶର ଲଗାଏ । କାନଯାଏ ଟାଣେ । ମନକରେ ଛାଡ଼ି ଦେବି । ସୁନା, କେବକାର କଥା ମୋ’ର ମନେପଡ଼େ । ପିଲାଟେ ହୋଇଥିଲି । ଜହ୍ନ-ରାତି । ଏମିତି ବାଘ ବୋବେଇ ଥିଲା । ବାପ ଧନୁଶର ଓ ଟାଙ୍ଗି ଧରି ପଦାକୁ ଆସିଲା । ପଥର ପଛରେ ଛପି ମାରିଦେଲା କାଣ୍ଡ । ବାଘ ମାଡ଼ ଖାଇ ଚମକି ଆସି ବାପକୁ ଧରିଲା-। ବାପ ଟାଙ୍ଗି ଚୋଟ ମାଇଲା ତା’ ମୁଣ୍ଡରେ । ବାପ ମଲା, ବାଘ ବି ମଲା । ସୁନା ଲୋ, ମୁଁ କାଣ୍ଡକୁ ଧନୁରୁ ଖସାଏ । ଭାବେଁ, କାଳେ ମୋ’ର ବାପର ଡୁମା ବାଘ ହୋଇ ମତେ ଦେଖିବାକୁ ଆଇଥିବ । ବାଘ ଚାଲିଯାଏ । ମୁଁ ପଦାକୁ ବାହାରେ–

ବାୟା ଦୀର୍ଘଶ୍ୱାସ ଛାଡ଼ିଲା । ତୁନି ହେଲା ।

ସୁନା ବାୟା କଡ଼କୁ ଧୀରେ ଧୀରେ ଘୁଞ୍ଚିଆସି ତା’ର କାନ୍ଧରେ ହାତ ପକାଇ କହିଲା, ତୁନି ରହିଲୁ କାହିଁକି ? କହ, ଆହୁରି କହ ।

କଅଣ କହିବି ଗୋ ଜାନିର ଝିଅ ? ମୋ’ର ଦୁଃଖ ତୁ କାହିଁକି ଶୁଣିବୁ ? ଖରାଦିନେ–ଏଇ କୁଡ଼ିଆ ତଳୁ ଯେଉଁଠି ମୂଷା ଗାତ ଫୁଟାଏ, ସେଇ ଗାତ ଭିତରୁ ସରୁ ମୁହଁ କାଢ଼ି, ଜଳିଲା ଆଖିରେ ସାପମାନେ ଚାହାନ୍ତି । ଦିନେ ଏଇ ସାପରୁ ଗୋଟାଏ ମୋ ମାଆକୁ କାମୁଡ଼ିଲା । ମାଆ ମଲା । ଡରି କରି ମୁଁ ପଦାକୁ ଆସେ । କେତେ ଦୁଃଖ ମୋ’ର । କଅଣ ତତେ କହିବି ସୁନା ? ବଣର ଜନ୍ତୁ, ଜଙ୍ଗଲର କନ୍ଦା, ଫଳ ମୂଳ, କାଇ, ଉଇ, ବେଙ୍ଗ, ଏଇଆ ମୁଁ ଖାଏଁ । କେବେ କିପରି ପେଜ ରାନ୍ଧେ ।

ସୁଖରେ ଥାଉଚୁ ତ ବାୟା !

ସୁଖରେ ନୁହେଁ ଆଉ କଅଣ ? ସେଥିଲାଗି ତତେ କହୁଛି ସୁନା । ଜାନିର ଝିଅ ତୁ, ପିଲାଦିନୁ ସୁଖରେ ବଢ଼ିଚୁ । ଦୁଃଖ କଷ୍ଟ ଜାଣିନୁ । ମାଗତାକୁ ତୁ ବାହା ହ । ଖୁସିରେ ରହିବୁ । ଦେଖ, ନୋକା ନାଇକର ବଡ଼ଘର, ଜମିବାଡ଼ି । କେତେ ଗାଈ ଗୋରୁ, ପୁଢ଼, ଖମ୍ବାରି । ସବୁ ତୋ’ର ହେବ ସୁନା, ସବୁ ତୋ’ର ହେବ । ତୁ ଭଲରେ ରହିବୁ । ନାଇକ ମତେ ଖମ୍ବାରି ରଖିବାକୁ ଖବର ପଠେଇ ଥିଲା । ମାଗତା ବି କହିଲା । ମୁଁ ମଙ୍ଗିଲି ନାହିଁ । ଆରେ ସୁନା, ତୁ ଯା ମାଗତା ଘରକୁ । ମୁଁ ଯିବି, ତୋ’ର ଖମ୍ବାରି ହେବି । ତୋ’ର କାମ କରିବି । ତୋ’ର ଭଲ ପାଇଁ ଜୀବନ ଦେବି ସୁନା, ଜୀବନ ଦେବି । ତୋ ହାତର ପେଜ ଖାଇବି ସୁନା ପେଜ ଖାଇବି । ଦେବୁ ନାହିଁକି ?

ବାୟାର ଆଖି ଛଳଛଳ ହୋଇ ଆସିଲା ।

ସୁନା ସହି ପାରିଲା ନାହିଁ । ଦୁଇହାତ ବାୟାର ବେକରେ ଛନ୍ଦି, ତା’ ଉପରକୁ ଆଉଜି ପଡ଼ିଲା । ଆଖି ଓଦା ହେଲା, କହିଲା, ପେଜ ଦେବି ବାୟା, ମାଗତାର ଘରେ ନୁହେଁ ତୋ’ର ଏଇ ଖଣ୍ଡିଆ, ଭଙ୍ଗା ଘରେ । ନିଜେ ରାନ୍ଧିବି, ଆଉ ତତେ ଆଗ ଦେବି, ଯାହା ବଳିବ ମୁଁ ଖାଇବି ।

ବାୟା ଘୁଞ୍ଚି ଆସିଲା । ସୁନାର ଦୁଇହାତ ତଳେ ଖସିପଡ଼ିଲା । ତା’ ମୁହଁକୁ ଚାହିଁ ସେ କହିଲା, ନାଇଁ, ସୁନା, ତୁ ଚାଲିଯା ମୋ ପାଖରୁ । ଗରିବ, କାଙ୍ଗାଳ, କୁଲିଟା ମୁଁ । ମୋ ସାଥିରେ ତୁ କଷ୍ଟ ପାଇବୁ କାହିଁକି ? ମାଗତା ଘରେ ଘରଣୀ ହେବୁ । ଏଇ ପିଠିରେ ନାଉ କରି, ଏଇ କୋଳରେ ଝୁଲାଇ, ତୋ ପିଲାଙ୍କୁ ମୁଁ ମଣିଷ କରିବି । ବଞ୍ଚିଥିବା ଯାଏ ତୋ ପାଖେ ପାଖେ ଥିବି ସୁନା !

ରାଗ ତମ ତମ ହୋଇ ପଥର ଚଟାଣ ଉପରୁ ସୁନା ଉଠି ଆସିଲା । ତଳେ ଠିଆ ହୋଇ କଟମଟ କରି ବାୟାର ମୁହଁକୁ ଚାହିଁ କହିଲା, ମାଗତାର ମାଇପ ହୋଇ ଖୁସିରେ ରହିଲେ ମତେ ଖମ୍ବାରି ରଖିବାକୁ ଲୋକ ମିଳିବେ । ବାୟାକୁ ଖମ୍ବାରି ନ ରଖିଲେ କାମ ଅଚଳ ହେବ ନାହିଁ ।

ଅଭିମାନ କରି ଚାଲି ଯାଉଥିଲା ସୁନା । ବାୟା ଉଠିଲା । ଅଧାଗୁନ୍ଥା ଫୁଲମାଳ ଧରି ତା’ର ପଛେ ପଛେ ଯାଇ ସୁନାର ହାତ ଧରି ଅଟକାଇ ରଖିଲା ।

ଛାଡ଼ ମୋ’ର ହାତ ବାୟା, ସୁନା ହାତ ଛିଞ୍ଚାଡ଼ି କହିଲା । ତୁ ଅନାଥ, ଗରିବ, ମୂଲିଆ । ତୋ’ର ଘର ନାହିଁ, ଭୂମିବାଡ଼ି ନାହିଁ । ତୋ’ର ଗାଈ କି ପୁଢ଼ ନାହିଁ, ଏ ସବୁ ସତ କଥା । ହେଲେ, ତୋ’ର ତୁ ନିଜେ ଅଛୁ । ତୋ’ର ଶକ୍ତି ଅଛି, ଭଲପଣ ଅଛି, ସାହସ ଅଛି । ଯାହା ତୋ’ର ନାଇଁ ସେତକ କରି ପାରିବୁ ତ ?

ବାୟା ବିନୀତ ହୋଇ କହିଲା, ରାଗିଲୁକି ସୁନା ?

ସୁନା ବୁଲିପଡ଼ି କହିଲା, ରାଗିବି କାହିଁକି ? ତୁ ଯଦି ଗରିବ ପିଲା, ମତେ ଯଦି ବାହା ହୋଇ ଘରକୁ ଆଣିବାକୁ ତୋ’ର ସାହସ ନାହିଁ, ମୋ ହାତ ଧରି ଅଟାକଇ ରଖ ନା । ଆଜିଠୁଁ ତୋ’ର ମୋ’ର ଛିଡ଼ିଗଲା । ତୁ ଆଉ ମତେ କଥା କହିବୁ ନାହିଁ ।

ସୁନା–

ଯାହା କହିଲି ସତ କଥା ।

ତୋ’ର ଭଲ ପାଇଁ ମୁଁ କହୁଥିଲି ।

ମୋରି ଭଲ ? ହଇରେ, ପାଣି ପବନ, ବାଘ ସାପ, ଓପାସ-ଭୋକ, ଏହି କଥା କହି ମୋତେ ଡରାଇବୁ ? ପାଖରୁ ତଡ଼ି ଦେବୁ ? ବାପ ମୋ’ର ଜାନି ହେଲା, ଜାକରା ଠାକୁରାଣୀ ପୂଜିଲା ବୋଲି କ’ଣ ମୁଁ କନ୍ଧଘର ଝିଅ ନୁହେଁକି? ବଣ, ଜଙ୍ଗଲ, ଡୋଙ୍ଗର, ବାଘ ଓ ପେଟକୁ ମୁଁ ଡରିବି ? ଚାହିଁ ଦେଖିଲୁ ଚାରିଆଡ଼କୁ, କେତେ ପାହାଡ଼, ଡୋଙ୍ଗର, ଝୋଲା । କେତେ ଗଛ । ଆମର ରହିବାକୁ ଥାନ ମିଳିବ ନାହିଁ ? ଦୁଇଟା ପେଟ ପୋଷିବାକୁ ଫଳମୂଳ, ଜୀବଜନ୍ତୁ ପାଇବା ନାହିଁ ? ଘରକରି ପଲା ବାନ୍ଧି ରହିବାକୁ ଡାଳ ପତର ଯୋଗାଡ଼ ହେବ ନାହିଁ ? ଲୁଗା ନ ମିଳିଲେ ପତର ମାଳ ଅଣ୍ଟାରେ ବାନ୍ଧିବା । ତେଲ ହଳଦୀ ନ ମିଳିଲେ ବଣର ରଙ୍ଗିଲା ମାଟି ଦେହରେ ବୋଳିବା । ଫଳମୂଳ, ଧାନ, କାନ୍ଦୁଲ ନ ମିଳିଲେ ତେନ୍ତୁଳି ମଞ୍ଚି ଚୂରି ଖାଇବା । ଆଉ ଲୋଡ଼ା କ’ଣରେ– ?

ପାରିବୁ ସୁନା ? କୃତଜ୍ଞତାରେ ଆଖି ଛଳଛଳ କରି ବାୟା ପଚାରିଲା ।

ପ୍ରେମପାଗଳିନୀ ସୁନା ତା’ର ମନର ମଣିଷ ବାୟାକୁ ଆଶାଭରା ଆଖିରେ ଚାହିଁଲା । କି ସୁନ୍ଦର ରୂପ, କେଡ଼େ ଚମତ୍କାର ସ୍ୱାସ୍ଥ୍ୟ । ସବୁ ପୁଅ ଓ ଝିଅଙ୍କ ପାଇଁ ହସିହସିକା ସବୁ କାମ କରେ, କିନ୍ତୁ ନିଜର ଅବସ୍ଥା ବୁଝି ସେ ଦୂରେଇ ରହେ । ସମସ୍ତଙ୍କ ପାଖରୁ କଡ଼େଇ ଯାଏ । ହାତଧରି ଅରଣ୍ୟର ନିରୋଳା ଥାନକୁ ନେବାକୁ ମନକଲା ଝିଅ ହତାଶ ହୁଅନ୍ତି । କେତେ ଆରା ଦେଖାଇ ହସିହସିକା କରଛଡ଼ା ଦେଇ ଚାଲିଯାଏ ସିନା, ସୁନାର ମନ ତ ଗୋଡ଼ାଏ ତା’ ପଛରେ ।

ସୁନା କହିଲା, ପାରିବି । ସେଇ ଡୁଙ୍ଗର ସେପାରି, ନିମଗିରି ପର୍ବତ ଉପରେ ଯେଉଁ କନ୍ଧ ପିଲା ଘର କରି ରହିଛନ୍ତି, ସେମାନେ କେମିତି ଅଛନ୍ତି ? ଆମେ ପାହାଡ଼ରେ ନିଆଁ ଲଗାଇବା । ତୋ’ର ମୋ’ର ମିଶି ପୋଡ଼ୁଚାଷ କରିବା । ଭଲ ହେବ ବାୟା । ତୁ ଆଗରେ ଚାଲିଲେ ମୁଁ ତୋ ପଛରେ ଚାଲିବି । ତୁ ହଟିଗଲେ ମୁଁ ଆଗକୁ ଯାଇ ତୋ ହାତ ଧରିବି । ଚାଲିଥିବା । ଆମର ଘର କେତେ ବଡ଼, ଆମର ରାଜ୍ୟ କେତେ ବଡ଼ । ଦେଖ ଚାରିଆଡ଼କୁ । ଓଃ, ଆଖି ପାଉନାହିଁ ।

ପାରିବୁ ସୁନା ?

ପାରିବି । ଆମର ଛୋଟ ଗାଁର ଛୋଟ ଘର ଭିତରେ ବାନ୍ଧି ହୋଇ ରହିବାକୁ ଭଲ ଲାଗୁନାହିଁ ।

ଫୁଲମାଳକୁ ସୁନାର ଖୋସାରେ ଗୁଡ଼ାଇ ବାୟା କହିଲା, ଯିବା ଡୋଙ୍ଗର ସେପାରି ନିମଗିରି ପାହାଡ଼କୁ ? ଯିବା, ଓଃ, ବହୁତ ଦୂର–ଯେଉଁଠି ଚାରିଆଡ଼େ ପାହାଡ଼ ଥିବ, ମଝିରେ ଅଗନାଗ୍ନି ବନସ୍ତ, କୁଆ କୋଇଲିର ରାବ ନାହିଁ, ସୂର୍ଯ୍ୟର ମୁହଁ ଦିଶିବ ନାହିଁ, ମଣିଷର ପାଦ ପଡ଼ି ନ ଥିବ । ଝରଣାର କୂଳରେ ଆମେ ତୋଳିବା ଆମର ପତର କୁଡ଼ିଆ, ସେଇଠି ରହିବା, ଯିବା ସୁନା-?

ଯିବାରେ ବାୟା ।

ଫେରିବା ନାହିଁ ?

ଫେରିବା ନାହିଁ ।

କେବେ ?

ଆଜି ।

ଆଜି ?

ମହୁଲ ଗଛ କଡ଼ରେ ଅକର୍ମଶିଳା । ତା’ ପାଖରେ ବୁଦବୁଦିକା ଜଙ୍ଗଲ । ତା’ରି ଭିତରୁ ହସିହସିକା ବାହାରି ଆସିଲା ହିଆଲ ବୁଦ୍ଧି ଡମ୍ବ । କହିଲା, ନା ଆଜି ନୁହେଁ । ଆଉଦିନେ ଯିବ । ଅପେକ୍ଷା କର ।

ସୁନା ବାୟା ଚମକି ଉଠିଲେ । ପରସ୍ପର ପାଖରୁ ଘୁଞ୍ଚି ଠିଆହୋଇ ନିଃସହାୟ ଆଖିରେ ବୁଦ୍ଧିକୁ ଚାହିଁଲେ ।

ବୁଦ୍ଧି ହସିଲା ମୁହଁରେ କହିଲା, ତମ ଦିହିଁଙ୍କୁ ଖୋଜି ଖୋଜି ଆସିଥିଲି । ଏଇଠି ଦେଖିଲି-। ତମ କଥା ମୁଁ ଲୁଚି ଲୁଚି ସବୁ ଶୁଣିଛି । ଆରେ ବାୟା, ନାଇକ ଆଉ ଜାନି ସ୍ଥିର କଲେ ସେ ସୁନାର ବାହାଘର ମାଗତା ସଙ୍ଗେ ହେବ । ଦିଶାରି ଦିନ ଠିକ୍‌ କରିବ । ମୁଁ ସେଠି ଥିଲି । ଛି, ମାଗତାଟା କଅଣ ମଣିଷ ? ସୁନାର ହାତ ଧରିବାକୁ ସେ ଯୋଗ୍ୟକି? ସୁନା ନାଖି ଏକା ତୁଇରେ ବାୟା, ତୁ ସୁନାକୁ ବାହା ହେବୁ ।

ଆଗ୍ରହରେ ଦୁହିଁଙ୍କ ମୁହଁ ପ୍ରଫୁଲ୍ଲ ଦିଶିଲା ।

ବୁଦ୍ଧି ବାରିକ ସେମାନଙ୍କୁ ବୁଝାଇ କହିଲା, ବାପ ଦାଦିର ଗାଁ ଛାଡ଼ି ନିମଗିରି ପାହାଡ଼କୁ ଯିବ କାହିଁକି ? ଜାଣୁ ନାଇଁକି, ବାହାଘର ନ ହେଲେ ଜାକର ଠାକୁରାଣୀ ମଦ ପାଣି ପାଇବ ନାହିଁ, କୁକୁଡ଼ା ଗୋରୁ ଖାଇବ ନାହିଁ । ତୁମ ପୂର୍ବ ପୁରୁଷର ଡୁମାମାନେ ଖୁସି ହେବେ ନାହିଁ । ଏଇ ଗାଁର ପାହାଡ଼ ଖୋଲରେ, ଗଛବୃକ୍ଷ ପଥର ସନ୍ଧିରେ କେତେ ରୂପରେ ସେମାନେ ନିତି ବୁଲୁଛନ୍ତି । ତାଙ୍କୁ ଛାଡ଼ି ତୁମେ ଲୁଚି ଲୁଚି ଯାଇପାରିବ ନାହିଁ । ମଣିଷ ସିନା ଦେଖିବ ନାହିଁ, ସେମାନେ ଦେଖିବେ । ତମ ପଛରେ ଗୋଡ଼ାଇ ଯିବେ । ବଣ ଜଙ୍ଗଲ ମଝିରେ ବାଘ ଭାଲୁ କି ସାପ ବାହାରି ପଡ଼ିବେ । ନୋହିଲେ, ରୋଗ ବଇରାଗ ତମ ତମକୁ ଛିଞ୍ଛି ଦେବେ । ବେଶୀ ଦୂର ଯାଇପାରିବ ନାହିଁ । ଜାକର ଠାକୁରାଣୀ ତମକୁ ଖାଇଦେବ ।

ଭୟରେ ଆକୁଳ ଆଖିରେ ସୁନା ଓ ବାୟା ଚାରିଆଡ଼କୁ ଚାହିଁଲେ । ସତେ କି ପୂର୍ବ ପୁରୁଷର ଆତ୍ମା ପ୍ରତି ପଥର, ଗଛ ଓ ଗେଡ଼୍‍ଡ଼ାର ପାଣି ଭିତରୁ ବାହାରି ପଡ଼ୁଚନ୍ତି । ସତେ କି ପାଖ ପାହାଡ଼ ଭିତରୁ ଜାକର ଠାକୁରାଣୀ କେତେ ରୂପରେ ଗୋଡ଼ାଇ ଆସୁଛି ।

ବାୟା ଥରିଲା ଓଠରେ ପଚାରିଲା, ତେବେ କଅଣ କରିବା ବୁଦ୍ଧିଆ– ?

ସୁନାକୁ ବାହା ହେବୁ । ତୋ’ର ଏଇ ଅରମା ଢିଅରେ ଭଲ ଘର ତୋଳା ହେବ । ସେଇଠି ତୁମେ ସୁଖରେ ରହିବ । ଡୋଙ୍ଗର ଉପରେ ଚାଷ କରିବୁ । ଧୀରେ ଧୀରେ ଜଙ୍ଗଲ କାଟି ଭୂମି କରିବୁ, ପୁଢ଼ ରଖିବୁ । ଦେହରେ ତୋ’ର ତାକତ ଅଛି । ସବୁ ହେବ, ସବୁ ସୁବିଧା ତତେ ଜାନି କରିଦେବ । ଖାଲି ତୁ ସୁନାକୁ ବାହା ହୋଇପଡ଼ ।

ଜାନି ମାଗତା ବିଷୟରେ କଥା ଦେଲାଣି ।

ବୁଦ୍ଧିଆ କହିଲା, ଦେଉ । ବାହାଘର ଡେରିଅଛି । ଏ ଭିତରେ ତୁ ସୁନାକୁ ଘିଚି ନେଇ ଡୋଙ୍ଗରକୁ ପଳା । ଡୋଙ୍ଗର ସେ ପାଖ ଜଙ୍ଗଲ ଭିତରେ ଝୋଲା କୂଳରେ ଯେଉଁ ଭଙ୍ଗା ଘର ପଡ଼ିଛି, ସେଇଠି ଦୁଇ ଚାରିଦିନ ରହ । ଆଲୋ ସୁନା, ତୋ’ର ରାଜି ତ ?

ଲାଜରେ ସୁନାର ମୁହଁ ରଙ୍ଗ ହେଲା । ତଳକୁ ମୁଣ୍ଡ ପୋତି ସମ୍ମତିସୂଚକ ମୁଣ୍ଡ ହଲାଇଲା-

ବୁଦ୍ଧି କହିଲା, ବେଶ୍‌ । ଗାଁ ଝିଅଙ୍କ ସଙ୍ଗେ ଯେତବେଳେ ସୁନା ପାଣି ପାଇଁ ଗେଡ଼୍‍ଡ଼ାକୁ ଆସିବ, ସେତିକିବେଳେ ଏଁ ?

ବାୟା ପଚାରିଲା, ତିନିଦିନ ପରେ, ଯେତେବେଳେ ଜାନି ଆସି ଝୋଲା (ଯୌତୁକ) ଟଙ୍କା ମାଗିବ, ଯେତେବେଳେ ଗାଁ ଲୋକେ ଖାଇବାକୁ ମଦପାଣି, ଗୋରୁ, କୁକୁଡ଼ା ଟଙ୍କା ମାଗିବେ ମୁଁ କୋଉଁଠୁ ଆଣି ଦେବି ?

ଆରେ, ଏଇଥି ପାଇଁ ଭାବୁଛୁ ? ଟଙ୍କା ମିଳିବ ନାଇଁ ? ସବୁ ମିଳିବ । ଚାଲ, ସେଇ ଗଛମୂଳକୁ । ସେଇଠି ସବୁ କଥା କହିବି ।

ବୁଦ୍ଧିଆ ବାୟାର ହାତ ଧରିଲା । ବାୟା ସୁନାକୁ ଚାହିଲାଁ ।

ବୁଦ୍ଧିଆ ହସି ହସି କହିଲା, ତୁ ଯା ସୁନା, ସଞ୍ଜ ହୋଇ ଆସୁଛି । ବାୟାକୁ ମୁଁ ସବୁ ବତାଇବି । ହଁ, ଦେଖ, ଯେଉଁଦିନ ସେ ତୋ’ର ହାତ ଧରିବ–କଥା ଅଧା ରଖି ଦେଲା ।

ସୁନା ଗୋଟିଏ ବାଟରେ, ବୁଦ୍ଧି ଓ ବାୟା ଆର ବାଟରେ ଗଲେ । ସୁନା ଭାବିଲା ବୁଦ୍ଧିଆ ବାରିକ ଭଲ ମଣିଷ । ତିନୋଟି ଗାଆଁର ବାରିକ । ସମସ୍ତଙ୍କ ମନକଥା ଜାଣି କାମ କରେ । ବୁଦ୍ଧି ବତାଏ । ବାୟା ନିଶ୍ଚୟ ତା’ କଥା ମାନିବ ଓ ତାକୁ ଟାଣି ନେବ । ବାୟା ହେବ ତାଆର ବର ।

ମନ ଖୁସିରେ ସୁନାର ପାଦ ବାଟ ଅବାଟ ମାନିଲା ନାହିଁ । ଗୁଣୁଗୁଣୁ ହୋଇ ଗୀତ ବୋଲିଲା ।

କିନାମ ଗାଁର ଉପକଣ୍ଠ । ପାହାଡ଼ କଡ଼ ଜଙ୍ଗଲ ମଝିରେ ବଙ୍କେଇ ବଙ୍କେଇ ବାଟ ପଡ଼ିଛି-। ଚଉଦ ପନ୍ଦର ବର୍ଷର କନ୍ଧ ଝିଅଟିଏ ମୁଣ୍ଡରେ ଶୁଖିଲା କାଠ ବୋଝ ଧରି ଯାଉଛି । ଛୋଟ ମୁଣ୍ଡିଆ କଡ଼ରେ ରାସ୍ତା ବଙ୍କେଇ ଗାଁ ଆଡ଼କୁ ଯାଇଛି । ଠିକ୍‌ ସେଇ ଜାଗାରୁ ଆଉ ଗୋଟିଏ ବାଟ ଝୋଲାର କଡ଼େ କଡ଼େ ପଡ଼ିଛି ପୁଗି ଗାଁ ଆଡ଼େ । ବାଙ୍କୁଲି ବାଟର କଡ଼ରେ ଗଛ ମୂଳରେ ବସିଛି ମାଗତା । ମଦ ନିଶାରେ ଆଖି ରଙ୍ଗଲା । ଗୋଟିଏ ହାତରେ ନାଉ ତୁମ୍ବା । ଆର ହାତରେ ଟାଙ୍ଗି । ବେଳ ଦିପହର । ଖରାଦିନର ଝୋଲାମରା ତାତି ।

କନ୍ଧ ଝିଅକୁ ଦେଖି ମାଗତା ଠିଆହୋଇ ଡାକିଲା, ହେ ପୁଲକି ପୁଲକି-

ପୁଲକି ଠିଆ ହେଲା । କଳା ମିଚିମିଚି ବଳିଷ୍ଠ ଝିଅ ସେ । ଗୋଲ ମୁହଁରେ ଜଡ଼ା ତେଲର ପରଶ । ଚିକ୍ ଚିକ୍ ଦିଶୁଛି । ଆଖି ଚାରି ଆଡ଼କୁ ଭ୍ରମି ଯାଉଛି । ଦୃଢ଼ ସ୍ୱରରେ ସେ ପଚାରିଲା, କ’ଣରେ ?

ଶୁଣ ।

କହ ଜଲ୍‌ଦି । ବେଳା ହେଇଯାଉଛି, ଯିବି ।

ଯିବୁ କିଲୋ ?

କୁଆଡ଼େରେ ମାଗତା– ?

ହେ ଯେଉଁ ଡୋଙ୍ଗର ଦିଶୁଛି, ହେ–

କାହିଁକି ?

ଏଇଁ, କାହିଁକି ? ତତେ ନେଇ ପଳେଇବି । ତୁଇ ମୋ’ର ଧାଙ୍ଗଡ଼ୀ ହେବୁ । ସୁନାଟା ଭଲ ନୁହେଁ । ସେ ମୋ’ର କନିଆ ହେବ ନାହିଁ । ତୁଇ ହବୁ ଚାଲ–

ପୁଲକିର ହାତ ଧରିବାକୁ ଆଗେଇ ଆସିଲା । ଭୟ ଓ ବିସ୍ମୟରେ ପୁଲକି ପଛେଇ ଗଲା-। ରାଗିଯାଇ କହିଲା, ଦୂରେଇ ଠିଆ ହ, ହେ ମାଗତା । ବେଶି ଗୁଡ଼ାଏ ମଦ ପିଇଛୁ । ଉଠ୍‌, ବାଟ ଛାଡ଼ କହୁଛି–

ଅସ୍ଥିର ପାଦରେ ଆଗକୁ ଦୁଇପାଦ ଆସି ମାଗତା ନାଉ ତୁମ୍ବା ଟେକି କହିଲା, ପିଇବୁ ପୁଲକି ପିଇବୁ ?

ମଦ ନିଶାରେ ମାଗତାର ହିତାହିତ ଜ୍ଞାନ ହଜିଛି । ସଳଖ ହୋଇ ସେ ଠିଆ ହୋଇପାରୁନାହିଁ । ଟଳ ଟଳ ହେଉଛି । ଆଖି ଦୁଇଟାରେ ରଙ୍ଗ ଚହଟିଛି । ତା’ କଥା ଶୁଣି ପୁଲକି କହିଲା, ମୁଁ ପିଏ ନାହିଁ । ଉଠିଲୁ ତୁ ବାଟରୁ–

ଚାଲ, ହେ ଡୋଙ୍ଗର ଉପରକୁ ପଳେଇବା । ମୋ’ର କନିଆଁ ହେବୁ । ମୁଁ ତତେ ବାହା ହେବି ପୁଲକି । ତୋ ବାପକୁ ଝୋଲା ଟଙ୍କା ଦେବି । ଲୁଗା ଦେବି । ମଦ ଦେବି–ଯେତେ କହିବ । ଗାଁ ଲୋକଙ୍କୁ ଗାଈ ଦେବି, ଘୁଷୁରି ଦେବି, କୁକୁଡ଼ା ଦେବି ଚାଲ, ପଳାଇବା ଚାଲ–

ଆରେ ମାଗତା, ତୋ ବଂଶ ମଲିକା, ମୋ ବଂଶ ମଲିକା । ତୁ ମୋ’ର ଭାଇ ହେବୁରେ, ମୁଁ ତୋ’ର ଭଉଣୀ ହେବି । ମୁଁ କେମିତି ତୋ’ର କନିଆଁ ହେବି ? ତୁ କେମିତି ମତେ ଧାଡ଼ଙ୍ଗୀ କରିବୁ ? ପାଗଳ ହେଲୁ କି ? ବାଟ ଛାଡ଼, ମୁଁ ଯାଏ ।

ତୋ’ର ମାଆକୁ କୋଡ଼ିଏ ଟଙ୍କା ଜୋରିମାନା ଦେବି । ଗାଁ ଲୋକଙ୍କୁ ଦେବି । ନାଇକର ପୁଅ ମୁଁ । ଟଙ୍କା ନାଇଁକି ?

ତୋ’ର ଟଙ୍କା ତୋ ଘରେ ରଖିଥା । ତୁ ମୋ’ର ବଂଶ ଭାଇଟା । ତୋ ସାଥିରେ ମୁଁ ଯିବି ନାହିଁ । ସୁନାକୁ ଘିଚି ନେଇ ଯାଉନୁ ?

ସୁନା, ସୁନା ? ସେ ଭଲ ନୁହେଁ । ସେ ଯିବ ନାହିଁ । ତାକୁ ଟାଙ୍ଗିରେ ହାଣି ଦେବି । ବାୟାକୁ ହାଣିବି । ସୁନା ଯିବ ନାହିଁ । ବାୟା ସାଥିରେ ଯିବ । ବୁଦ୍ଧିଆ ଡମ୍ବ କହୁଥିଲା । ବାୟା ତାକୁ ଘିଚି ନେବ ।

ତେବେ, ହେ ମାଗତା, ଲତା ସାଥିରେ ତୁଇ ପଳା ଯା । ଲତା କହୁଥିଲା ତୁଇ ତାକୁ ନ ନେଲେ, ସେ ତତେ ଓଟାରି ନେଇ ଡୋଙ୍ଗରକୁ ଚାଲିଯିବ । ହସି ହସି କହିଲା, ପୁଣି ତୁ ତାକୁ କନିଆଁ ନ କଲେ ସେ ତତେ ବର କରିବ । ତତେ ସେ ଧାଙ୍ଗଡ଼ା କରିବ । ସେ ଝୋଲା ଟଙ୍କା ତୋ ବାପ ନାଇକକୁ ଦେବ । ତୁ, ତା’ରି ସାଥିରେ ଯା । ପୁଣି ହସିଲା ।

ମାଗତା ଚାରିଆଡ଼କୁ ଚାହିଁ ପଚାରିଲା, ଲତା ମତେ ଘିଚି ନେବକି ? ଏଁ, ଲତା ? ସେ ବିଲେଇ ଡୁମା, ମୁଁ ମାଙ୍କଡ଼ ଡମା । ଲତା ମତେ ନେବ ? ଏଇ ଟାଙ୍ଗିରେ ତା ମୁଣ୍ଡ ହାଣିଦେବି । ଏଇ ଟାଙ୍ଗି–

ତୁ ଯାହା କରୁଛୁ କରୁଥା, ମତେ ବାଟ ଛାଡ଼ି । ହେ ମାଗତା, ମୋ’ର ଡୁମା ବାଘଡୁମା, ଜାଣିଚୁକି ? ମୋ ହାତ ଧରି ଟାଣି ନେଲେ, ମୁଁ ତତେ ଖାଇଦେବି । ଉଠ–

ପୁଲକି ଆଡ଼େଇ ହୋଇ ଚାଲି ଯବିାକୁ ବସିଲା । ମାଗତା ଟଳିଟଳି ତା’ର ହାତ ଧରି ଟାଣିନେଲା । ପୁଲକିର ମୁଣ୍ଡରୁ କାଠ ବୋଝ ଖସିପଡ଼ିଲା । ପଡ଼ୁ ପଡ଼ୁ ଅଟକି ଯାଇ ବିରକ୍ତ ହୋଇ ସେ କହିଲା, ଛାଡ଼ ମୋ’ର ହାତ ।

ମାଗତା ତାକୁ ଟାଣି ନେଉ ନେଉ କହିଲା, ସେଇ ଡୋଙ୍ଗର ଉପରକୁ–

ଓଃ, ଛାଡ଼େ-ପାଟି କରିବି–

ପାଟିକର । ମୁଇଁ ନାଇକର ପୁଅ, ତତେ ମୁଁ ବାହା ହେବି । କନିଆଁ କରିବି । ପାଟିକର ପୁଲକି । ତତେ ମୁଁ ଘିଚି ନେବି । ଡୋଙ୍ଗର ସେପାଖେ ଜଙ୍ଗଲ ଭିତରେ ଝୋଲା କୂଳରେ ଭଙ୍ଗା ଘରଟେ ଅଛି, ସେଇଠି ରହିବା । ଚାଲ ଚାଲ ।

ମାଗତା ଟାଣିବାକୁ ଲାଗିଲା । ପୁଲକି ଚିତ୍କାର କଲା ।

ପୁଗି ଗାଁ ଆଡ଼ୁ ଯେଉଁ ବାଟଟି ଆସିଛି ସେହି ବାଟେ ଲତା ଆସି ପହଞ୍ଚିଲା । ମାଗତା ପୁଲକିର ହାତ ଧରି ଟାଣୁଥିବାର ଦେଖି ସେ କହିଲା, ହେ ମାଗତା, ପୁଲକି ତୋ’ର ଏକା ବଂଶର ଭଉଣୀ । ତା’ ଦେହରେ ହାତ ଦେବଟା ବଡ଼ ପାପ । ବେଶି ମଦ ଖାଇ ଜ୍ଞାନ ହରାଇଛୁ । ପାପପୁଣ୍ୟ ଜାଣିପାରୁନୁ, ମୁଁ କହୁଛି, ହେ ମାଗତା ଛାଡ଼ି ଦେ ପୁଲକିର ହାତ ।

ମାଗତା କହିଲା, ତାକୁ ମୁଁ କନିଆଁ କରିବି, ତାକୁ ମୁଁ ଘିଚି ନେବି । ତା’ ବାପକୁ ଝୋଲା ଟଙ୍କା ଦେବି । ତୁଇ ଯା, ତୁଇ ପଳା ହେ ଲତା, ପୁଲକି ମୋ’ର ଧାଙ୍ଗଡ଼ୀ ହୋଇସି–

ଲତା ଦୁହିଁଙ୍କର ମଝିକୁ ଆସିଲା । ମାଗତାର ହାତରୁ ପୁଲକିକୁ ମୁକ୍ତକରି କହିଲା, ଛି, ଛି, ଜାଣୁ ନାହିଁକି, ସାରକା ପେଙ୍ଗୁ ସାଙ୍ଗରେ ତା’ର ବାହାଘର ଠିକ୍‌ ହୋଇଛି । ପେଙ୍ଗୁ ତୋ’ର ବାପ ନାଇକ ସଙ୍ଗରେ ବେଜୁଣୀ ପାଖକୁ ଯାଇଥିଲା । ବେଜୁଣୀ (ଜାକରା ଠାକୁରାଣୀଙ୍କ କାଳସି–ନପୁଂସକ) କହିଲା, ଭଲ ହେବ । ମୁଇଁ ଥିଲି । ଶୁଣିଛି । ପେଙ୍ଗ ପୁଲକିର ମା’କୁ ମଦ ଦେଇ ଆସିଲାଣି । ଦିଶାରି ପାଖକୁ ଯାଇଚି । ଦିଶାରି ଦିନବାର ଠିକ୍‌ କଲେ ବାହାଘର ହେବ ।

ମାଗତା ଆଶ୍ଚର୍ଯ୍ୟ । ପୁଲକିର ହାତ ଛାଡ଼ିଲା । ଟଳୁ ଟଳୁ ପାଖରେ ଥିବା ମହୁଲ ଗଛରେ ହାତ ଭରା ଦେଇ ଅଟକିଲା । ଜିଭ କମୁଡ଼ି ପଚାରିଲା, ସତ୍‌କି ?

ଲତା ପୁଲକିକୁ ଚାଲିଯିବାକୁ ଆଖିରେ ଇଙ୍ଗିତ ଦେଲା । ପୁଲକି ଭୟରେ ମାଗତା ଆଡ଼କୁ ଚାହିଁ କାଠ ବୋଝ ଉଠାଇ ମୁଣ୍ଡରେ ରଖିଲା । ଥର ଥର ପାଦରେ ସେଠାରୁ ପ୍ରସ୍ଥାନ କଲା । ଲତା ମାଗତାକୁ କହିଲା, ସତ ନୁହେଁତ କ’ଣ ମିଛ ?

ମାଗତା ପାଟିକଲା, ହେ ପୁଲକି, ରହ– ରହ–

ପୁଲକି ପାଟିକଲା ନାହିଁ, ମାଗତା ତା’ ପଛରେ ଯିବାକୁ ବସିଲାରୁ ଲତା ତା’ର ହାତ ଧରି ଅଟକାଇ ରଖିଲା । ଦୃଢ଼ କଣ୍ଠରେ କହିଲା, ରହ ମାଗତା, ମୋ କଥା ଶୁଣ ।

ମାଗତା ଅଟକି ରହିଲା । ଲତା ଦେହରେ ଗୋଟା ଧାଙ୍ଗଡ଼ାର ଶକ୍ତି । ବଳିଆର ଝିଅ, ଶ୍ୟାମଳ, ବଳିଲା ପରି ଦେହ । ମୁହଁଟି ସୁନ୍ଦର । ଚିକ୍‌ଚିକ୍‌ । ବାଙ୍ଗର ମଣିଷ । ମୁଣ୍ଡରେ ବେତାଏ କେଶ ।

ଲତା କହିଲା, ସୁନାକୁ ତୁ ରଖିପାରିବୁ ନାହିଁ ।

ଏଁ ?

ମୁଁ ବେଜୁଣୀକି ପଚାରିଲି । ସେ ଜାକରା ଠାକୁରାଣୀକୁ ପଚାରିଲା । କାଲି ରାତିରେ ଠାକୁରାଣୀ ତାକୁ ସପନେଇଛି, ସୁନାକୁ ବାୟା ନେବ । ସୁନା ତା’ର ଧାଡ଼ଙ୍ଗୀ ହେବ ।

ମାଗତା ପଚାରିଲା, ସୁନାକୁ ବାଇଆ ଝିଙ୍କି ନେବ ?

କାହିଁକି ନ ନେବରେ ମାଗତା ? ଉପରେ ଧର୍ମ, ତଳେ ଧରିତ୍ରୀ ଅଛିଟି ? ମୁଁ ପିଲାଟେ ହେଇଥିଲି, ତୋ’ର ବାପ ମତେ ବୋହୂ କଲା । ଠାକୁରାଣୀ ସବୁ ଜାଣେ । ମତେ ଛାଡ଼ି ସୁନାକୁ ପୁଣି ବୋହୂ କରିବାକୁ ବସିଛୁ । ଜାନିର (ପୁରୋହିତ ବା ପୁଜାରୀ ବା ଠାକୁରାଣୀର ସେବକ) ଝିଅ ବୋଲି ଠାକୁରାଣୀ ଛାଡ଼ିବ ନାହିଁରେ, ଖାଇ ଦେବ । ମୁଇଁ ତୋଓର ଧାଙ୍ଗଡ଼ୀ । ତୁ ମୋ’ର ଧାଙ୍ଗଡ଼ା, ମାଗତା, ଚାଲ ପଳେଇବା । ନେ, ତୁଇ ମୋ’ର ହାତ ଧରି ଟାଣିନେ । ଯୁଆଡ଼େ ତୁ ଯିବୁ, ମୁଁ ତୋରି ପଛେ ପଛେ ଯିବି । ତୁ ମୋ’ର ଅଣ୍ଡରା । ମାଗତା–

ଲତା ଲୁହଭରା ଆକୁଳ ଆଖିରେ ଚାହିଁଲା । ମାଗତା ଆଖି ରଙ୍ଗ କରି କହିଲା, ଛାଡ଼ ମୋ’ର ହାତ ।

ହାତ ଟାଣିଲା । ଲତା ତା’ ହାତକୁ ଆହୁରି କଟମଟ କରି ଧରିଲା ।

ଛାଡ଼, ମୋ’ର ହାତ କହୁଛି, ନୋହିଲେ–

ଆର ହାତରେ ମାଗତା ଟାଙ୍ଗି ଉଠାଇଲା ।

ମାରିବୁ ମାଗତା ? ଦେଖ୍‌ ଏଇ ଯେଉଁ ବଡ଼ ପଥର ତାରି ଭିତରେ ଟପକାସାର ଠାକୁରାଣୀ ଅଛି । ସେଇ ପଦର ପାଖରେ ଗାଙ୍ଗି ଠାକୁରାଣୀ ଚାହିଁଛି । ତା’ ପାଖରେ ବରଗଛ ଭିତରେ ଥାଇ ଅନେଇଁଚି ବୁଈ ଠାକୁରାଣୀ । ସମସ୍ତଙ୍କ ଉପରେ ବଡ଼ ଯେ ଜାକର ଠାକୁରାଣୀ ସେ ଦେଖୁଛି । ମୋ’ର ବାପ ବଞ୍ଚିଥିଲାବେଳେ ସମସ୍ତଙ୍କୁ ସେ ମଦ ଦେଇଥିଲା, ପୁଢ଼, ଘୁଷୁରି, କୁକୁଡ଼ା ଦେଇଥିଲା । କହିଥିଲା, ମାଗତା ଲତାର ଅଣ୍ଡରା ହେବ । ତୋ’ର ବାପ ଶୁଣିଛି । ଗାଁ ଲୋକେ ଶୁଣିଛନ୍ତି । ତୁଇ ସିନା ଭୁଲିବୁ, ତୋ’ର ବାପ ନାଇକ ବୋଲି ସିନା ମୋ’ର ବାପ ମଲାକୁ ମତେ ବୋହୂ କାରିବାକୁ ଅପୁନାହିଁ (ମଙ୍ଗୁନାହିଁ) । ଠାକୁରାଣୀମାନେ କ’ଣ ଭୁଲିବେ ? ସମସ୍ତେ ଅନେଇଁଛନ୍ତି । ତୁଇ ମତେ ଛାଡ଼ିଲେ, ସେମାନେ ତୋ ବାପକୁ ଖାଇଦେବେ । ମୁଁ ତାଙ୍କୁ କହିଛି, ବେଜୁକୁ କହିଛି ।

ଡରି ହରି ମାଗତା ଚାରିଆଡ଼କୁ ଚାହିଁଲା, ସତେକି, ପ୍ରତି ପଥର, ଗଛ, ଝୋଲା, ପାହାଡ଼ ଭିତରୁ ଠାକୁରାଣୀମାନେ ବାହାରି ପଡ଼ୁଛନ୍ତି । ଆଉ, ତାକୁ ଗ୍ରାସ କରିବାକୁ ଆଖି ତରାଟି, ହାତ ବଢ଼ାଇ ଧାଇଁ ଆସୁଛନ୍ତି । ମାଗତା ଟାଙ୍ଗିଟାକୁ କାନ୍ଧରେ ଝୁଲାଇ ଦେଲା । ହାତ ବଢ଼ାଇ ଲତାର ଆର ହାତ ଧରି ଥରିଲା ସ୍ୱରରେ ପଚାରିଲା, କ’ଣ କରିବି ଲତା ?

ଲତା କହିଲା, ମୋ’ର ହାତ ଧରିଛୁ, ଏଥର ମତେ ଟାଣିନେ । ସବୁ ଠାକୁରାଣୀ ଆମ ପଛରେ ଚାଲିବେ । ଯେଉଁ ଜନ୍ତୁକୁ ଟାଙ୍ଗି ଧରି ମାରିବାକୁ ମନକରିବୁ ସେ ମରିବ । ଯେଉଁଠି ଖୋଳିବା, ସେଠି ପାଇବା କନ୍ଦା । ଯେଉଁ ଗଛରେ ଚଢ଼ିବୁ, ସେଠି ପାଇବୁ ମହୁ । ମାଗତାରେ, ଠାକୁରାଣୀ ଆମ ପଛରେ ଥିବେ । ଆମେ କେତେ ଖୁସି ଆନନ୍ଦରେ ରହିବା ।

ମାଗତା ଲତାର ହାତଧରି ଟାଣି ଟାଣି ନେଲା । କହିଲା, ଡରି ଡରି, କୁଆଡ଼େ ନେବି ତତେ ?

ଯେଣିକି ତୋ’ର ମନ । ପାହାଡ଼ ସେ ପାଖ–କଥା ଅଧା ରହିଗଲା ।

ବାଟ ବାଙ୍କର ଗଛ ଉହାଡ଼ରୁ ବାହାରି ପଡ଼ିଲେ ନାଇକ ମିଲିକା ନୋକା ଓ ଦିଶାରି ବୁଢ଼ା-। ବେଳ ରତ ରତ । ପାହାଡ଼ ମାଳ ପଛଆଡ଼େ ସୂର୍ଯ୍ୟ ଛପିଲେଣି । ଲତାର ହାତରୁ ମାଗତାର ହାତ ଖସି ପଡ଼ିଲା । ଅବାକ୍ ହୋଇ ଦିହେଁ ଠିଆହୋଇ ରହିଲେ । ନାଇକ ଓ ଦିଶାରି ପାଖକୁ ଆସିଲେ ।

ନାଇକ ଆକଟ କରି ପୁଅକୁ କହିଲା, ଏ କଅଣ ମାଗତା ?

ମାଗତା ବାପକୁ ଦେଖି ଶଙ୍କିଗଲା । ଟଳ ଟଳ ହୋଇ ଆଡ଼େଇ ଗଲା । ଲାଜ ସଙ୍କୋଚ ଛାଡ଼ି ଲତା ଆଗେଇ ଆସି କହିଲା, ମାଗତା ମୋ’ର ହାତ ଧରି ଟାଣି ନେଉଥିଲା, କହିଲା ସେ ମୋତେ ଘରଣୀ କରିବ ।

ଘୃଣାରେ ଇତାକୁ ଚାହିଁ ନୋକା ନାଇକ ଆଖି ଫେରାଇଲା ମାଗତା ଉପରକୁ । ତା’ର ଅବସ୍ଥା ଦେଖି ଦୁଃଖ ଓ କ୍ରୋଧରେ ଚିତ୍କାର କଲା, ମାଗତା–

ମାଗତା ଡରି ଡରି କହିଲା, ଏଇ ଲତା ମତେ କହିଲା– ।

କ’ଣ କହିଲା ? ତୁ ଜାଣୁ ନାଇଁକି ଜାନିର ଝିଅ ସୁନା ସାଥିରେ ତୋ’ର ବାହାଘର ଠିକ୍ ହୋଇଛି ? ଦିଶାରି ଦିନ ଧରିଛି, ଦଶଦିନ ଅଛି ବାହାଘର । ଯାହାରିପାରି ତାରି ହାତ ଧରିବା ତୋ’ର ଉଚିତ ନୁହେଁ ।

ଲତାର ଆଖିରୁ ଦୁଇଧାର ଲୁହ ଝରି ପଡ଼ିଲା । ନାଇକ ଅସତ୍ୟ ହୋଇଛି । ଧୈର୍ଯ୍ୟଧରି ଧୀରେ ଧୀରେ ସେ କହିଲା, ମୁଁ ତୋ’ର ବୋହୂ ନୁହେଁ କି ନାଇକ ? ଏଇ ଦିଶାରି ବୁଢ଼ା ସେଦିନ ଜାକରା ଠାକୁରାଣୀ ପାଖେ, ଜାନି ଆଗରେ କହିଥିଲା । ଗାଁ ଲୋକେ ସମସ୍ତେ ଥିଲେ । ମୋ’ର ବାପ ମଲାରୁ ତୁମେ କଥା ଫେରାଇ ନେବକି ? ମୋ ବାପର ଡୁମା କାନ୍ଦି କାନ୍ଦି ବୁଲିବ । ତା’ର ସତ୍ୟ ଭାଙ୍ଗିବ ? ତା’ର ଝିଅ ହୋଇ–

ନାକ ଟେକି ଘୃଣାରେ ଲତା ଆଡ଼କୁ ଚାହିଁ ନାଇକ କହିଲା, ତୁ ତୋ ବାପକୁ ଖାଇଲୁ ପୁଣି । ପୁଣି ମୋ’ର ବୋହୂ ହୋଇ ମତେ ଖାଇବୁ କି ? ତୋ ବାପର ଡୁମା କାନ୍ଦି ବୁଲିବତ ଆମର କି ଦୋଷ ? ନାଇକ ମାଗତାକୁ ଚାହିଁ କହିଲା, ଆଉଦିନେ ଯଦି ପୁଣି ଲତା ସାଙ୍ଗେ ମିଶିଛୁ ତ ଦେଖିବୁ ଏଇ ଟାଙ୍ଗିରେ ତୋ ବେକରୁ ମୁଣ୍ଡ କାଟି ଅଲଗା କରିବି ।

ବାଧ୍ୟ ଶିଶୁଟି ପରି ମାଗତା ତା’ ବାପର ଆଗେ ଆଗେ ଚାଲିଲା । ନୋକା ଓ ଦିଶାରି ସେହି ବାଟରେ ଅଦୃଶ୍ୟ ହୋଇଗଲା ।

ଲତା ମଲାଗଛ ପରି ବଡ଼ ପଥର ଆଗରେ ଠିଆ ହୋଇ ରହିଲା । ଆଖିରୁ ଲୁହ ଝରିଲା । ହାତଯୋଡ଼ି ମୁଣ୍ଡରେ ଲଗାଇ କହିଲା, ମା ଜାକର, ତୁଇ ଏକା ଜାଣୁ ମୁଁ ତ କାହାକୁ ଖାଇ ନାହିଁ । ତୁଇ ମୋ’ର ବାପକୁ ଖାଇଲୁ, ତୁଇ ଫେର୍ ବେଜୁଣୀକୁ ସପନ ଦେଲୁ । ମାଗତା ପାଖକୁ ତୁଇ ଏକା ମତେ ପଠେଇଲୁ । ନୋକାର ପୁଅ ମାଗତାକୁ ମୋତେ ଦେବ ବୋଲି ବାପ ମୋ’ର କଥା ଦେଲା । ସମସ୍ତଙ୍କୁ ମଦପାଣି ଦେଲା । ତୁଇ ତାକୁ ବେରାମ କଲୁ । କି ଦୋଷ ସେ କଲାକି ତୋତେ ସିନା ଜଣା ଗୋ ମା’ ଜାକର ଠାକୁରାଣୀ, ତାକୁ ତୁ ନେଲୁ । ମୋ’ର କି ଦୋଷ ?

ଲତାର ଆଖିରୁ ଲୁହ ଝରିଲା । ସେ ପୁଣି କହିଲା, ବାପର ଡୁମା ରାତି ଅଧରେ ଆସି ଘର ପଛର ମହୁଲ ଗଛ ତଳେ କାନ୍ଦୁଚି । ମୋତେ ସପନରେ କହୁଚି, ତୁ ନାଇକର ବୋହୂ, ମାଗତାର ଘରଣୀ ହେବୁ । ମୁଁ କଥା ଦେଇ ଆସିଚି । ମୋ’ର କି ଦୋଷ, ମା’ ଜାକରା ?

ସଞ୍ଜ ଅନ୍ଧାର ମାଡ଼ି ଆସୁଛି । ବଣ ପାହାଡ଼ର ଦେଶ । ଆଉ ଅଧିକ ବେଳ ରହିବା ନିରାପଦ ନୁହେଁ । ଲତା ଏହା ଭାବି ଗ୍ରାମକୁ ଫେରିଲା ।

ବଡ଼ଗୁଡ଼ା ଗ୍ରାମରେ କୁମୁଟି ସାହୁକାର ଗୁରୁମୂର୍ତ୍ତିର ଘର । ବଡ଼ଘର, କୋଠା ଉପରେ ଖପର ଛୁଆଣି । ଗାଁ ରାସ୍ତା ଆଡ଼କୁ ଚଉଡ଼ା ପକ୍‍କା ବାରଣ୍ଡା । ଗୋଟିଏ ପାଖରେ ସତରଞ୍ଜି ପାରି କଳା ମିଚିମିଚି ଥନ୍ତଲପେଟା ଗୁରୁମୂର୍ତ୍ତି କାନ୍ଧରେ ଚାଦର ପକାଇ ବସିଛନ୍ତି । ମୁଣ୍ଡରେ ଚିତା । ଆଗରେ ମେଲା ହୋଇ ପଡ଼ିଛି ଗୋଟିଏ ଲମ୍ବା ଖାତା, ଆଉ ବିଡ଼ାଏ ଖାତା ଗୋଟିଏ ପାଖରେ ସଜା ହୋଇ ରଖା ହୋଇଚି ।

ସତରଞ୍ଜି ଆର ପାଖରେ ବସିଛନ୍ତି ପି. (ପଟ୍ଟନାଏକ) ଜଗ୍‌ଗା ରାଓ । ପାଖରେ ଛୋଟ ବାକ୍‌ସ, ଦୁଆତ କଲମ ଓ କାଗଜ, ଆଖିରେ ଚଷମା, ପିଣ୍ଡା ତଳେ କେତେ ଜଣ କନ୍ଧ, ଡମ୍ବ ଓ ଏନେଟି ଦୋରା ବସିଛନ୍ତି । ଉପରେ ଖରା । ବେଳ ଦ୍ୱିପ୍ରହର ।

ଗୁରୁମୂର୍ତ୍ତି କହିଲେ, ଶୁଣ ପଟ୍ଟନାଏକଲୁ ! ଥୋୟାକା ବିରସୁ କନ୍ଧର ହିସାବ ଦେଖି ତାକୁ ବୁଝାଇ ଦିଅ, ତା’ର କେତେ ବାକି ଅଛି କହ ।

ଖାତାଟାକୁ ପଟ୍ଟନାଏକଙ୍କ ପାଖକୁ ସାହୁକାର ବଢ଼ାଇ ଦେଲେ । ପଟ୍ଟନାଏକ ପତ୍ର ଓଲଟାଇ କହିଲେ, ଆରେ ବିରସୁ, ତୋ’ର ବାପ ଖୋରକ ଯେତେବେଳେ ବାହା ହେଲା, ସାହୁକାରଠୁ ତିନିକୋଡ଼ି ପନ୍ଦରଟଙ୍କା ନେଇଥିଲା । ଦଶ ବରଷ ଖମ୍ବାରି ରହି ଦୁଇକୋଡ଼ି ସୁଝିଲା । ଜଙ୍ଗଲ ହଣା କେଶ୍‍ରେ ତା’କୁ କୋଟ ଘର କୋଡ଼ିଏ ଦଶଟଙ୍କା ଜୋରିମାନା କଲେ । ତା’କୁ ମଧ୍ୟ ସାହୁକାର ଦେଲା, ବାକି ରହିଲା ଦୁଇକୋଡ଼ି ପନ୍ଦର । କୋଡ଼ିଏ ଦଶଟଙ୍କା ବାବଦକୁ ବରଗଛ ଭୂମି ବନ୍ଧା ଦେଲା । ପଦ୍ଦୁ ଲେଖିଲା, ଜମି ସାହୁକାର ହେଲା । ଖୋରକ ଭାଗ ଚଷିଲା । ବର୍ଷକୁ ଏକ ଗଡ଼ିଷା ଗଲା (ଧାନ) । ତିନି ବରଷ ପରେ ସେ ଦି ବରଷ ପାରି (ଫସଲ) ଖାଇଲା । ସାହୁକାରର ଧାନ ଦେଲା ନାହିଁ । ଧାନରଦାମ ଟ ୩୦୦କୁ ପୁଣି ସେଇ ଜମି ଓ ମହୁଲ ଗଛ ଗୁଡ଼ିଆ ବନ୍ଧା ଦେଲା । ତୋ’ର ବାପ ମଲା, ସାହୁକାର କେଶ୍ କଲା । କୋଟ-ଘର ଜମି ନିଲାମ କଲେ । ସାହୁକାର କିଣିଲା, ବଟ୍ଟା-ଜମାନ ସାହୁକାରକୁ ଜମି ଅପକିନ୍ତା କରେଇଲା (ଦଖଲ ଦେଲା) । ସାହୁକାର ଖମ୍ବାରି ରଖି ଧାନ କରାଉଚି । ତୋ’ର ଆଉ ସେ ଭୂମିରେ ଅଧିକାର ନାହିଁ । ବିରସୁ ହାତଯୋଡ଼ି, ଠିଆହୋଇ କହିଲା, ମରିଯିବି ନାଇଁକି ? ତିନିଟା ପିଲା, ମାଇପ, କେମିତି ଜୀଇଁବୁ ? ସାହୁକାର, ତୁ ବରଗଛ ଭୂମି ନେ । ତିନି ଗଡ଼ିଷା ପାଚୁଚି । ମହୁଲଗଛ ଗୁଡ଼ିଆ ମତେ ଛାଡ଼ିଦେ । ମୁଁ ହଳକରି ଖାଇବି ।

ଗୁରୁମୂର୍ତ୍ତି କହିଲା, ଆରେ, କୋଟ-ଘର ମତେ ଅପକିନ୍ତା କଲା । ସବୁ ଭୂମି ମୋ’ର । ତୋ ବାପ ଉପେର ଆହୁରି ଟଙ୍କା ବାକି ଅଛି । ତୁ ଯଦି ଆସି ଖମ୍ବାରି ନ ହଉ, ମୁଁ ପୁଣି ତୋ ନାମରେ ଦାବା (କେସ୍) କରିବି ।

ବିରସୁ ଲମ୍ବ ହୋଇ ଗୋଡ଼ତଳେ ପଡ଼ିଲା । ଭୂମି ଉପରେ ପଡ଼ି ଅନୁନୟ କଲା, ମରିଯିବି ସାହୁକାର । ଦାବା କଲେ ଲଢ଼ିପାରିବି ନାହିଁ । ମୋ ଗୁଡ଼ିଆ (ଉଚ୍ଚଜମି) ମତେ ଦେ । ମୁଁ ଚାଷ କରିବି । ତୋ ଧର୍ମ– ।

ଦଶପୁଟି ପାଚି (ଫସଲ) ଦେବୁ ? ସରକାରକୁ ମୁଁ ଶିସ୍ତୁ (ଖଜଣା) ବାନ୍ଧିବି ।

ଦେବି ସାହୁକାର । ବାପର ନାଆ ତୋ କାଗଜରୁ କାଟିଦେ ।

ଟିକିଏ ଭାବି ସାହୁକାର କହିଲେ, ଆଚ୍ଛା ତୁ ଯା । ଚାରିଦିନ ଛାଡ଼ି ଆସିବୁ, ପଦ୍ଦୁ ଲେଖା ହେବ । ସାକ୍ଷୀ ଆଣିଥିବୁ ।

ବିରସୁ ହାତ ଯୋଡ଼ି ମୁଣ୍ଡେରେ ଲଗାଇଲା । କହିଲା, ତୋ’ର ଦୟା ଏକ୍‌କା ।

ବିରସୁ କଡ଼େଇ ଠିଆହେଲା ।

ସାରକା ପେଙ୍ଗୁ କନ୍ଧ ହାତଯୋଡ଼ି ଆଗକୁ ଆସି ଜଣାଣ କଲା, ହେ ସାହୁକାର, ମୋ କଥା ଟିକେ ବୁଝ–

ଗୁରୁମୂର୍ତ୍ତି କହିଲା, ଆରେ, ତୋ’ର ପଦରରେ (ଉଚ୍ଚଜମିରେ) କୋଡ଼ିଏ ପୁଟି ଧାନ ପାଚୁଚି । ତାକୁ ଅସ୍ୱାଧୀନ ବନ୍ଧକ ରଖି ମୁଁ ତିନିକୋଡ଼ି ଟଙ୍କା ଦେଇପାରିବି ନାହିଁ । ତୁ ଯା ।

ପେଙ୍ଗୁ କହିଲା, ଯା କହିଲେ ଯିବିକି । ପୁଲକି ସଙ୍ଗେ ବାହାଘର ଠିକ୍ ହୋଇଚି । ଝୋଲା ଟଙ୍କା, ଗାଁ ଲୋକଙ୍କୁ ଖାଇବାକୁ ଦେବାକୁ ଟଙ୍କା, ତିନି କୋଡ଼ିରୁ କମରେ ହେବ ନାହିଁ । ଦେ ସାହୁକାର, ପଦର ଭୂମିଟା ପଛେ ସ୍ୱାଧୀନ ଲେଖି ନେ । ମୁଁ କୁଲିନାଲି କରି ଖାଇବି ।

ଗୁରୁମୂର୍ତ୍ତି ଭ୍ରୂଲତା ଟେକି ଚିନ୍ତା କଲା । ପଟ୍ଟନାଏକକୁ କଣେଇଁ ଚାହିଁ ନିମ୍ନସ୍ୱରେର ଠାରରେ କହିଲେ, ବେଶ୍ ବଳୁଆ ଦିଶୁଚି । କୌଣସି ମତେ ଯଦି ମୁଠା ଭିତରକୁ ଆସିପାରନ୍ତା ତିନି ପୁରୁଷ ଯାଏ ହାତରେ ରହନ୍ତା ।

ପଟ୍ଟନାଏକ କହିଲେ, ଆରେ ପେଙ୍ଗୁ, ସାହୁକାରକୁ ପଦରଭୂମି ସ୍ୱଧୀନ ବନ୍ଧକ ଦେଲେ, ତୋ’ର କିଛି ରହିବ ନାହିଁ । ଘରକୁ ମାଇପ ଆଣିବୁ । ଧାଙ୍ଗଡ଼ୀ ପିଲା ତାକୁ ଛାଡ଼ି କୁଲି କରି ଯିବୁ ? ଯାହା ଆଣିବୁ ପେଟକୁ ଅଣ୍ଟିବ ନାହିଁ । ଜମି ମୁକାଳି ପୁଣି ତୋ’ର ସ୍ୱାଧୀନକୁ ନେବାକୁ ଟଙ୍କା କେଉଁଠୁ ପାଇବୁ ?

ସତ୍ ଏକ୍‍କା, ଜମିଟା ତୁଇ ନେ, ପାଞ୍ଚଟଙ୍କା ଶିସ୍ତୁ ବାନ୍ଧୁଚି ।

ପଟ୍ଟନାଏକ କହିଲେ, ଶୁଣ ପେଙ୍ଗୁ, ଯଦି ପରଘରେ ମୂଲ ଲାଗି ପେଟ ପୋଷିବୁ ତ ମୁଁ ଯାହା କହୁଛି କର । ତୋ’ର ଜମି ତୋ’ର ଥିବ ତୁ ଚାଷ କରି ଖାଇବୁ । ଟଙ୍କା ନେବୁ, ଏଣେ ତେଣେ ବୁଲି କାମ କରିବୁ କାହିଁକି ? ଶୀତ, ବର୍ଷା ଅଛି, ଦେହମୁଣ୍ଡ ଅଛି । ଯେଉଁଦିନ ନ ଯିବୁ ସେ ଦିନ ଉପାସ ରହିବୁ । ଖାଇବାକୁ ନ ହେଲେ ତୋ ଧାଙ୍ଗଡ଼ୀ ତୋ ପାଖେ ରହିବ କି ? ଆଉ କିଏ ଘିଚିନେଇ ପଳେଇବ ।

ପେଙ୍ଗୁର ମନରେ ପଟ୍ଟନାଏକଙ୍କର ହିତୋପଦେଶ ଭେଦିଲା-କରଣମ୍ ସତ କଥା ତ କହୁଚି । ସେ ମୁହଁ ଖୋଲିଲା ।

ସତ କଥା କହିଲୁ ଏକ୍‍କା । କିସ କରିବି କହତ ।

ହସ ହସ ହୋଇ ପଟ୍ଟନାଏକ କହିଲେ, ଭଲ ପିଲା ତୁ ପେଙ୍ଗୁ । ତୋ’ର ବୁଦ୍ଧି ଅଛି । ତୋ ପାଇଁ ମୁଁ ପଦ୍ଦୁ (ବଣ୍ଡ) ଲେଖି ରଖିଛି । ତୁ ଯଦି ମଙ୍ଗିବୁ ଏଥିରେ ବୋଟ (ଟିପଚିହ୍ନ) ଦେଇ ତିନିକୋଡ଼ି ଟଙ୍କା ଗଣିନେ, ସାହୁକାରର ତୁ ଖମ୍ବାରି ରହିବୁ । ସେ ତତେ ଖାଇବାକୁ ଦେବ, ବରଷକୁ ଏ ଋଣରୁ ଦଶଟଙ୍କା କଟିବ, ଛଅ ବରଷର ଟଙ୍କା ସୁଝିବ । ତୋ ପର୍ଦ୍ଦ ତୁ ଫେରେଇ ନେବୁ, ସାହୁକାର ଘରେ ଖମ୍ବାରି (ହଳିଆ) ଥିବୁ । ତୋ ଭୂମି ତୁ ଚଷିବୁ, ପାଚି କରିବୁ । ତୁ ଓ ତୋ ଧାଙ୍ଗଡ଼ୀ ସୁଖରେ ରହିବ ।

ତୋ ଧର୍ମ ସାହୁକାର–

ସାହୁକାର କହିଲେ, ତେବେ ପଟ୍ଟନାଏକେ, ପଦ୍ଦୁଟା ପଢ଼ି ଶୁଣେଇଁ ଦିଅ । ତା’ର ଓ ସାକ୍ଷୀମାନଙ୍କର ବୋଟ (ଟିପ) ନିଅ, ମୁଁ ଟଙ୍କା କାଢ଼େ ।

ଗୁରୁମୂର୍ତ୍ତି ବାକ୍‌ସ ଖୋଲି ଆଞ୍ଜୁଳାଏ ଟଙ୍କା ଆଣି ସତରଞ୍ଜି ଉପରେ ଗଦାଇ ଗଣିବାକୁ ଲାଗିଲେ । ପଟ୍ଟନାଏକ ଚଷମା ନାକ ଉପରକୁ ଖସାଇ ପଦ୍ଦୁ ପଢ଼ିଲେ–

ଲିଖିତଂ ପଦ୍ଦୁ ସାରକା ପେଙ୍ଗୁ-ପୁତ୍ର-ଜଣାନାହିଁ-ସା: ପୁଗି, ବଡ଼ଗୁଡ଼ା ମୁଠା, ଅଦ୍ୟ ଅପ୍ରେଲ ମାସ ୨୬ ତାରିଖ ୧୯୩୯ ସାଲ, ଏହିକି ଯେ–

ଆଜି ସ୍ଥିର ମନ, ଧୀର ଚିତ୍ତ, ହୃଦକମଳ ଦୋରସ୍ତ ଥାଇ, କାହାର ଶିକ୍ଷାରେ ନ ପଡ଼ି, ନିଜ ସ୍ୱଇଚ୍ଛାରେ ଆମ୍ଭ ସାରକା ପେଙ୍ଗୁ, କନ୍ଧ, ପୁତ୍ର ଅଜଣା, ଗ୍ରାମ ପୁଗି, ବଡ଼ଗୁଡ଼ା ମୁଠା, ବିଷମକଟକ ପୋଲିସ, ଏ ପର୍ଦ୍ଦ ସାହୁକାର କେ. ଗୁରୁମୂର୍ତ୍ତି-ଗ୍ରାମ ବଡ଼ଗୁଡ଼ା, ମୁଠା ବଡ଼ଗୁଡ଼ା, ପୋଲିସ ବିଷକମଟକଙ୍କୁ ଏ କାରଣ ଲେଖିଦେଲ ଯେ ଆମ୍ଭର ବିଭାଘର ନିମନ୍ତେ ଝୋଲା-ଟଙ୍କା ଓ ଅନ୍ୟାନ୍ୟ ଆବଶ୍ୟକୀୟ ଖରଚ ପାଇଁ ଟଙ୍କା ଲୋଡ଼ାଥିବାରୁ, ନିମ୍ନ ସ୍ୱାକ୍ଷରକାରୀ ସାକ୍ଷୀମାନଙ୍କ ଆଗରେ ସାହୁକାର ଗୁରୁମୂର୍ତ୍ତିଙ୍କଠାରୁ ଷାଠିଏ ଟଙ୍କା ନଗଦ କରଜ ସୂତ୍ରେ ଗଣି ନେଇ ଏକରାର କରୁଅଛୁଁ କି, ଆମ୍ଭେ ଉକ୍ତ ସାହୁକାରଙ୍କ ଘରେ ଖମ୍ବାରି ହୋଇ ରହିବୁ; ସେ ଯେଉଁ କାର୍ଯ୍ୟ କରିବାକୁ କହିବେ ଆମ୍ଭେ ଅବଶ୍ୟ ତାହା କରିବୁ, ତାଙ୍କର ଅବାଧ୍ୟ ନ ହେବୁ ଓ ତୁମ୍ଭେ ସାହୁକାର ଆମ୍ଭର ଭରଣପୋଷଣ ନିମନ୍ତେ ପ୍ରତି ମାସକୁ ପନ୍ଦର ମାଣ ଧାନ ଦେବାକୁ ବାଧ୍ୟ ରହିବ, ଲୁଣ ଓ ଲଙ୍କାମରିଚ ପାଇଁ ଆଠଅଣା ପଇସା ଦେବ, ଲୁଗାପଟା ପାଇଁ ବର୍ଷକୁ ତିନି ଟଙ୍କା ଦେବ, ପ୍ରତିବର୍ଷ ଶେଷରେ ଆମ୍ଭର କରଜ ଟଙ୍କା ବାବଦକୁ ଦଶ ଟଙ୍କା ସୁଝାଣ ନେବ ଏବଂ ଆମ୍ଭେ ଏହି ସର୍ତ୍ତରେ, ତୁମ୍ଭେ ସାହୁକାରଙ୍କ ପାଖେ ଛଅ ବର୍ଷ ଯାଏ ଖମ୍ବାରି କାର୍ଯ୍ୟକରିବାକୁ ବାଧ୍ୟ ରହିଲୁ ଏବଂ ଏହି ସମୟ ମଧ୍ୟରେ ତୁମ୍ଭର କାର୍ଯ୍ୟ ଛାଡ଼ି, ଟଙ୍କା ସୁଝାଣ ନ ହେବା ଯାଏ ଅନ୍ୟ କାହାର କାର୍ଯ୍ୟ ନ କରିବୁଁ ଓ ତୁମ୍ଭର କାର୍ଯ୍ୟରେ କୌଣସି ଦିନ ତୁମ୍ଭର ବିନା ଆଦେଶରେ, ବିନା, ଛୁଟିରେ ଅନୁପସ୍ଥିତ ନ ହେବୁ–ହେଲେ କ୍ଷତିପୂରଣ ଦେବୁ ।

ପେଙ୍ଗୁ ପଦ୍ଦୁ ଶୁଣିଲା । ଗୁରୁମୂର୍ତ୍ତି ଦଶ ଟଙ୍କା କରି ଛଅ ଥାକ ଟଙ୍କା ଗଣି ରଖିଲେ । କହିଲେ, ନେ ପେଙ୍ଗୁ, ଏ ପଦ୍ଦୁରେ ଟିପଚିହ୍ନ ଦେଇ ଟଙ୍କା ନେଇ ଚାଲିଯା ।

ପେଙ୍ଗୁ ଖୁସି ହୋଇ ଟିପଚିହ୍ନ ଦେଲା । ଦୁଇଜଣ ଡମ୍ବ ସ୍ୱାକ୍ଷର କଲେ । ଶେଷକୁ ସିପି ଗାଁର ମୋସାକା ବାୟା କନ୍ଧ ଟିପଚିହ୍ନ ଦେଇ ସାକ୍ଷୀ ପଡ଼ିଲା । ପେଙ୍ଗୁର ଅଣ୍ଟିରେ ଗୁରୁମୂର୍ତ୍ତି ଟଙ୍କା ଅଜାଡ଼ି ଦେଲେ ।

ଗୁରୁମୂର୍ତ୍ତି କହିଲେ, ପଦ୍ଦୁଲେଖା ପାଉଣା ଦୁଇ ଟଙ୍କା କରଣକୁ ଦେ ।

ଆପତ୍ତି ନ କରି ପେଙ୍ଗୁ କରଣକୁ ଦୁଇଟଙ୍କା ଦେଲା ।

ସାକ୍ଷୀପଡ଼ିଥିବା ଡମ୍ବମାନେ କହିଲେ, ଆମ ପାଉଣା ସାହୁକାର ?

ଗୁରୁମୂର୍ତ୍ତି ପୁଣି କହିଲେ, ଦେ’ରେ ପେଙ୍ଗୁ, ଟଙ୍କାଏ ଟଙ୍କାଏ, ସେମାନେ ତୋ’ ସାକ୍ଷୀ ।

ପେଙ୍ଗୁ ଥା ଥା ମା ମା ହୋଇ ଡମ୍ବ ଦୁହିଁଙ୍କୁ ଦୁଇଟଙ୍କା ଦେଲା । ବାୟା କନ୍ଧକୁ ଟଙ୍କାଏ ଯାଚିଲା । ବାୟା ଟଙ୍କା ନ ନେଇ ସାହୁକାରକୁ କହିଲା, ଦେ ସାହୁକାର, ପଦ୍ଦୁ ଲେଖିଦେ । ମୁଁ ଟିପଚିହ୍ନ ଦେଇ ତିନିକୋଡ଼ି ଟଙ୍କା ନେବି । ତୋ’ର ଖମ୍ବାରି ହେବି ସାହୁକାର ।

ଗୁରୁମୂର୍ତ୍ତି କହିଲେ, ଆରେ ବାୟା, ବନ୍ଧା ଦେବାକୁ ତୋ’ର ଭୂମି ପଦର କିଛି ନାହିଁ । ତୋ ଘର ଭଙ୍ଗା । ମୁଁ ଖବର ପାଇଲି, ଭେଡ଼ିକା ତା’ ଝିଅକୁ ନୋକା ନାଇକର ପୁଅକୁ ଦେବାକୁ ଠିକ୍ କରିଛି । ତୁ ତା’ ଝିଅକୁ ଘିଚି ନେଲେ ସେମାନେ ତତେ ଗାଁରେ ରଖେଇ ଦେବେ ନାହିଁ ।

ଆମ କୁଳରେ ଅଛି, ଝିକି ନେଇ ବାହା ହେବା ।

ପଟ୍ଟନାଏକ କହିଲେ, ତିନିଦିନ ହେଲା ତୁ ଆସି ସେଇ କଥା କହୁଚୁ । ସାହୁକାରଠାରୁ ଟଙ୍କା ନେଇ, ଖମ୍ବାରି ନ ହେଇ, ତୁ ଯଦି ତୋ କନିଆକୁ ନେଇ କୁଆଡ଼େ ପଳାଇ ଯାଉ, ସାହୁକାର ତତେ କେଉଁଠି ଯାଇ ଖୋଜିବ ?

କୁଆଡ଼େ ଯିବି ନାହିଁ ପଟ୍ଟନାଏକ, ସାହୁକାର ଯାହା କହିବ କରିବି । ଖମ୍ବାରି ହେଇ ରହିବି । ତତେ ପାଞ୍ଚଟଙ୍କା ଲେଖେଇ ଦେବି । ତୁଇ ପଦ୍ଦୁ ଲେଖିଦେ, ମୁଁ ବୋଟ ଦେବି, ଟଙ୍କା ନେବି-

ଗୁରୁମୂର୍ତ୍ତି ବାକ୍ସ ବନ୍ଦ କରି ଡାକିଲେ, ଲଚ୍ଛମ୍ମା–

ଆଜ୍ଞା–

ଦଶ ବର୍ଷର ଝିଅଟିଏ ଘରଭିତରୁ ବାହାରି ଆସିଲା । ଅନ୍ଧାର ରାତିଠୁଁ ବଳିକଳା ମିଚି ମିଚି ଝିଅ । ନାଲି ରଙ୍ଗର ଦାମିକା ଶାଢ଼ୀ ପିନ୍ଧିଛି । ସର୍ବାଙ୍ଗରେ ସୁନା ଗହଣା । ସେ ସାହୁକାରଙ୍କର ଗେଲବସର ଝିଅ ।

ବାକ୍‌ସ ନେ ମା’–

ଝିଅଟି ବାକ୍‌ସ ଉଠାଇ ଚାଲିଗଲା ଭିତରକୁ । ଗୁରୁମୂର୍ତ୍ତି କାଗଜପତ୍ର ସଜାଡ଼ିଲେ । ପଟ୍ଟନାଏକ ଚଷମା ଖୋଳରେ ରଖିଲେ । କାନରେ କଲମ ଖୋସିଲେ ।

ବାୟା କହିଲା, ଦୟାକର ସାହୁକାର, ଧର୍ମ କର । ତୋ’ର ଦଶବରଷ ଖମ୍ବାରି ରହିବି । ତିନିକୋଡ଼ି ଦେ ।

ଗୁରୁମୂର୍ତ୍ତି କାଗଜପତ୍ର ଧରି ଉଠିଲେ । କହିଲେ, ଆରେ ବାୟା, ତୋ’ପରି ଘରଦ୍ୱାର, ଜମିବାଡ଼ି ନ ଥିଲା ଲୋକକୁ ଟଙ୍କା ଦେଇ ମୋ’ର ୩୦୦ ବୁଡ଼ିଲା । ପଦ୍ଦୁଗୁଡ଼ା ପାଖେର ରଖିଛି । ଖମ୍ବାରି ଗୁଡ଼ା ଆସାମ ଚା’ ବଗିଚାରେ କାମ କରୁଛନ୍ତି । ଆଉ ମୁଁ ଦୁର୍ବୁଦ୍ଧି କରି ତୋ ପରିକା ଲୋକଙ୍କୁ ଟଙ୍କା ନ ଦିଏଁ । କେବଠୁ କାନମୋଡ଼ି ହେଇଛି ।

ଗୁରୁମୂର୍ତ୍ତି ମୁଣ୍ଡ ହଲାଇ, ନାହିଁକରି ଘରେ ପଶିଲେ ।

ପଟ୍ଟନାଏକ ଉପଦେଶ ଦେଲେ, ହେ, ବାୟା, ତୁ ଯା, ଶୁଣ୍ଢି ସାହୁକାର ଦେଖ ।

ପଟ୍ଟନାଏକ ଓ ତାଙ୍କ ପଛେ ଅନ୍ୟମାନେ ଚାଲିଗଲେ । ବାୟା ହତାଶ ହୋଇ ଠିଆହୋଇ ଚାରିଆଡ଼କୁ ଚାହିଁ ମୁଣ୍ଡ ଆଉଁସିଲା । ସୁନାର ରୂପ ଉଭା ହେଲା ଆଖି ଆଗରେ । ସୁନାର କଥା କାନରେ ବାଜିଲା ସତେକି - ଯିବାରେ ବାୟା ନିମଗିରି ପାହାଡ଼ ମାଳକୁ । କେହି ଦେଖିବେ ନାହିଁ, କେହି ଜାଣିବେ ନାହିଁ । ସେଇଠି ରହିବା । ବାୟା ଦୀର୍ଘଶ୍ୱାସ ଛାଡ଼ିଲା ।

କିନାମ ଗାଁର ଡମ୍ବ ସାହି । ହିଆଲ ବୁଦ୍ଧି ଡମ୍ବର ଘର ସାହି ମଝିରେ । ସଞ୍ଜ ହୋଇ ଆସୁଛି । ବୁଦ୍ଧି ଗମ୍ଭୀର ହୋଇ ବସିଛି । ତା’ର ଗୋଟିଏ ପାଖରେ ବସିଚି ନାଗବଂଶ ଚଇତୁ ଡମ୍ବ ଓ ଆର ପାଖରେ ବସିଚି ବାଘବଂଶ ସୁକ୍ରୁ ଡମ୍ବ । ଚଇତୁ ଆଗରେ ଦଶ ବାରଟି ଟଙ୍କା ଥୁଆ ହୋଇଥାଏ ।

ଚଇତୁ କହିଲା, ମିଛ କହୁ ନାହିଁ ବୁଦ୍ଧିଆ ଭାଇ, ସୁକ୍ରୁଠୁ ବୁଝୁନୁ ।

ସୁକ୍ରୁ କହିଲା, ସତକଥା, ବୁଦ୍ଧିଆ ଭାଇ ! ପୁଙ୍ଗି କନ୍ଧ ଘରେ ଏଇ ବାରଟି ଟଙ୍କା ଥିଲା ।

ବୁଦ୍ଧି କହିଲା, ତେମେ ଦିହେଁ ଏକ ହୋଇ ମତେ ଚିତା କାଟିବାକୁ ବସିଚ, ନାଇଁରେ ? ମତେ ଚିହ୍ନିଚଟି ? ତମ ଦିଜଣଙ୍କ ଚୁଟି ମୋ ହାତରେ, ଏ କଥା ମନେରଖିଥା । କୋମଲା ପେଟାର ତେଲି ମହାଜନର ଗାଈ ଚୋରାଇ ଡୋଙ୍ଗର ଭିତରେ ମାରି ଖାଇଲ । କେଶ୍ ହେଲା । କିଏ ବଞ୍ଚାଇଲା ତମକୁ ?

ଚଇତୁ କହିଲା, ତୋ ଋଣ ସୁଝିପାରିବୁ ନାହିଁ । ତୁଇ ବୁଦ୍ଧି ଦେଲୁ ବୋଲି ସିନା ଉଲ୍‍କା ମଙ୍ଗଳୁର ସଙ୍ଘା ଉପରେ ଗାଈ ମୁଣ୍ଡ ଆଉ ଗୋଡ଼ ଥୋଇଦେଇ ଆସିଲି । ମଙ୍ଗୁଳୁ କି ତା ମା’ ନ ଥିଲେ । ପୋଲିସି ଧଇଲା ତାକୁ । ତୁଇ କହିଲାକୁ ସିନା କୋଟ-ଘରେ ଆମେ ଦିହେଁ ହଲପ ନେଇ କହିଲୁଁ, ମଙ୍ଗୁଳୁ ଗାଈ ମାରିବାଟା ଦେଖିଚୁଁ । ସୁକ୍ରୁ କହିଲା, ଆଉ ବୁଦ୍ଧି ଭାଇ ବି କହିଥିଲା ତ, ମଙ୍ଗୁଳୁ ତେଲିର ଗାଈ ମାରି ମାଂସ ଟିକେ ଦେଇଥିଲା । ସେ ନ କହିଥିଲେ କ’ଣ କୋଟ-ଘର ବିଶ୍ୱାସ କରି ଥାଆନ୍ତେ ନା ମଙ୍ଗୁଳୁକୁ ଛଅ ମାସ ଶିକ୍ଷା କରେଇ ଥାନ୍ତେ ?

ବୁଦ୍ଧି କହିଲା, ମତେ ରାଣ ଅଛି । ଆଚ୍ଛା, ତୁ ନିଜେ ହିସାବ କର । ପୁଙ୍ଗି କନ୍ଧ ଗୁରୁମୂର୍ତ୍ତି ସାହୁକାରଠୁ ତିନି କୋଡ଼ି ଆଣିଲା । ସଙ୍ଗେ ସଙ୍ଗେ କରଣକୁ ଦି ଟଙ୍କା, ଆମ ଦିହିଙ୍କି ଦି ଟଙ୍କା ଦେଲା-। ଘରକୁ ନ ଫେରି ସିଧା ସିଧା ନାଇକ ଘରକୁ ଯାଇ ଗୋଟାଏ ଗାଈ କିଣିବାକୁ କୋଡ଼ିଏ ଟଙ୍କା ଦେଇ ଆସିଲା ବାହାଘର ଦିନ ଗାଁ ଲୋକେ ଖାଇବେ । ପୁଲକିର ମାଆକୁ ଝୋଲା ଟଙ୍କା ଦେଲା କୋଡ଼ିଏ ଏକ । ଆଉ କ’ଣ ଖରଚ କଲା ମୁଁ ଜାଣେ ନାହିଁ । ଏତକ ଟଙ୍କା ଗାତ ଖୋଳି ଘର ମଝିରେ ପୋତିଥିଲା । ଆଜି ଖରାବେଳେ ମଦ ଖାଇବାକୁ ସୁକ୍ରୁ ତାକୁ ଡାକି ନେଇଗଲା । ମୁଁ ବାରି ତାଟି ଖୋଲି ଘର ଖୋଳି ଏତିକି ଟଙ୍କା ପାଇଲି । ଗାତଟାକୁ ବୁଜି ଦେଇ ଆସିଛି ନୋହିଲେ ସେ ଜାଣିବେ ଯେ– ।

ବୁଦ୍ଧି ମନେ ମନେ ହିସାବ କରି କହିଲା, ହଁ ହେଲା ।

ସେ ଟଙ୍କାକୁ ସମାନ ତିନି ବାଣ୍ଟ କରି କହିଲା, ନେ ସୁକ୍ରୁ, ନେ ଚଇତୁ– ।

ତିନିହେଁ ଅଣ୍ଟାରେ ଟଙ୍କା ଖୋସିଲେ ।

ବୁଦ୍ଧି ଚିନ୍ତିତ ହୋଇ ମୁଣ୍ଡ ହଲାଇ କହିଲା, ନାହିଁ ନାହିଁ କରୁଥିଲା, କେତେ କଷ୍ଟରେ ବୁଝାସୁଝା କରି ବାୟା କନ୍ଧକୁ କୁମୁଟି ସାହୁକାର ପାଖକୁ ପଠେଇ ଥିଲି ।

ଚଇତୁ କହିଲା, ତା’ର ଘର ନାହିଁ, ବାପ ମା’ କେହି ନାହାନ୍ତି ବୋଲି ସାହୁକାର ଟଙ୍କା ଦେଲା ନାହିଁ ।

ସୁକ୍ରୁ କହିଲା, ଯଦି ସାହୁକାର ଟଙ୍କା ଦେଇଥାନ୍ତା, ବାୟା ଯେଉଁଠି ରଖିଥିଲେ ବି ମୁଁ ନିଶ୍ଚୟ ସେତକ ହାତ କରି ତୋ ଆଗରେ ଥୋଇଦେଇ ଥାନ୍ତି ।

ବୁଦ୍ଧି ଦୁଃଖିତ ହୋଇ କହିଲା, ହୁଁ ସବୁ ବିଗିଡ଼ିଗଲା ।

ବୁଦ୍ଧି ଚିନ୍ତା କଲା । ତା’ର ମୁହଁ ଉଜଳି ଆସିଲା । ତୁନି ତୁନି କରି କହିଲା, ହଇରେ ଚଇତୁ, ନେମାଳିପୁର ବନମାଳୀ ଶୁଣ୍ଢି ସାହୁକାର ଘରେ ତେମେ ଦିଦେଁ ଖମ୍ବାରି ଅଛ ପରା ?

ଚଇତୁ କହିଲା ହଁ, ବନମାଳୀ ସାହୁକାର ତା’ ଘରେ ବିଷମକଟକରେ ଥାଉଚି । ଦାକାଲଗୁଡ଼ା ଗାଁରେ ତା’ର ଚାଷଘର ଅଛି । ମୁଁ ଆଉ ସୁକ୍ରୁ ଦାକାଲଗୁଡ଼ାରେ ରହୁଁ । ସେଇଠି ତା’ର କାମ କରୁଁ । ରାତିରେ ବି ତା’ ଘର ଜଗିବାକୁ ସେଇଠି ରହୁଁ । ସାହୁକାର ଏକୁଟିଆ ଲୋକ । ସେ ବିଷମକଟକରେ ରହିଲେ ତା’ ଶଳା ଦାକାଲଗୁଡ଼ାରେ ରହେ । ସେ ଦାକାଲଗୁଡ଼ା ଆସିଲେ, ତା’ ଶଳା ଗୋବିନ୍ଦ ବିଷମକଟକରେ ରହେ ।

ଗୋବିନ୍ଦ ମଦ ଖାଏ ? ବୁଦ୍ଧି ପଚାରିଲା ।

ସୁକ୍ରୁ କହିଲା, ଆରେ ବୁଦ୍ଧି ଭାଇ, ତା’ କଥା କାହିଁକି କହୁଚୁ ? ଢାଳୁଥା କେତେ ଢାଳୁଚୁ । ଖାଏ ତ ଖାଏ, ମଦରେ ଗାଧେଇପଡ଼େ । କେତେ ଭୂମି ବାଡ଼ି ତା’ର ଥିଲା ତୁ ଜାଣୁ ? ମଦପାଣିରେ ସବୁ ଶେଷ କରିଦେଲା । ଏବେ ବନମାଳୀ ଦେଲା ଭାତ ଖାଉଛି । କ’ଣ କରିବ ? ବନମାଳୀ ସାହୁକାରର ମାମୁଁର ପୁଅ ଭାଇଟା, ପୁଣି ଶଳା ହେଲା । ସାହୁକାର କିଛି କହେ ନାହିଁ ।

ଦାକାଲଗୁଡ଼ାରେ ଅଛି କିଏ ? ବୁଦ୍ଧି ଆଗ୍ରହରେ ପଚାରିଲା ।

ଚଇତୁ କହିଲା, ବନମାଳୀ ସାହୁକାର ପିଲାକୁଟୁମ୍ବ ନେଇ ଦଶଦିନ ହେବ ଥିଲା । ଧାନ ମୁଗ ବିକ୍ରି କରୁଥିଲା । କାଲି ତା’ ପିଲାଙ୍କୁ ଗୋବିନ୍ଦ ବିଷମକଟକରେ ଛାଡ଼ି ଆସିଛି । ରାତି ପାଇଲେ ସକାଳୁ ବନମାଳୀ ରାୟଗଡ଼ା ଯିବ–ଗୋବିନ୍ଦ ରହିବ ।

ବୁଦ୍ଧି ଚିନ୍ତାକରି, ତୁନି ତୁନି କହିଲା, ସବୁ ଟଙ୍କା ନେଇଯାଇଚି ଚଇତୁ ? ଘରେ ଜିନିଷପତ୍ର କିଛି ରଖିଯାଇ ନାହିଁ ।

ଚଇତୁ କହିଲା, କେମିତି ଜାଣିବି ? ମାଇପର ଲୁଗାପଟା ଗୋଟେ ପେଡ଼ିରେ ରଖିଛି । କୁଞ୍ଚି ଦେଇଛି, ଘରେ ମିଶା (ମଧ୍ୟ) ତାଲା ଦେଇଛି । ସେଇ ପେଡ଼ିରେ ଯଦି ଟଙ୍କା ଥିବ ତ–

ବୁଦ୍ଧି ପଚାରିଲା, କୁଞ୍ଚି ଗୋବିନ୍ଦକୁ ଦେଇଛି ?

ଚଇତୁ କହିଲା, ମୁଁ ଜାଣେ ନା । ସାହୁକାର ତିନିଦିନ ରାୟଗଡ଼ାରେ ରହି ଫେରିବ । ସେ ଚାବିନେଇ ଯାଇଥିବ । ଗୋବିନ୍ଦ ପଦାଘରେ ଗୁହାଳ ପାଖରେ ରହୁଛି ।

କେତେ ହଳ ରଖିଛିରେ ?

ଚାରିହଳ ଗାଈ ବଳଦ, ତିନିହଳ ପୁଢ଼ ।

ବୁଦ୍ଧି ଏଣିକି ତେଣିକି ଚାହିଁ ତୁନି ତୁନି କରି କହିଲା, କାଲି ସଞ୍ଜ ଆଗରୁ ଗୋବିନ୍ଦକୁ ପେଟେ ମଦ ଖୋଇଦେଇ ତୁମେ ଦିହେଁ ବିଷମକଟକ ଚାଲିଯିବ । ସାହୁକାର ମାଇପକୁ କହିବ, ମା’, ତେମେ ଏକା ଅଛ ବୋଲି ଗୋବିନ୍ଦ ବାବୁ ନିଜେ ରହି ଆମକୁ ପଠେଇଲେ । ସାହୁକାର ଆସିଲେ ଆମେ ଯିବୁ ।

ସେ ଯଦି ରାଜି ନ ହୁଅନ୍ତି ?

ହେବେରେ ହେବେ । ଆଜି ରାତିରେ ବିଷମକଟକରେ, ରାତି ଅଧରେ ତାଙ୍କର କବାଟ ଖଡ଼ ଖଡ଼ ହେବ । ‘ଚୋର ଚୋର’ ବୋଲି ଡାକ ପଡ଼ିବ । କାଲି ଗୋବିନ୍ଦ ବାବୁଙ୍କ ପାଖକୁ ଖବର ଆସିବ । ସେ କ’ଣ ମଦପାଣି ଛାଡ଼ି ଯିବକି? ତମୁକୁ ପଠେଇବ । ଯିବନା– ?

ଚଇତୁ କହିଲା, ତତେ ଦଣ୍ଡବତ ଭାଇ ।

ସୁକ୍ରୁ କହିଲା, ତୋ ଗୋଡ଼ଟା ମୋ ମୁଣ୍ଡରେ ରଖିଲୁ ଆଗ–

ସେ ବୁଦ୍ଧିର ଗୋଡ଼ ଟାଣିଲା ।

ବୁଦ୍ଧି ଗୋଡ଼ ଟାଣିନେଇ କହିଲା, ଆରେ ରହ, ମୁଁ ଆଗରୁ ସବୁ ବରାଦ କରିଛି । ହଁ, ଶୁଣ, ସଞ୍ଜରୁ ସକାଳ ଯାଏ ଘର ଚାରିପାଖେ ପହରା ଦେଇ ପାଟି କରୁଥିବ । ଏକୁଟିଆ ରହିବ ନାହିଁ । ଆଉ ଦି ଚାରିଜଣ ଖମ୍ଭାରିଙ୍କୁ ସାଥିରେ ରଖିବ ।

ଚଇତୁ ପଚାରିଲା, ଆମର ଭାଗ କ’ଣ ?

ସୁକ୍ରୁ କହିଲା, ସେ କଥାଟି କହ–

ବୁଦ୍ଧିଆ କହିଲା, ଯାହା ମିଳିବ ଅଧେ ଅଧେ ବାଣ୍ଟିବା ।

ଘର ଆଗରୁ କିଏ ଜଣେ ଡାକ ଛାଡ଼ିଲା, ହେ ବୁଦ୍ଧିଆ–

ବୁଦ୍ଧିଆ ବୁଝିଲା, ବାୟା କନ୍ଧ ତାକୁ ଡାକୁଛି । ସେ କହିଲା, ହେ ଚଇତୁ, ହେ ସୁକ୍ରୁ, ବାୟା କନ୍ଧ କାହିଁକି ଆସିଲାଣି । ତମେ ଦିହେଁ ବାରିବାଟେ ଚାଲିଯାଅ । ଯାଅ, ଯାଅ, ଜଲଦି । ମୁଁ ଯେମିତି କହିଲି, ତେମେ ଏକା ସେମିତି କରିବ । ଦେଖ, ଯଦି ମୋ ସେଙ୍ଗ ଖେଳିବାକୁ ବସିବ, ତା’ର ପ୍ରଭାବ ପାଇବଟି କହୁଛି ।

ଚଇତୁ ଓ ସୁକ୍ରୁ ତରବର ହୋଇ ବାରିବାଟେ ଚାଲିଗଲେ ।

ବୁଦ୍ଧି ଡମ୍ବ ନିଜେ ନିଜକୁ ସଜାଇଲା । କାମିଜ ପିନ୍ଧି ମୁଣ୍ଡରେ ପାନିଆ ମାରିଲା । ଲମ୍ବ କଳା ମିଚିମିଚି ନିଶରେ ଆଙ୍ଗୁଠି ସାଉଁଳି ଉଠିଲା । ହସି ହସିକା ଜବାବ ଦେଲା, ଆରେ ବାୟା ପାଟି ପରି ଶୁଭୁଛି ତ ! ଆସୁନୁ ଭିତରକୁ ।

ବାୟା ଭିତରକୁ ଆସିଲା ।

ମୁଁ ତ ବାହାରିଥିଲି ତୋ ଘରକୁରେ ବାୟା । କାଳେ ତୁ ସାହୁକାର ଘରୁ ଫେରୁ ନ ଥିବୁ ବୋଲି ଡେରି କରୁଥିଲି । ସଞ୍ଜ ହୋଇ ଆସିଲାଣି, ବସି ଯା ଟିକେ ।

ସାହୁକାର ଟଙ୍କା ଦେବାକୁ ମନାକଲାରେ ବୁଦ୍ଧିଆ ।

ମନାକଲା ? କ’ଣ କହିଲା ? ଠିଆା ହୋଇ ରହିଲୁ ଯେ– ।

ବାହାରେ ଫିକାଳିଆ ଜହ୍ନଆଲୁଅ । ଘର ଭିତର ଅନ୍ଧାରିଆ । ଆପତ୍ତି ନ କରି ବାୟା ବସିଲା । ବୁଦ୍ଧି ଆରଘରୁ ଆଲୁଅ ଆଣି ପାଖରେ ରଖିଲା । କହିଲା, ଏଥିକି ମନଦୁଃଖ କରୁଛୁ କାହିଁକି ?

ବାୟା କହିଲା, ଗୁରୁମୂର୍ତ୍ତି ସାହୁକାର କହିଲା, ମୋ’ର ଭୂମିବାଡ଼ି ନାହିଁ, ପୁଣି ନାଇକର ପୁଅ ମାଗତା ସୁନାକୁ ବାହା ହେବ । ସେଥିପାଇଁ ସେ ମତେ ଟଙ୍କା ଦେଲା ନାହିଁ । କହିଲା, ମୁଁ ଧାଙ୍ଗଡ଼ୀ ଧରି କୁଆଡ଼େ ପଳେଇବି ।

ସୁନାକୁ କହିଲୁ କି ?

ନାଇଁ, ସାହୁକାର ଘରୁ ଫେରି ଦେଖିଲି, ସୁନା ମୋ ଘର ପାଖ ପଥର ଉପରେ ବସିଛି । ସେ ମତେ ଦେଖି ନାହିଁ । କଅଣ ତାକୁ କହିବି? ମୁଁ ତାକୁ ଦେଖା ନ ଦେଇ ଲୁଚିକରି ଜଙ୍ଗଲ ଆଡ଼େ ପଳେଇଗଲି । ସଞ୍ଜ ହେଲାରୁ ତୋ ପାଖକୁ କହିବାକୁ ଆସିଲି ।

ବୁଦ୍ଧି ଚିନ୍ତିତ ହେଲା ।

ଟିକିଏ ରହି ବାୟା ହତାଶ କଣ୍ଠରେ ପୁଣି କହିଲା - ନାଇଁରେ ବୁଦ୍ଧି ଭାଇ, ସୁନା ମାଗତାକୁ ବାହାହେଉ । ମୋ’ର ଏ ଗାଁରେ କ’ଣ ଅଛି, କିଏ ବା ଅଛି ? ସୁନା ସଙ୍ଗେ ଦେଖାହେଲେ ସେ କହିବ, ଚାଲ ପଳାଇବା ନିମଗିରି ପାହାଡ଼ ଉପରକୁ । ସେ କହିଲେ ମୁଇଁ ନାଇଁ କରିପାରିବିକି ?

ଉଁ ହୁଁ–

ତାକୁ ନେବି କ’ଣ ବାଘ ଭାଲୁ ଖୋଇବାକୁ ? ସବୁଦିନେ ବାଟରୁ ବାଘ ମଣିଷ ଟାଣି ନେଉଛି । ମୋ’ର ଲାଗି ତାକୁ ବାଘ ଖାଇବ ?

ସତେ ବାୟା, ସବୁଆଡ଼େ ବାଘ ଖାଉଛି । ଲୁକିଲୁକି ଆସି ପଛରୁ ଲାତ୍ ମାରି ବେଟି (ଗୋଟେଇ) ନେଇ ପଳଉଛି । ଜାଣିଲେନା କାଣ୍ଡ ମାରିବୁ କି ଟାଙ୍ଗି ଧରି ଲଢ଼ିବୁ ! ଆଉ ସେ ବାଘ କି ଠାକୁରାଣୀ ସେ କଥା କିଏ କହିବ ?

ବୁଦ୍ଧି ଭାଇ–

କ’ଣରେ ?

ପଳେଇବି ଏ ଗାଁରୁ ।

କୁଆଡ଼େ– ?

କୋରାପୁଟ । ସେଠୁ ସାହାବ ଲୋକ ନେଇ ଆସାମ ପଠାଉଛି । ମୁଇଁ ଯିବି । ଏ ଗାଁରେ ରହିବି ନାହିଁ । ସୁନା ହେବ ମାଗତାର ମାଇପ । ମୁଁ କହିଲି, ହେ ସୁନା, ମୁଁ ତୋ’ର ଖମ୍ବାରି ରହିବି । ସୁନା କହିଲା, ମତେ କ’ଣ ଖମ୍ବାରି ରଖିବାକୁ ଲୋକ ମିଳିବ ନାହିଁ ? ସତକଥା ବୁଦ୍ଧି ଭାଇ-

ଆାରେ ବାୟା, ଆସାମ ବହୁତ ଦୂରରେ । ଯେ ଯାଏ ସେ ଆଉ ଫେରେ କି ? କେତେ ଲୋକ ତ ଗଲେଣି–କିଏ ଫେରିଚି କହିଲୁ ?

ମୁଁ ବି ଫେରିବି ନାହିଁ ।

ହସି ହସି ବୁଦ୍ଧି ବାୟାର ହାତ ଧରଲା, କହିଲା–ସତେ ତୁଇ ବାୟାଟେରେ । ମୋ କଥା କରିବୁ ? ଦେଖ, ଯଦି ଜାକରା ଠାକୁରାଣୀ ମନକରିବ, ତୋ’ର ଅଭାବ ହେବ ନାହିଁ । ଭାରି ସହଜ-। ମୁଁ ଜବାବ୍ ଦେଉଛି, ସୁନା ତୋ’ର ହେବ । ଝୋଲା ଟଙ୍କା, ଲୋକଙ୍କୁ ଖାଇବାକୁ ଟଙ୍କା, ଗାଈ, ତୋ’ର ଯାହା ଲୋଡ଼ା ସବୁ ମିଳିବ । ପାରିବୁ ?

ବାୟା ଆଶ୍ଚର୍ଯ୍ୟ ହୋଇ ବୁଦ୍ଧିର ମୁହଁକୁ ଚାହିଁ ରହିଲା ।

ଶୁଣ୍– ।

ବାୟାର କାନ ପାଖକୁ ମୁହଁ ନେଇ ବୁଦ୍ଧି କେତେ କ’ଣ କହିଲା । ବାୟାର ଧୈର୍ଯ୍ୟ ଭାଙ୍ଗିଲା । ସେ ଭୟରେ ଚାରିଆଡ଼କୁ ଆବା କାବାହୋଇ ଚାହିଁ ହଠାତ୍‌ ଚମକି ଉଠିଲା ପରି କହିଲା ନାଇଁ, ନାଇଁ ବୁଦ୍ଧିଭାଇ, ମୁଁ ପାରିବି ନାଇଁ । ମୁଁ କନ୍ଧପିଲା । ଖମ୍ବାରି ହୋଇ ବଞ୍ଚିବି । କୁଲିନାଲି କରିବି । ବଣଜଙ୍ଗଲରେ ବୁଲି ଶିକାର କରିବି । ଝୋଲା କୂଳରୁ କନ୍ଦା ଖୋଳି ଖାଇବି । ମୁଁ–ମୁଁ–ଚୋରି କରିବି ନାହିଁ । ସୁନାକୁ ମୁଁ ଚାହେଁ ନାହିଁ ବୁଦ୍ଧିଭାଇ, ସେ ମାଗତା ଘରକୁ ଯାଉ ।

ହାଃ, ହାଃ – ଆରେ, ସୁନାକୁ ସିନା ତୁ ଚାହୁଁ ନାହୁଁ, ସେ ତତେ ଚାହେଁ, ମାଗତାକୁ ଚାହେଁ ନାହିଁ । ମାଗତା ଘରକୁ ଗଲେ ସେ ବଞ୍ଚିବ କି ? ମରିଯିବ । ହଁ, ଦେଖ, ତତେ ମୁଁ ଚୋରି କରିବାକୁ କହୁନାହିଁ ତ । ତୁ ମୋ’ର ସାଙ୍ଗରେ ଯିବୁ । ମୁଁ ସବୁ କରିବି । ଖାଲି ତୁ ମୋ ସାଙ୍ଗରେ ଥିବୁ, ବେଶ୍ । ଆରେ ବାୟା, ମୁଁ ଡମ୍ବଘର ପୁଅ ନା ? ଶିକ୍ଷା ଯିବାକୁ ମୋ’ର ଡର ଅଛି କି ? ଯଦି ପୁଲିସ୍ ଧରେ, ମୁଁ ତ ମାନିଯିବି, ଶିକ୍ଷା ଯିବି, ତୋ’ର କ’ଣ କିଏ କରିବ ?

ନାଇଁ, ନାଇଁ–

ତୋ’ର ଇଷ୍ଟ (ଇଛା) । ମୋ’ର ଟଙ୍କା କ’ଣ ହେବ ? ଯେଉଁଠି ବାହା ହେବାକୁ ମନହେବ, ଧାଙ୍ଗଡ଼ୀ ଘରେ ବରଷେ ଯାଇ ଗୋତି ହୋଇ ଖଟିବି । ତା’ପରେ ଧାଙ୍ଗଡ଼ୀ ଆଣିବି । ତୁଇ ମୋ’ର ପିଲାଦିନର ସାଙ୍ଗଟା । ସୁନାଟା ବି ଭଲପିଲା । ତମ ଦୁହିଁଙ୍କର ଭଲ ପାଇଁ ବର୍ଷେ କି ଦିବର୍ଷ ଶିକ୍ଷା ଗଲେ କି ସିଟାମ୍ (ସି: ଟି: ଏମ୍–ଅର୍ଥାତ୍‍ କ୍ରିମିନେଲ ଟ୍ରାଇବ୍ ମେମ୍ବର) ହୋଇ ପ୍ରତି ରାତିରେ ଥାନାରେ ଶୋଇଲେ ମୋ’ର ଡରନାହିଁ । ଯାହା ମିଳିବ ତତେ ମୁଁ ଅଧେ ଦେବି । ଖାଲି ତୁ ମୋ ସାଙ୍ଗରେ ଯିବୁ, ତୋ’ର କି ଡର ?

ଯଦି ଧରାପଡ଼ୁ ?

ମୁଇଁ ସିନା ଧରାପଡ଼ିବି, ତୋ’ର କିସ ହେବ ? ତୁ ଘର ପଛରେ ଗଛମୂଳେ ଲୁଚିଥିବୁ, ପଳେଇ ଆସିବୁ । ପାରିବୁ ନା ?ତୋ’ର ଭଲକୁ କହୁଚି । ଯାହା ମିଳିବ, ତୋ’ର ଅଧେ ମୋ’ର ଅଧେ । ଯିବୁ ? କାଲି ରାତିରେ ?

ଯିବି ।

ବୁଦ୍ଧି ବାୟାର ହାତ ଧରିଲା, କହିଲା, ବେଶ୍, ଏଥର ତୁ ନିଶ୍ଚିନ୍ତ ରହ । ମୁଁ କହି ଦେଉଚି, ସୁନା ତୋ’ର ହେବ । ଦେଖିବି, ମାଗତା କେମିତି ସୁନାକୁ ନେବ । ହଁ,–ଦେଖ୍, ବାୟା, ମନକଥା ମନରେ ଥିବ । କେହି ଯେପରି ନ ଜାଣନ୍ତି । କାହାକୁ କହିବୁ ନାହିଁ ।

ସୁନାକୁ ?

ନାଇଁ । ମାଇପିଲୋକ । ତାଙ୍କ ପେଟରେ କଥା ରହେ ନାହିଁ । ଆଚ୍ଛା, ତୁ ଏଥର ଯା–-। ଦେଖ୍–କାଲି ସଞ୍ଜବେଳେ ମୁଁ ତୋ ଘରକୁ ଯିବି । ତୁ ଥିବୁ ଏକା ।

ବାୟା ଧୀରେ ଧୀରେ ଚାଲି ଯାଉଁ ଯାଉଁ ପଛକୁ ଫେରି ଚାହିଁ କହିଲା, ଥିବି ।

ବାୟା ଚାଲିଗଲା । ବୁଦ୍ଧି ଠିଆହୋଇ ଏଣିକି ତେଣିକି ଚାହିଁଲା । ଉଚ୍ଚସ୍ୱରରେ ହସିଉଠି ମନକୁ ମନ କହି ହେଲା, ମୁଁ ଡମ୍ବପିଲା, ପର ମୁଣ୍ଡରେ ନଡ଼ିଆ ଭାଙ୍ଗେ । ଆରେ ବାୟା, ତୁ କନ୍ଧ ଅନ୍ଧ । ଚାହିଁଥିବୁ, କିଛି ଦେଖିବୁ ନାହିଁ ।

ଗେଡ଼୍‍ଡ଼ା (ନାଳ) କୂଳ । ଜଙ୍ଗଲ ଭିତର । ସମୟ ଅପରାହ୍ନ । ବାୟା ସୁନାର ହାତ ଧରି ଯାଉଁ ଯାଉଁ ଅଟକି ଗଲା । ଚାରି ଆଡ଼କୁ ତରଙ୍ଗ ତରଙ୍ଗ ହୋଇ ଚାହିଁଲା । କହିଲା, ଏଇଠି ଟିକେ ବସି ଦମ୍ ନେବା ସୁନା । ଦଉଡ଼ି ଆସି ତୁ ଥକି ପଡ଼ିଥିବୁ । ବସ୍ ।

ଦିହେଁ ଛାଇତଳ ଦେଖି ବସିଲେ । ସୁନା ବିହ୍ୱଳ ଆଖିରେ ବାୟାକୁ ଚାହିଁ ପଚାରିଲା, ତୋ ପିଠିରେ ଏତେ ମାଡ଼ ଦାଗ ବସିଛି ? ପୁଙ୍ଗିଟା ବଡ଼ ଦୁଷ୍ଟ । ପୁଲକିକି ବାହା ହେବ ବୋଲି ତା’ର ଗୋଡ଼ ତଳେ ପଡ଼ୁନାହିଁ । ତା’ର ଟଙ୍କା ଚୋରି ଗଲା । ଲୋକେ ପଚାରିବାରୁ କହୁଚି, ଯିଏ ନେଲା ତା ଧର୍ମ, ଠାକୁରାଣୀ ତାକୁ ଖାଇବ । ପୁଙ୍ଗି ପୁଣି ଯାଇ ସାହୁକାରଠୁ ଟଙ୍କା ଆଣିଚି । ସେଇ ଗୋଟାଏ ବାଡ଼ି ଧରି ତତେ ଆଉ ତୋ ସାଙ୍ଗ ଲୋକଙ୍କୁ ପିଟିଲାକି ? ତୁଇ ତାକୁ ପିଟିଲୁ ନାହିଁ ?

ସୁନାର ମୁଣ୍ଡଟିକୁ କାନ୍ଧକୁ ଆଉଜାଇ ଆଣି ତା’ର ପିଠିରେ ହାତ ବୁଲାଇ ବାୟା କହିଲା, ଆଲୋ ପାଗଳୀ, ମୁଇଁ କେମିତି ତାଙ୍କୁ ମାରନ୍ତି ? ଛପି ଛପି ଯାଇ ପଥର କଡ଼ରେ ଲୁଚିଲି । ଜଙ୍ଗଲ ଭିତରେ ମୋ ସାଙ୍ଗମାନେ ଲୁଚିକରି ବସିଥାନ୍ତି । ତୁଇ ଯେମିତି ପାଣି ନବାକୁ ପଥର କଡ଼କୁ ବୁଲି ଆଇଲୁ, ମୁଁ ତୋ ହାତ ଧରି–

ହଁ, ଘିଚି ନେଇଥାନ୍ତୁତ ! କାଲି ସଞ୍ଜବେଳେ ଲତା ମତେ କହିଥିଲା ବୋଲି ସିନା ମୁଁ ଘଣ୍ଟାଏ କାଲି ତତେ ଚାହିଁ ବସିଥିଲି । ପୁଲକି ଯିବାକୁ ତରତର ହେଉଥାଏ । ଲତା କହିଲା, କିଲୋ, ପୁଙ୍ଗିକୁ ଘଡ଼ିଏ ନ ଦେଖିଲେ ବଣା ହୋଇଯିବୁକି? ଗୀତ ବୋଲ– । ପୁଲକି ଗୀତ ବୋଲିଲା–

ତୁଇ ଆଉ ଲତା ମିଶା (ମଧ୍ୟ) ଗୀତ ବୋଲୁଥିଲ ତ ?

ହଁ । ତୁଇ ଯେତେବେଳ ପଥର କଡ଼କୁ ଆସିଲୁ, ପତର ଖଡ଼ ଖଡ଼ ହେଲା । ଲତା ମତେ ଚିମୁଟି ଦେଇ ଆଖିଠାରି କହିଲା, ଯା’ଲୋ ପାଣି ଆଣିବୁ ।

ଲତା ମତେ ଦେଖିଥିଲା ?

ହଁରେ, ସେ ତତେ ଆଗ ଦେଖିଚି । ପୁଲକି କିଛି ଜାଣି ନାହିଁ । ଗେଡ଼୍‍ଡ଼ା ସେ ପାଖରେ ପୁଙ୍ଗି ବାଁରେଇ ହୋଇ ଡାଳ ଭାଙ୍ଗୁଥାଏ । ପୁଲକି ତାଆରି ଆଡ଼କୁ ଚାହିଁ ଗୀତ ବୋଲୁଥାଏ । ଦେଖିଲୁ କି ?

ତୋ ବିନା ମୁଁ ଆଉ କାହାକୁ ଦେଖିନାହିଁ । ତତେ ଯେତେବେଳେ ଦୁଇ ହାତରେ ଶୂନେ ଟେକି ନେଇ ଦଉଡ଼ିଲି, ସେ ପାଖୁ କିଏ ଗୋଟାଏ ପାଟିକରି ଡାକିଲା–

ପୁଲକି ଡାକିଲା–

ହୋଇଥିବ । ପୁଙ୍ଗି ଦି ଖେପାରେ ଗେଡ଼୍‍ଡ଼ାର ସେ ପାଖରୁ ଏ ପାଖକୁ ଡେଇଁ ଆସିଲା । ଯେଉଁ ଛାଟ ଧରିଥିଲା, ସେଇଥିରେ ମୋ ପିଠିରେ ପିଟିଲା । ତତେ ଛାଡ଼ିଦେଇ ଯଦି ମୁଁ ତାକୁ ମାରନ୍ତି ତୋ ବାପ କି ଗାଁ ଲୋକେ ମୋ ହାତରେ ତତେ ଦିଅନ୍ତେ କି ? କନ୍ଧ କୁଳରେ ମାଡ଼ ଫେରାଇ ଦେଲେ ଧାଙ୍ଗଡ଼ୀ ଫେରିଯିବ ।

ବାୟାର ପିଠି ଆଉଁସି ସୁନା କହିଲା, କେତେ ନୋଳା ଫାଟିଛି । ତୋ ସାଙ୍ଗମାନେ ଯଦି ଗଛ ଉହାଡ଼ରୁ ବାହାରି ପୁଙ୍ଗିକୁ ଧରି ନ ଥାନ୍ତେ, ସେ ତତେ ଆହୁରି ମାରିଥାନ୍ତା । ମାଗତା ତା’ର ସାଙ୍ଗ ଯେ–

ମାରିଥାନ୍ତା ତ ମାରିଥାନ୍ତା । ତୋ ଲାଗି ମୁଁ ଜୀବନ ଦେଇଥାନ୍ତି ।

ସୁନାର ମୁଣ୍ଡକୁ ଦୁଇ ହାତରେ ବାୟା ଟେକି ଧରିଲା । ପୁଣି କହିଲା, ସୁନା, ବୋଲ ତ ସେଇ ଗୀତଟା । ବୋଲ ନା–

ଆମର ଗାଁ ଲୋକେ ତତେ ଧରିବାକୁ ଗୋଡ଼େଇ ଥିବେ । ପୁଙ୍ଗି ଯାଇ ନାଇକକୁ କହିବଣି । ମାଗତା ହେରିକା ସମସ୍ତେ ଆସି ମତେ ତୋ ପାଖରୁ ଛଡ଼ାଇ ନେଇଯିବେ । ଚାଲ୍ ପଳେଇବା ଡୋଙ୍ଗର ଉପରକୁ ।

ଆରେ, କିନାମ ଗାଁ ଏଠିକି କୋଶେ ବାଟ ହେବ । ଆମର ଗୀତ କାହାରିକୁ ଶୁଭିବ ନାଇଁ । ତୁଇ ଗୋଟେ ଗୀତ ନ ବୋଲିଲେ ମୁଁ ଏଠୁ କୁଆଡ଼େ ଯିବି ନାଇଁ ।

ସୁନା ଗୀତ ବୋଲିଲା, ବାୟା ପାଳି ଧରିଲା । ଉପୟେ ଆତ୍ମହରା ହୋଇପଡ଼ିଲେ । ଚାରିଆଡ଼େ ସବୁ ପ୍ରକୃତି, ଦୂରର ନେଳି ପାହାଡ଼ ଗୀତର ଲହରରେ ମୁଖରିତ ହେଲା ।

ଗୀତ ଶେଷ ହେଲା । ବାୟା ସୁନାକୁ ଆଲିଙ୍ଗନ କରି ତା’ର ମୁହଁରେ ବୋକ ଦେଲା । ସୁନା ବାୟାର ବାହୁବନ୍ଧନରୁ ମୁକ୍ତ ହୋଇ କହିଲା, ବାୟା ମତେ ତ ଘିଚି ଆଣିଲୁ, ଏବେ ଯିବା କୁଆଡ଼େ କହ । ତୋ’ର ଭଙ୍ଗା ଘରେ ରହିଲେ ମାଗତାହେରିକା ଆସି ପୁଣି ଗୋଳମାଳ କରିବେ । ଯିବା କିରେ ବାୟା, ପାହାଡ଼ ସେପାରି ନିମଗିରି ଉପରକୁ ? କେହି ଜାଣିପାରିବେ ନାହିଁ । ଯିବାକି-?

ନାଇଁରେ, ଏତେଦୂରକୁ ଯିବା ନାଇଁ । ପାହାଡ଼ ସେପଟ ଝୋଲା କୂଳରେ ଗୋଟେ ଭଙ୍ଗା ଘର ଅଛି । ଚାରିପାଖେ ଡୋଙ୍ଗର, ସେଇଠି ରହିବା ।

ଗାଁ ଲାକେ ଜାଣିବେ । ଖୋଜି ଖୋଜି ଯିବେ ।

ଭଲ ହେବ । ତୋ ବାପକୁ ଝୋଲା ଟଙ୍କା ଦେବି, ଗାଁ ଲୋକଙ୍କୁ ମଦ ପାଇଁ, ଖାଇବା ପାଇଁ ଟଙ୍କା ଦେବି, ପୁଢ଼ ରଖିଚ ହାଣି ଖାଇବାକୁ ଦେବି ।

ସୁନା ବିସ୍ମୟରେ ତା’ ମୁହଁକୁ ଚାହିଁ ପଚାରିଲା, କାହୁଁ ପାଇଲୁରେ ? ସାହୁକାରର ଖମ୍ବାରି ହେଲୁ କି ? କେଉଁ ସାହୁକାର ସେ ?

ବାୟାର ମୁହଁ ଶୁଖିଗଲା । ନିଃସହାୟ ଆଖିରେ ସୁନାକୁ ଚାହିଁଲା । ଉତ୍ତର ଦେଇପାରିଲା ନାହିଁ ।

ସୁନା ବାୟାର ହାତ ମୁଠାଇ ଧରି ପଚାରିଲା, କହ, କହ, ତୁନି ପଡ଼ିଲୁ କାହିଁକି ? ସତେ ତୁ ଝୋଲା ଟଙ୍କା ରଖିଚୁ ?

ବାୟା ଥଙ୍ଗେଇ ଥଙ୍ଗେଇ କହିଲା, ରଖିଚି । ପୁଢ଼ ରଖିଚି । ତୋ ଲାଗି ଶାଢ଼ୀ ରଖିଚି । ସୁନା ହାର ରଖିଚି । ତୋ ବାପର ଲାଗି ଲୁଗା ରଖିଚି ।

କିଏ ଦେଲାରେ ? ଚୋରି କଲୁ କି ?

ମୁଁ ଚୋରି କରିନାହିଁ । ସବୁ ମତେ ବୁଦ୍ଧିଆ ଡମ୍ବ ହେଲା ।

ବୁଦ୍ଧି ବାରିକ ଦେଲା ? କାହିଁକି ? କେଉଁଠୁ ସେ ଆଣିଲା ? କହ, କହ, ତୁନି ରହିଲୁ କାହିଁକି ? ବାୟା– ମତେ ଡର୍‌ ଲାଗୁଚିରେ ।

ସୁନା ଅସ୍ଥିର ହୋଇଉଠିଲା ।

ବାୟା କହିଲା, ତୁ ଡରୁଚୁ କାହିଁକି ? ମୁଁ ଚୋରି କରିନାହିଁ । ବୁଦ୍ଧିଆ ମତେ ଡାକିଲା । ମୁଁ ତା’ ସାଥିରେ ଗଲି ଦାକାଲଗୁଡ଼ା । ବନମାଳୀ ସାହୁକାର ଘରକୁ ବୁଦ୍ଧିଆ ଗଲା । ମୁଁ ଯାଇ ନାହିଁ । ଗଛମୂଳରେ ମୁଁ ରହଲି । ସେ ଚୋରି କଲା । ମୁଁ ତା’ ସାଙ୍ଗରେ ଆସିଲି । ସବୁ ସେ ମତେ ଦେଲା କି ? ସେ ସବୁ ନେଲା । ମତେ ଅଳପ ଦେଇଚି ।

ତୁ ଚୋରି କରିନୁ ତ?

ନା– ।

ପୁଲିସ ଯଦି–

ବାୟା କହିଲା, ପୁଲିସ ଯଦି ଧରିବ ମୁଁ ସତକଥା କହିବି । ବୁଦ୍ଧିଆ ଡମ୍ବ କହିବ ସେ ଚୋରି କରିଚି । ତାକୁ ସିନା ଶିକ୍ଷା ହେବ, ମୋ’ର କିସ୍‍ ହେବ କି ? ବୁଦ୍ଧିଆ କହୁଚି ସେ ଶିକ୍ଷା ଯିବ-। ହେଇ, ସେ ଧାଇଁ ଧାଇଁ ଆସୁଚି–

ବାୟା ଓ ସୁନା ବୁଦ୍ଧିଆ ଆସୁଥିବା ଦିଗକୁ ଚାହିଁ ରହିଲେ । ବୁଦ୍ଧିଆ ଧଇଁ ସଇଁ ହୋଇ ପହଞ୍ଚିଲା । ସୂର୍ଯ୍ୟ ପାହାଡ଼ କଡ଼ରେ ବୁଡ଼ି ଆସୁଥିଲେ ।

ବୁଦ୍ଧିଆ କହିଲା, କିରେ, ତମେ ଦିହେଁ ଏଇଠି ଅଛ ? ଗାଁ ଲାକେ ସବୁ କଥା ଜାଣିଲେଣି-। ହେ ସୁନା, ତୋ ବାପ ଜାନୀ ଆଉ ମାଗତା ବାପ ନାଇକ, ଗାଆଁର ସବୁ ଲୋକକୁ ଧରି ଚାରିଆଡ଼େ ଖେଦି ଗଲେଣି । ଏଣେ ବି ଆସୁଛନ୍ତି । ତମେ ଦିହେଁ ଏଇ ଡୋଙ୍ଗର କଡ଼େ କଡ଼େ ପଳାଅ । ହେ ବାୟା, ସେଇ ଝୋଲାକୂଳ ଭଙ୍ଗା ଘରକୁ ଯା–

ସୁନା କ’ଣ ପଚାରିବାକୁ ବସିଥିଲା । ତା’ର ମନକଥା ବୁଝିପାରି ବୁଦ୍ଧିଆ କହିଲା, ଡେରି କରନା । ସେମାନେ ଏଇ ବାଟରେ ଆସୁଛନ୍ତି । ମୁଁ ଆଗରେ ଆସିଲି । ପଳାଅ–

ବାୟା କହିଲା, ସୁନା କହୁଚି, ମତେ ଶିକ୍ଷା ହେବ ।

ବୁଦ୍ଧିଆ ବୁଝିଲା, ବାୟା ତା’ ଆଗରେ ସବୁକଥା କହିଚି । ତା’ର ଭୟ ହଲା, ସୁନା ଯଦି ବାୟା ସଙ୍ଗରେ ନ ଯାଇ ଫରିଯାଏ କିମ୍ବା ଗ୍ରାମ ଲୋକଙ୍କୁ ସବୁ ଫିଟାଇ କହେ, ତେବେ ତା’ର ଆଉ ରକ୍ଷାରକ୍ଷଣ ନାହିଁ । ନିଶ୍ଚୟ ତାକୁ ପୋଲିସ ଧରିନେଇ ଶିକ୍ଷା କରେଇବ । ସେ ହସି ହସି କହିଲା, ତୋ’ର କାହିଁକି ଶିକ୍ଷା ହେବ ? ତୁ କ’ଣ ଚୋରି କରିଚୁ ? ମୁଁ ଚୋରି କଲି । ମୋ’ର ଯାହାକୁ ଇଚ୍ଛା ହେଲା, ତାକୁ ଜିନିଷ ଦେଲି । ପୋଲିସ ଯଦି ପଚାରେ ସତ କହିବି । ମୁଁ ଜେଲ୍ ଯିବି । ତୋ’ର କିସ୍ ହେବ ? ଡମ୍ବପିଲା ହୋଇ ଶିକ୍ଷା ଯିବାକୁ ଡରିବି ?

ବାୟା ଖୁସି ହୋଇ ସୁନାକୁ କହିଲା, ଶୁଣିଲୁ ତ ସୁନା ? ବିଶ୍ୱାସ ହେଲା ?

ସୁନା କହିଲା, ହଁ । ଆରେ ବୁଦ୍ଧିଆ–

କ’ଣ କହୁଚୁ ? ବାୟାକୁ ମୁଁ ଭଲପାଏ । ସେ ମୋ’ର ପିଲା ଦିନର ସାଙ୍ଗଟା । ତତେ ମିଶା ମୁଁ ଭଲପାଏ ନାଇଁକି ସୁନା ? ତୁଇ କହ–

ସୁନା କୃତଜ୍ଞତାପୂର୍ଣ୍ଣ ଆଖିରେ କହିଲା, ହଁ– ।

ବୁଦ୍ଧିଆ ପୁଣି କହିଲା, ଆଉ ମାଗତା, ତା’ର ବେକଟା କାଟିଦେବାକୁ ମୋ ମନହୁଏ । ନାଇକର ପୁଅ ବୋଲି ପିଲାଦିନୁ ସେ ମତେ କେତେ ମାରିଚି । ସେଥିଲାଗିରେ ସୁନା, ବାୟାପାଇଁ, ତୋ’ପାଇଁ ମୁଇଁ ଜେଲ ଘରେ ପଛେ ପଶିବି, ତତେ ମାଗତାର ମାଇପ କରେଇ ଦେବି ନାହିଁ ।

ସୁନା ଆଖି ଛଳଛଳ କରି କୃତଜ୍ଞତା ଜଣାଇଲା ।

ବୁଦ୍ଧିଆ ହସି ହସି କହିଲା, ଏଇ, ପାଟି ଶୁଭୁଚି । ସେମାନେ ଆସୁଚନ୍ତି । ମୁଁ ଏବାଟେ ଯାଉଚି । ତମେ ସେବାଟେ ଯା-ଡୋଙ୍ଗର କଡ଼େ କଡ଼େ । ବୁଝିଲ ? ସେଇ ଭଙ୍ଗା ଘରକୁ– । ପଳାଅ–

ସୁନା ଓ ବାୟାଙ୍କୁ ଛାଡ଼ି ବୁଦ୍ଧି ବାରିକ ଚିଲ ପରି ଛୁଟି ପଳାଇଲା । ପ୍ରଣୟୀ ଯୁଗଳ ତା’ର ଗତିପଥକୁ ଅନାଇଁ ରହିଲେ । ଜଙ୍ଗଲ ଭିତରେ ସେ ଅଦୃଶ୍ୟ ହେଲା । ବାୟା ଖୁସି ହୋଇ ସୁନାର ହାତ ଧରି କହିଲା, ସେ ମୋ’ର ପିଲା ଦିନର ସାଙ୍ଗଟା । ମୋ ପାଇଁ ସେ ଶିକ୍ଷା ଯିବ । ଚାଲ ସୁନା, ଆମେ ସେଇ ଭଙ୍ଗା ଘରକୁ ପଳାଇବା ।

ସୁନାର ମନ ମାନିଲା ନାହିଁ । ବୁଦ୍ଧି ବାରିକର ଢଙ୍ଗରେ ସେ ଯେପରି କେଉଁ ଅଜଣା ବିପଦର ସୂଚନା ପାଇଲା । ତା’ର ମୁହଁ ଶୁଖିଗଲା । ବାୟାକୁ ଉତ୍ତର ନ ଦେଇ ସେ ତା’ର ପଛେ ଅରଣ୍ୟ ଭିତରେ ଚାଲିଲା ।

ପୋଲିସ ଥାନା । ଟେବୁଲ ଆଗରେ ହାତଯୋଡ଼ି ଠିଆ ହୋଇଛନ୍ତି ବନମାଳୀ ସାହୁକାର । ପାଖରେ ଠିଆ ହୋଇଛି ଜଣେ କନେଷ୍ଟବଳ । ଘର ଭିତରେ ଦୁଇ ତିନିଜଣ ଡମ୍ବ ବସିଛନ୍ତି । ଟେବୁଲ ଆରପାଖେ ଚଉକିରେ ବସିଛନ୍ତି ସବ୍ଇନ୍‌ସପେକ୍‍ଟର (ମୁନ୍‍ସି) ବାବୁ । ସମୟ ହେବ ଏଗାର ।

ବନମାଳୀ କହିଲେ, ଆଜ୍ଞା, ମୋ ଇଝାରଟା ଲେଖନ୍ତୁ । ମୋ ଘରୁ କାଲି ରାତିରେ ସବୁ ଚୋରି ହୋଇ ଯାଇଛି । ଦୟା କରନ୍ତୁ–

ମୁନ୍‍ସି ବାବୁ ମୁହଁ ଟେକି କହିଲେ, ରହ ସାହୁକାର । ଚୋରି ତ ଯାଇଛି ମୁଁ କରିବି କ’ଣ-? କିଏ ଚୋରି କଲା ଦେଖିଛୁ ? ତମ ଲୋକଙ୍କ ଅଭ୍ୟାସ ମିଛରେ ହେଲେ ଇଝାର ଦେଇ ମଣିଷକୁ ହଇରାଣ କରିବ । ଖରାତରାରେ ବଣ ଜଙ୍ଗଲ, ପାହାଡ଼ ଡୋଙ୍ଗର ଖୋଜି ଖୋଜି ଶେଷକୁ କିଛି ଫଳ ହେବ ନାହିଁ ।

ମିଛ ନୁହେଁ ମହାପ୍ରଭୁ ! ମୁଁ ରାୟଗଡ଼ା ଯାଇଥିଲି । ଦାକାଲଗୁଡ଼ାରେ ଦୋ’ଘର କରିଛି–

ବେଶିଗୁଡ଼ାଏ ବକ ନାହିଁ, ଦୋ’ଘର କର କି ଚାରିଘର କର । ଚୋରି କରିବାଟା କେହି ଦେଖିଛିକି ?

ଦେଖିଥିଲେ ଚୋରି କେମିତି ହେବ ମହାପ୍ରଭୁ?

ନ ଦେଖିଲେ କେଶ୍ କେମିତି ଚଳିବ ସାହୁକାର ? କୋଟ ଘର ବିଶ୍ୱାସ କରିବ କି ? ମୁଦାଲା ଖଲାସ ହେବ ସିନା । କାହା ଉପରେ ତମର ସନ୍ଦେହ ହେଉଛି ?

ଆଜ୍ଞା ମହାପ୍ରଭୁ–ବନମାଳୀ ଭାବିବାକୁ ଲାଗିଲେ ।

ମୁନ୍‌ସି କହିଲେ–ଆଛା, ଭାବିକରି କୁହ । ମୁଁ ଅନ୍ୟ କାମ କରେଁ ।

ଜମାନ୍ (କନେଷ୍ଟବଳ) ପୋଲିସ ରୀତିରେ ସଲାମ୍ କରି କହିଲା, ହଜୁର–

ମୁନ୍‌ସି ପଚାରିଲେ, କ’ଣ ?

ଜମାନ୍ କହିଲା, ସାହୁକାରର କଥାଟା ଲେଖିନେଇ ସିଭଲ ଡିସ୍‍ପୁଟ ଲେଖିଦେଲେ–

ମୁନ୍‍ସି ହସି ହସି କହିଲେ । ଆଛା, ସେ କଥା ପରେ ଦେଖିବା । ସୁନାମଣି ଡମ୍ବ ହାଜର ହୈ ?

ଜମାନ୍ ପାଟିକରି ଡାକିଲା, ସୁନାମଣି ଡମ୍ବ ।

ହାତଯୋଡ଼ି ସୁନାମଣି ଡମ୍ବ ପାଖକୁ ଆସିଲା । ଦୁଇଥର ଶିକ୍ଷା (ଜେଲ) ଭୋଗିବାରୁ ତାକୁ କ୍ରିମିନାଲ ଟ୍ରାଇବର ମେମ୍ବର (ସି-ଟି-ଏମ୍ ବା ସିତାମ୍) କରାହୋଇଛି । ପ୍ରତିଦିନ ରାତି ୧୧ ଘଣ୍ଟା ଓ ୩ଘଣ୍ଟାରେ ସବୁ ସିଟାମ୍‌ଙ୍କୁ ଥାନାରେ କିମ୍ବା କୌଣସି ନିଯୁକ୍ତ ଭଦ୍ରଲୋକ ଘରେ ହାଜିରା ଦେବାକୁ ପଡ଼େ । ଅନୁପସ୍ଥିତ ହେଲେ, କେଶ୍ କରି ସି-ଟି ଆକ୍ଟ ଅନୁସାରେ ଜେଲ ଦଣ୍ଡ ଭୋଗିବାକୁ ପଡ଼େ ।

ମୁନ୍‌ସି ପଚାରିଲେ, କିରେ, କାଲି ରାତିରେ ହାଜିରା ଦେବାକୁ ଆସିଲୁ ନାହିଁ । ସାର୍କଲକୁ (ପୋଲିସ୍ ଇନ୍‌ସପେକ୍‍ଟରଙ୍କୁ) ରିପୋର୍ଟ କରୁଛି ।

ନାଇଁ, ମହାପ୍ରଭୁ ! ରକ୍ଷା କର ମହାପ୍ରଭୁ ! ମୋ’ର ଗାଁ ଏଠିକି ଦଶ ମାଇଲି, ଦିଟା ଡୋଙ୍ଗର ପାରି । ଆସୁଥିଲି, ରାତି ହେଲା, ଜଙ୍ଗଲ ଭିତରେ କିନାମଝୋଲ (ନାଳ) ଛେକି ଦେଲା (ଅଟକାଇ ଦେଲା ) ।

କୋରାପୁଟ ଜିଲାର ନଈ ନାଳ । ପାହାଡ଼ ପର୍ବତରେ କାହିଁ କେଉଁ ଅଜଣା ଥାନରେ ବର୍ଷା ହେଲେ ପାଣି ଗଡ଼ିଆସି ନାଳରେ ପଡ଼େ । ଉଞ୍ଚ ପାହାଡ଼ରୁ ପାଣି ଗଡ଼ିଆସି କାଳକ୍ରମେ ଦୁଇପାଖରେ ବଣ ମାଟି ତାଡ଼ି ନାଳ ବା ଝୋଲା କରେ । ଆଖି ପାଇବ ନାହିଁ ଖଣ୍ଡି । ପାହାଡ଼ ଉପରେ ଠିଆ ହୋଇ ନାଳ ତଳକୁ ଚାହଁଲେ ମୁଣ୍ଡ ବୁଲାଇ ଦିଏ । ଏପରି ଝୋଲା ବା ନାଳ କୋରାପୁଟ ଜିଲାରେ ଅଗଣନ । ପ୍ରତି ଝୋଲା ବା ନାଳ ଉଚ୍ଚ ପାହାଡ଼ରୁ ତଳ ଭୂଇଁକୁ ଗଡ଼ିଲାବେଳେ କେତେ ଜଳପ୍ରପାତ ସୃଷ୍ଟି କରେ । ଜିଲାଟାଯାକରେ ଛୋଟ ବଡ଼ ହୋଇ ଦୁଇଶ ଜଳପ୍ରପାତ ଅଛି ।

କାହିଁ କେଉଁ ଦୂର ପାହାଡ଼ରେ ବର୍ଷା ହେଲେ, ହଠାତ୍ ନଈ ନାଳରେ ପାଣି ପଡ଼େ । ସୁଅର ତୋଡ଼ରେ ନାଗ ମୁଣ୍ଡ ଦି ଖଣ୍ଡ ହେବ । ଆଣ୍ଠୁଏ ପାଣିରେ ପଶି ୬୦ ହାତର ନାଳ ପାରି ହେବା ଦୁଃସାଧ୍ୟ । ପଥୁରିଆ ନାଳ, ଡଙ୍ଗା କାଠୁଆ ପଡ଼େ ନାହିଁ । ବାଧ୍ୟ ହୋଇ ଝୋଲାର ଗୋଟିଏ ପାଖରେ ଅଟକି ରହିବାକୁ ପଡ଼େ । ପାଣିର ତୋଡ଼ ଖସିଲେ କିମ୍ବା ପାଣି କମିଲେ ଲୋକେ ପଶି ନାଳ ପାରି ହୁଅନ୍ତି । ବେଳେ ବେଳେ ଘୋର ଜଙ୍ଗ ଭିତରେ, ମାଳୁଆ ମଶା ପଲ ମଝିରେ ବସି ବସି ରାତି କାଟିବାକୁ ପଡ଼େ ।

ମୁନ୍‌ସି କହିଲେ, ଝୋଲା ଛେକିବା କଥା ଆଇନରେ ନାହିଁ । ଆଇନ୍ କହୁଛି ସିଟାମ୍ ଗର୍‌ହାଜିର ହେଲେ ତାକୁ ଶିକ୍ଷା କରେଇବ । ଭିଙ୍ଗୁ ଡମ୍ବ କାହିଁ ?

ଭିଙ୍ଗୁ ଡମ୍ବ ହାତ ଯୋଡ଼ି ପଦାରୁ ଆସି ଆଗରେ ଠିଆ ହେଲା ?

କିରେ, ତୋ’ର କ’ଣ ହେଲା ? ତୁ କାହିଁକି ଆସିଲୁ ନାହିଁ ?

କିସ୍‍ କରିବି ମାହାପ୍ରୁ, ପହରିଦିନ ରାତିରୁ ମୋ ମାଇପ କଷ୍ଟ ପାଉଥିଲା । କାଲି ରାତିରେ ଅଣ୍ଡରା ପିଲାଟେ ହେଇଚି । ଏକୁଟିଆ ମଣିଷ । କେମତା ଛାଡ଼ି ଆଇତି ତୁଇ କହ ।

ଚୋପ୍ ବେଶିଗୁଡ଼ାଏ ବକ୍ ନାହିଁ । ସିଟାମ୍ ହେଇ ସାତଥର ଜେଲ ଗଲୁ, ତଥାପି ତୋ ବଦ୍‌ମାସି ଛାଡ଼ିଲା ନାହିଁ । ତିନିଥର ଛାଡ଼ି ଦେଲି । କେବେ କହୁଚୁ, କାଇଲା ପଡ଼ିଲୁ (ବେମାର ହେଲୁ) କେବେ ତୋ’ର ମାଇପ ମରୁଚି, ପୁଣି କେବେ ମାଇପ ଜନମ କରୁଚି । କିରେ– ?

କିସ୍ କରିବି । ଥରେ କରି ତୁଇ ମତେ ଶିକ୍ଷା କରାଉଚୁ ଆଉ ଗୋଟେ କରି ମାଇପ ପଳାଉଚି । କ’ଣ ଖାଇ ରହିବ କି ? ମୁଁ ଇ ତ ଶିକ୍ଷା ଖଟିଲି । ଶିକ୍ଷା ଭୋଗି ଫେରି ଆଉ ଗୋଟେ ଆଣିଲେ–

ଏମିତି କେଇଟା ଆଇଁଲୁ, କେଇଟା ଗଲେ ?

ତୁଇ ହିସାବ କର–ଯେତେ ଥର ଶିକ୍ଷା କରେଇଲୁ ସେତେଟା । ଲେଖି ଦେ, ଜେଲରେ ଥିବି ଆଉ ଆସିବି ନାଇଁ ।

ହଁ, ସେଇଆ ଲେଖିଦେବି ।

କାଡ୍ରାକା ଟିପୁ କନ୍ଧ ଆଗକୁ ଆସି ହାତଯୋଡ଼ି କହିଲା, ମୋ’ର ପୋଢ଼ ଖାଇଦେଲେ ମହାପ୍ରୁ–

କିଏ ଖାଇଲାରେ ?

କେମିତି ଜାଣିବି ? ତିନିରାତି ହେଲା–କିଏ ମୋ’ର ଶାଳ ଖୋଲି ପଟେ ପୁଢ଼ ନେଲା । ଗାତା (ଖୁରା ଚିହ୍ନ) ଖୋଜି ଗଲୁଁ । ବିସନ୍‌ ପଦର ଡୋଙ୍ଗର ଉପରେ, ଗୋଟେ ପଥରସନ୍ଧିରେ ପୁଢ଼ର ମୁଣ୍ଡଟା ପଡ଼ିଥିଲା । ରକ୍ତ ପଡ଼ିଛି । ବିସନ୍‌ ପଦର ଡମ୍ବମାନେ ମାରି ଖାଇଦେଲେ । ନାଇକକୁ ପଚାର ।

ନାଇକ କହିଲା, ଖାଇଲେ ମାହାପ୍ରୁ । ସଞ୍ଜବେଳକେ ମୋ’ର ଘରେ ଆଣି ମାଉଁସ ଦେଲେ । ମୁଇଁ ନ ଥିଲି । ମୋ ମାଇପ କହିଲା, କେଉଁଠୁ ଆଣିଲରେ ? ଡମ୍ବ ପିଲେ କହିଲେ, ଡୋଙ୍ଗର ଉପରେ ବାଘ ମାରି ପକେଇ ଥିଲା । ଟିପୁର ଟା ବୋଲି କେମିତି ଜାଣିବି ?

ମୁନ୍‌ସି ଲେଖିସାରି କହିଲେ, ତୁ ବି ସେଥିରେ ଅଛୁ । ସବୁ ଥର ଖସି ଯାଉଚୁ । ଏଥର ତତେ ଛାଡ଼ିବି ନାହିଁ ।

ନାଇକ କହିଲା, ତୋ’ର ଇଷ୍ଟ (ଇଚ୍ଛା) ଏକା ।

ଯଦି ବଞ୍ଚିବୁ, ଚୋର ଧରେଇଦେ ।

ଧରେଇ ଦେବି ମାହାପ୍ରୁ ।

ବନମାଳୀ ସାହୁକାର ଆଗକୁ ଆସିଲେ ।

ମୁନ୍‌ସି କହିଲେ କିହେ, କାହା ଉପରେ ତମର ସନ୍ଦେହ ହେଉଛି ?

ବନମାଳୀ କହିଲେ, କେମିତି ମିଛ କଥା କହିବି ? ଦାକାଲଗୁଡ଼ା ଘରେ ମୋ’ର ଶଳା ଗୋବିନ୍ଦ ଏକା ଥିଲା । ଚଇତୁ ଡମ୍ବ ଓ ସୁକ୍ରୁ ଡମ୍ବ ଦିହେଁ ମୋ’ର ଖମ୍ବାରି । ସେମାନେ ବି ସେଇଠି ଥିଲେ । ଗତ ରାତିରେ ବିଷମକଟକ ଘରେ କିଏ କବାଟ ଖଡ଼ ଖଡ଼ କଲା । ପଡ଼ା ଲୋକ ସମସ୍ତେ ଉଠିଲେ । ଚୋର ପଳେଇଲା । ମୋ’ର ସ୍ତ୍ରୀ ଗୋବିନ୍ଦ ପାଖକୁ ଖବର ପଠେଇଲେ । ପରଦିନ ରାତିରେ ସୁକ୍ରୁ ଓ ଚଇତୁ ବିଷମକଟକ ଆସି ରାତିରେ ଜଗିଲେ । ସେଇ ରାତିରେ ମୋ’ର ଦାକାଲାଗୁଡ଼ା ଘରୁ ଚୋରି ହେଲା ।

କ’ଣ ଚୋରି ହୋଇଚି ?

ଘରର ତାଲା ଖୋଲି, ଘର ଭିତରେ ଥିବା ପେଡ଼ି ଭାଙ୍ଗି ନଗଦ ଦି’ଶ ଟଙ୍କା, ଗୋଟାଏ ସୁନା ହାର ଅନ୍ଦାଜ ଚାରିତୋଳା ଓଜନର, ଦିଟା ନୂଆଖଦି, ଗୋଟାଏ ରଙ୍ଗୀନ୍ ନୂଆଶାଢ଼ୀ । ଗୃହାଳ ଘରୁ ଗୋଟାଏ ପୁଢ଼ ବି ଚୋରି ଯାଇଚି ।

ମୁନ୍‌ସି ସବୁକଥା ମନଦେଇ ଶୁଣିଲେ ଓ ଲେଖିଲେ । ମୁଣ୍ଡର ବାଳ ଓଟାରି ଭାବି ଭାବି କହିଲେ, ତମର ସେଇ ମଦୁଆ ଶଳା ଗୋବିନ୍ଦର ଏ କାମ ।

ବନମାଳୀ କହିଲେ, ମଦପାଣି ଖାଇ ଲକ୍ଷେ ଟଙ୍କାର ସମ୍ପତ୍ତି ଯେ ଉଡ଼େଇ ଦେଲା, ସେ ଭଉଣୀର ହାର ଆଉ ଶାଢ଼ୀ ଚୋରି କରିବ ? ଗାଈ ଚୋରି କରିବ ? ନାଇଁ ମୁନ୍‌ସି ବାବୁ, ଗୋବିନ୍ଦ ଚୋରି କରିବ ନାହିଁ ।

ତେବେ–ତେବେ, ସୁକ୍ରୁ ଆଉ ଚଇତୁ–

ବନମାଳୀ କହିଲେ, ସେ ଦିହେଁ ରାତିସାରା ବିଷମକଟକରେ ମୋ ଘରେ ପହରା ଦେଉଥିଲେ ।

ମୁନ୍‌ସି କହିଲେ, ଆଚ୍ଛା, ମୁଁ ସ୍ଥାନ ତଦନ୍ତ କରିବି । କାଲି ସକାଳୁ ଯିବି ।

ହଠାତ୍ ଗୋଳମାଳ ଶୁଭିଲା ପଦାରେ । ମୁନ୍‌ସିଙ୍କୁ ଛାଡ଼ି ସମସ୍ତେ ଥାନାଘର ପଦାକୁ ଗଲେ । ମୁନ୍‌ସି କାମରେ ମନଦେଲେ । ପାଞ୍ଚ ମିନିଟ୍ ପରେ ଜଣେ ଜମାନ୍ ଅସ୍ଥିର ହୋଇ ଘରେ ପଶିଲା ।

ଜମାନ୍ କହିଲା, ମର୍ଡ଼ର ହଜୁର ।

ମର୍ଡ଼ର ! ମୁନ୍‌ସିଙ୍କ ହାତରୁ କଳମ ଖସି ପଡ଼ିଲା । ସେ ଉଠି ଠିଆହେଲେ ।

ଜମାନ୍ କହିଲା, ଆସାମୀ ଖୁଣୀର ମୁଣ୍ଡଧରି ହାଜର । କହୁଛି, ଫରେଷ୍ଟ ଜମାନ ଝୋଲା ପାଖରେ ତା’ ଧାଙ୍ଗଡ଼ୀକୁ ଧରିଲା । ଆସାମୀ ଖବର ପାଇ ଜମାନର ମୁଣ୍ଡ କାଟିଲା ।

ମୁନ୍‌ସି ବିଚଳିତ ହୋଇ ଆଦେଶ ଦେଲେ-ଆସାମୀକୁ ସଙ୍ଗେ ସଙ୍ଗେ ଆରେଷ୍ଟ କର, ହାତକଡ଼ି ଲଗାଅ । ସେ ଖୁଣୀ ।

ଦୁଇଜଣ ସିପାହୀ ସଙ୍ଗୀନଲଗା ବନ୍ଧୁକ ଟେକି ଖୁଣୀ ଆସାମୀକୁ ଧରିବାକୁ ଅଗ୍ରସର ହେଲେ । ଆଗନ୍ତୁକ ଆସାମୀର ହାତରେ ଗାମୁଛାରେ ଗୁଡ଼ା ହୋଇଥିବା କଟା-ମୁଣ୍ଡ । ଶୁଖିଲା ରକ୍ତ ଜୁଡ଼ୁ ଜୁଡ଼ୁ । ତା’ ପଛରେ ଆଠ ଦଶଜଣ କନ୍ଧ ଲୋକ ଓ ତିନି ଚାରିଜଣ କନ୍ଧ-ଲଳନା । ଜଣକର ଖୋଲା ବକ୍ଷରେ ଉତାଣି ପିଲାଟିଏ ଲାଗିଚି । କ୍ଷୀର ଖାଉଚି ଓ ଜୁଳୁ ଜୁଳୁ କରି ଚାହିଁଛି । ଦରବୁଢ଼ୀ ସେ, ହେବ ପରା ଯୁବକ ଆସାମୀର ଜନନୀ । ବାଇଆଣୀ ପରି ଏଣେତେଣେ ଚାହୁଁଚି । ଫୁର୍‍ଫୁର୍ ମୁଣ୍ଡୀ । ଆଖିରୁ ଲୁହଧାର ଗଡ଼ିପଡ଼ୁଚି ।

ସାରକା ପେଙ୍ଗୁ କନ୍ଧର ଘର-ପୁଣି ଗାଁ ମଝିରେ । ସମୟ ଅପରାହ୍ନ । ପେଙ୍ଗୁର ସ୍ତ୍ରୀ ପୁଲକି ଗେଡ଼ା (ନାଳ)ରୁ ଦୁଇ ମାଠିଆ ପାଣି ଆଣି ଘରେ ରଖିଲା । ଟିକିଏ ଦମ୍ ନେଇ ଶୁଖିଲା କାଠ ସଜାଡ଼ି ରଖିଲା । ମନରେ ସରାଗ ନାହିଁ । ପେଙ୍ଗୁର ଧାଙ୍ଗଡ଼ୀ ହେବାକୁ ସିନା ଆଗରୁ ଏଡ଼େ ଖୁସି ହେଉଥିଲା । ଧାଙ୍ଗଡ଼ୀ ହୋଇ ଆସିଲା ପରେ ତା’ ମନରେ ସରାଗ ଭାଙ୍ଗିଲା ।

ପେଙ୍ଗୁ ଖମ୍ବାରି ହୋଇଚି । ରାତି ପାହିଲେ ପେଜ ମନ୍ଦିଏ ପିଇ ପେଙ୍ଗୁ କାମ କରିବାକୁ ବଡ଼ଗୁଡ଼ା ଗ୍ରାମକୁ ଚାଲିଯାଏ । ଗୁରୁମୂର୍ତ୍ତି ଘରେ ଜୀବନମୂର୍ଚ୍ଛା କାମ କରି ରାତିକୁ ଫେରେ । କଅଣ କରିବ, ଖମ୍ବାରି ହେଇଚି, ମୁଣ୍ଡ ବିକିଚି । ପୁଗି ଗାଁରୁ ବଡ଼ଗୁଡ଼ା ଗଲେ ଦୁଇଟା ନାଳ ପାରି । ଗୋଟାଏ ଡୋଙ୍ଗର ଉପରେ ଚଢ଼ି ଯିବାକୁ ପଡ଼େ । ରାତି ବିକାଳି ଯଦି ନାଳରେ ପାଣି ପଡ଼େ କି ଡୋଙ୍ଗର କଡ଼ ଜଙ୍ଗଲରେ ବାଘ ମାତେ ପେଙ୍ଗୁ କରିବ କଅଣ ?

ପେଙ୍ଗୁ ଖମ୍ବାରି, ଛଅ ବର୍ଷ ଖମ୍ୱାରି ହୋଇ ରହିବ । ଓଃ, ଛ ବର୍ଷ । ପେଙ୍ଗୁ ସଙ୍ଗେ ମନ ଆନନ୍ଦରେ ଆଗପରି ବଣ ଜଙ୍ଗଲରେ ବୁଲିପାରିବ ନାହିଁ ।

ପୁଲକି ମନରେ ଆସିଲା ବିଦ୍ରୋହ, ପରଘରୀ ହେବାର ବିଦ୍ରୋହ । ପେଙ୍ଗୁକୁ ଯଦି ସେ ବାହା ହୋଇ ନ ଥାନ୍ତା, ଯଦି ମାଗତାର ଧାଙ୍ଗଡ଼ୀ ହୋଇଥାନ୍ତା, ମାଗତା ତ ପରର ଖମ୍ୱାରି ହୁଅନ୍ତା ନାହିଁ । ବଂଶ ଭାଇ ବୋଲି ଗାଁ ଲୋକେ ଯଦି ବାସନ୍ଦ କରନ୍ତେ, ମାଗତା ଜୋରିମାନା ଓ ଭୋଜିଭାତ ଦେଇପାରନ୍ତା ।

ପୁଲକିର ଯୌବନ ପୁଲକି ଉଠିଲା । ମାଗତା ଭଲ, ପୁଙ୍ଗି ଖରାପ । ସେ ଖମ୍ବାରି । ଗୁରୁମୂର୍ତ୍ତି ସାହୁକାର ଘରେ ଖଟି ଖଟି ପୁଣି ବଣ ଜଙ୍ଗଲ ନାଳ ପାରିହୋଇ ଆସି କ୍ଲାନ୍ତ ହୋଇ ରାତିରେ ଶୋଇପଡ଼େ । ପୁଲକି ଚାହିଁ ବସେ । ମନର ସରାଗ ମନରେ ମରେ । ଅଣ୍ଡରା ହୋଇଚି, ପଦେ କଥା କହିବାକୁ ବେଳ ପାଏ ନାହିଁ ।

ପୁଲକି ଅଣ୍ଟା ସଳଖି ଠିଆହେଲା । ପଦାକୁ ଚାହିଁଲା, ଧାଇଁ ଧାଇଁ ଲତା ଆସୁଚି । ଲତା ପାଖକୁ ଆସିଲା । ହସ ହସ ହୋଇ କହିଲା, ଏ ପୁଲକି, ଗାଁ ଲୋକେ ଫେରି ଆଇଲେ । ବାୟା ଓ ସୁନାକୁ ପାଇଲେ ନାହିଁ ।

ଲତାର ଆନନ୍ଦ କହିଲେ ନ ସରେ । ନାଇକି ନୋକାର ରଗ ମରିଚି । ଆଉ ସୁନା ତା’ର କେହି ହୋଇପାରିବ ନାହିଁ । ଲତାହିଁ ହେବ ତା’ର ବୋହୂ, ମାଗତାର ଘରଣୀ । ଲତାର ବାପ ଉର୍ଲାକା ବାସୁର ଆତ୍ମା (ଡୁମା)ର ମନକାମନା ପୂର୍ଣ୍ଣ ହେବ । ସେ ମୁକ୍ତ ହେବ ।

ପୁଲକି ପଚାରିଲା, ସେମାନେ ଗଲେ କୁଆଡ଼େ ? କାଲିଠୁଁ ଗଲେଣି–

ଯେଣେ ଯାଆନ୍ତୁ, ମାଗତା ଆଉ କିସ୍ କରିବ ? ମଦ ଖାଇ ଟାଙ୍ଗି ଧରି ବୁଲୁଚି, ଆଉ ପାଟି କରୁଚି, ବାୟାକୁ ଦେଖିଲେ ତା’ର ମୁଣ୍ଡ କାଟିବ । ମୁଁ କହିଲି, ହେ ମାଗତା, ସୁନ ସୁନା ହୋଇ ମରିବୁ କି ? ଚାଲ, ଚାଲ, ଆମେ ମିଶା ପଳେଇବା ।

କିସ୍ କହିଲା ମାଗତା ?

କିସ୍ ଆର କହିବ ? ଟାଙ୍ଗି ଧରି ମତେ ମାରିବାକୁ ଆଉଚି । ମୁଁ ପଳେଇ ଆଇଲି । ହେ ପୁଲକି, ତୁଇ ଥରେ ମାଗତାକୁ କହ ଯା, ଜାକରା ଠାକୁରାଣୀ ସବୁ ଦେଖୁଚି । ନାଇଁକଲେ ସେ ଖାଇଦେବ । ମାଗତା ମତେ ଘରକୁ ନେଉ ।

ପୁଲକି ହିଂସାରେ ଭିତରେ ଭିତରେ ଜଳିଗଲା । ମୁହଁ ଫଣ ଫଣ କରି କହିଲା-ମୋ’ର କିସ୍ ଥାଏରେ ଲତା, ମୁଁ କାହିଁକି ତାକୁ କହିବି ? ମତେ ସେ ମାରିଦେବ । ତୁ ଯା ।

ଲତା ଦୁଃଖିତ ହୋଇ, ମୁହଁ ଶୁଖାଇ ଅଭିମାନର କହିଲା, ପୁଲକି, ତୁଇ ମୋ’ର ପିଲା ଦିନର ସାଙ୍ଗଟା ନୁହଁକି? ତତେ କହିବି ନାହିଁ ତ ଆଉ କାହାକୁ କହିବି ? ତୁ ମୋ ଲାଗି ମାଗତାକୁ କହ । ସେ ତୋ’ର କଥା ମାନିବ ।

ମାନୁ କି ନ ମାନୁ ମାଗତାକୁ ଝୁରି ତୁ ମରୁଚୁ କାହିଁକି ? ଆଉ କ’ଣ କେହି ଧାଙ୍ଗଡ଼ା ନାହିଁ-? କାହାର ହେଲେ ହାତ ଧରି ଚାଲିଯାଉନୁ ? ନାଇକର ବୋହୂ ହେବାକୁ ତୋ’ର ମନ, ନାଇକର ତ ମନ ନାହିଁ ତତେ ବୋହୂ କରିବ ।

ପୁଲକି କହିଲା, ଆଉ ଗୋଟେ ଧାଙ୍ଗଡ଼ାର ହାତଧରି ଗଲେ ମୋ ବାପର ଡୁମା କାନ୍ଦିବ ନାଇଁକି ? ସେ ମତେ ଅତି ଭଲ ପାଉଥିଲାରେ । ସେଇଥିପାଇଁ ମାଗତାର ଧାଙ୍ଗଡ଼ୀ ହେବାକୁ ମୁଁ ଚାହୁଁଚି । ନାଇକର ବୋହୂ ହେବାକୁ ମୁଁ ସକ ସକ ନୁହେଁ–ମୋ ବାପର ଡୁମାକୁ ଶାନ୍ତି ଦେବାକୁ ।

ପୁଲକି ଲତାର ଆଖିରେ ଲୁହ ଦେଖିଲା । ତଥାପି ସେ କହିଲା, ଲତା ମୁଁ ସତ କହୁଚି । ତୁ ଭଲ ବୁଝ କି ମନ୍ଦ ବୁଝ ପରର କଥାରେ ମୁଁ ପଶିବି ନାଇଁ । ନାଇକି ରାଗିବ, ତୁ ଯା ଯା ।

ପୁଲକି ଘରେ ପଶି ତାଟି ଦେଲା । ଲତା ମୁହୂର୍ତ୍ତେ ତା’ ଘର ଆଗରେ ଠିଆ ହୋଇ ଭାବିଲା । ଚାରିଆଡ଼କୁ ଚାହିଁ ମନକୁ ମନ କହିଲା, ମୋ’ର କଥା କେହି ଶୁଣିବେ ନାହିଁ । ମୋ’ର କେହି ନାହିଁ । ମାଗତା ମତେ ହାଣିବ କହୁଚି । ହାଣି ଦେଉ । ପୁଲକି କହୁଚି ନାଇକର ବୋହୂ ହେବାକୁ ମୁଁ କାନ୍ଦୁଚି । ହେ ଜାକରା, ତୁଇ ଏକା ଜାଣୁ । ନାଇକର ବୋହୂ ହେବାକୁ ମୁଁ ଚାହୁଁ ନାହିଁ । ବାପ ତତେ ସାକ୍ଷୀ ରଖି ମତେ ମାଗତାର ମାଇପ କରିବାକୁ କହିଥିଲା । ତୁଇ ଜାଣୁ ଜାକରା, ମୁଁ ମାଗତାର ମାଇପ, ଯିବି ପୁଣି ତା’ ପାଖକୁ । ମାରିବ କହୁଚି, ମାରୁ ।

ଆଖିର ଲୁହ ସେ ପୋଛିଲା ନାହିଁ । ପୁଲକିର ଘର ଆଗରୁ ପ୍ରସ୍ଥାନ କଲା ।

ପୁଲକି ତାଟି କବାଟ ଖୋଲି ଘରୁ ବାହାରିଲା । ମନକୁ ହସି ମନକୁମନ କହିଦେଲା, ମାଗତାର ଧନ ଲତାକୁ କରିଚି ପାଗଳ । ଲତା ହେବ ନାଇକର ବୋହୂ, ଆଉ ମୁଇଁ ଥିବି ଖମ୍ୱାରି ପୁଙ୍ଗିର ମାଇପ । ଦିନରାତି ପୁଙ୍ଗିକୁ ଚାହିଁ ବସିଥିବି ? ହାଃ, ଏଇ, ମାଗତା ଆସୁଚି ।

ପୁଲକି ଚାହିଁ ରହିଲା । ମାଗତା ମଦ ନିଶାରେ ଢଳି ଢଳି ହାତରେ ଟାଙ୍ଗି ଧରି ପହଞ୍ଚିଲା-। ପୁଲକିକୁ ଦେଖି ସେ ପଚାରିଲା, ଲତା କାହିଁଗଲା ପୁଲକି ?

ପୁଲକି ହସି ହସି ପଚାରିଲା, ସେ ଯହିଁ ଯାଉଁ, ତା’ ଠାରେ ତୋ’ର କି କାମ ଅଛି ମୋତେ ଆଗ କହତ ।

ତାକୁ ମୁଁ ହାଣିଦେବି । ସବୁବେଳେ ମୋ ପଛେ ପଛେ ଲାଗିଚି ।

ମୁଁ ଜାଣେରେ ମାଗତା, ତୁଇ ମୋ’ର ବଂଶ ଭାଇଟା । ଆ, ପେଜ ଟିକେ ପିଇଦେ । ସବୁ କଥା ତତେ କହିବି । ଲତାକୁ ତୁ ଜାଣିନୁରେ । ଆ, ମାଗତା ।

ମାଗତାର ହାତଧରି ପୁଲକି ଘର ଭିତରକୁ ନେଲା । ତାଟି ଖୋଲା ରହିଲା । ପୁଲକି ନାଉ ତୁମ୍ୱାରେ ପେଜ ଦେଲା । ମାଗତା ପିଇଲା । ପୁଲକି ବିଞ୍ଚିଲା, ମାଗତାର କ୍ଲାନ୍ତି ଦୂର ହେଲା । ପୁଲକି ତାଟି ଅଳ୍ପ ଆଉଯାଇ ମାଗତା ପାଖରେ ବସିଲା । ହସି ହସି ହୋଇ କହିଲା, ସୁନାକୁ ବାୟା ଘିଚି ନେଇ ପଳେଇଲା । ଜାଣୁ କି ମାଗତା, କାହାର ଶିକ୍ଷାରେ ସୁନା ଗଲା ? ଏଇ ଲତାର ଶିକ୍ଷାରେ ।

ମାଗତା ପଚାରିଲା, ଲତାର ?

ପୁଲକି କହିଲା, ହଁ, ସବୁ ସେ ଜାଣେ । ଆଗରୁ ସବୁ ଠିକ୍ କରିଥିଲା । ଲତା ମନେକରିଚି ସୁନା ପଳାଇଲେ ତୁଇ ତାକୁ ଧାଙ୍ଗଡ଼ୀ କରିବୁ । ଆଉ ତ କେହି ନାହିଁ ।

ମାଗତା ଦାନ୍ତ ରଗଡ଼ିଲା । ପାଖରେ ପଡ଼ିଥିବା ଟାଙ୍ଗୀ ଧରି ଆଖି ତରାଟି କହିଲା, ଧାଙ୍ଗଡ଼ୀ କରିବି, ଧାଙ୍ଗଡ଼ୀ ! ଲତାର ମୁଣ୍ଡ ହାଣିବି । ଝୋଲାରେ ପକାଇବି । ହଁ, ଲତାର ମୁଣ୍ଡ ହାଣିବି । ସେଇ ଏକା ସୁନାକୁ ଭଗେଇ ଦେଲା ।

 

ପୁଲକି ମାଗତାର ହାତରୁ ଧୀରେ ଧୀରେ ଟାଙ୍ଗୀ ଟାଣି ନେଲା । ମାଗତାର ଅତି ପାଖକୁ ଲାଗି ଆସି ତା’ର ମୁହଁକୁ ପିପାସାକୁଳ ଆଖିରେ ଚାହଁ କହିଲା, ଲତାର ମୁଣ୍ଡ ସିନା ହାଣିବୁ, ହେଲେ, ସୁନାକୁ ତୁ ପାଇବୁ ନାଇଁ । ବାୟାର ସାଥିରେ ସୁନା ପଳେଇଚି, କେତେଦୂରକୁ, ରାଙ୍ଗାମ ।

ରାଙ୍ଗାମ ? ସୁନା ଆର୍ ଫେର୍‍ବ ନାଇଁ ? ପୁଲକି, ସେ ଯାଉ, ତାକୁ ଜାକରା ଖାଉ, ତାକୁ ବାଘ ଖାଉ, ତାକୁ ମୁଁ ଧାଙ୍ଗଡ଼ୀ କରିବି ନାଇଁ । ମୁଇଁ ମଦ ରାନ୍ଧିବି, ଆର୍ ପିଇବି । ଭଲ ହେବ-। ଲତାକୁ–

ମାରିବୁ ନାହିଁ ମାଗତା, ସେ ନିଜେ ମରିବ ।

ନିଜେ ମରିବ ? ଝୋଲା ଭିତରକୁ ଡେଇଁବ ? ବାଘ ଆଗକୁ ଯିବ ?

ପୁଲକି ତା’ର ଦୁଇ ହାତ ଧରିଲା । ବହଳ ଆଖିରେ ଚାହିଁଲା । କହିଲା, ମାଗତା–

କ’ଣ ପୁଲକି ?

ମୁଇଁ ତୋ ସାଥିରେ ଯିବି ।

ମୋ ସାଥିରେ ଯିବୁ ? ଏଁ -ତୁ ପୁଙ୍ଗିର ଧାଙ୍ଗଡ଼ୀ, ତୁଇ ମୋ’ର ବଂଶ ଭଉଣୀ–

ପୁଙ୍ଗି ଖମ୍ବାରି ହୋଇଚି । ସେ ସାହୁକାର ଘରେ ରହୁଚି । ମୁଁ ତା’ ପାଖରେ ରହିବି ନାଇଁ-। ତୁଇ ଯଦି ନ ନେଉ, କେଣେ ହେଲେ ପଳେଇବି । ତୁଇ ମୋ’ର ବଂଶ ଭାଇ ସିନା, ମୋ’ର ଭାଇ ତ ନହୁ । ତୋ’ର ପଇସା ଅଛି, ଗାଁ ଲୋକଙ୍କୁ ଜୋରିମାନା ଦେବୁ । ପୁଙ୍ଗି ଝୋଲା ଟଙ୍କା ଫେରାଇ ଦେବୁ । ଭୋଜି ଦେବୁ ସବୁଙ୍କୁ ।

ହଁ, ଟଙ୍କା ଅଛି । ହେଲେ, ଫୁଙ୍ଗି ମତେ ମାରିବ ନାଇଁକି ?

ପୁଂଗି ମାରିବି ତତେ ? ତୁଇ ନାଇକର ପୁଅ, ତୋ’ର କିଏ କ’ଣ କରିବ ?

ମାଗତା ଭାବିଲା । ପୁଲକିକୁ ଚାହିଁଲା । ପୁଲକିର ହାତ ଧରିଲା । ମନର ଆଦିମ ପ୍ରକୃତି ପୁଲକି ଆଡ଼କୁ ଢଳାଇ ଦେଲା । ସୁନା ପଳେଇଚି, ଲତାକୁ ସେ ଚାହେଁ ନାହିଁ । ପୁଲକି ଭଲ, ପୁଙ୍ଗି ଖମ୍ବାରି । ତା’ ପାଖରେ ପୁଲକି ରହିବ ନାହିଁ । ପୁଲକିକୁ ସେ ଧାଙ୍ଗଡ଼ୀ କରିବ । ପୁଲକିକୁ ସାଥିରେ ନେଇ ଡୋଙ୍ଗରକୁ ପଳାଇବ ।

ସତେ ପୁଲକି, ଯିବା ?

ପୁଲକି ଠିଆହେଲା । ଉତ୍ତର ଦେଲା ନାହିଁ ।

ମାଗତା ଉଠିଲା । ପୁଲକିର ହାତ ଧରି କହିଲା ଚାଲ । ତୁଇ ଆଗେ ଆଗେ ଚାଲ । ମୁଁ ତୋ’ର ପଛେ ପଛେ ଯିବି । ଡୋଙ୍ଗରକୁ ଯିବା ନାହିଁରେ ପୁଲକି–ରାତିରେ ବାଘ ଖାଇବ । ଜଙ୍ଗଲ ବାଟରେ ମୋ’ର ମାଉସୀ ଘରକୁ ପଳାଇବା–ବିଶିପଦର । ଗୋଟେ ଡୋଙ୍ଗର ଡେଇଁଲେ, ଆର ଡୋଙ୍ଗର ଉପରେ । ଚାଲ ପୁଲକି, ତୁଇ ମୋ’ର ଧାଙ୍ଗଡ଼ୀ ହେବୁ । ମୁଇଁ ହେବି ତୋ’ର ଅଣ୍ଡରା ।

ପୁଲକି ପୁଲକିତ ହୋଇ ମାଗତାର ଛାତି ଉପରେ ମୁହଁ ରଖିଲା । ମାଗତା ତା’ର ମୁଣ୍ଡ ଆଉଁସିଲା । ଦୁହେଁ ଧୀରେ ଧୀରେ ପୁଙ୍ଗିର ଘର ଭିତରୁ ବାହାରି ଗଲେ ।

ପୁଲକିର ନାମ ଧରି ଡାକି ଡାକି ପୁଙ୍ଗି ଆସିଲା । ଦେହଯାକ ନହୁ ନୁହାଣ । ମୁଣ୍ଡରେ ବନ୍ଧା ହୋଇଚି ଖଣ୍ଡେ ପଟି । ହାତରେ ବାଡ଼ ଧରି ଛୋଟେଇ ଛୋଟେଇ ଚାଲୁଚି ।

ଏ ପୁଲକି, ପୁଲକି, ପୁଲକି–

ଘର ଭିତରକୁ ଯାଇ ପୁଙ୍ଗି ତାକୁ ଖୋଜିଲା । ପୁଲକି ନାହିଁ । ନାଉ ତୁମା ପଡ଼ିଚି । କାହାର ଟାଙ୍ଗି ଖଣ୍ଡେ ଥୁଆ ହୋଇଚି । କ୍ଲାନ୍ତ ହୋଇ କାନ୍ଥକୁ ଆଉଜି ବସିଲା । ଦେହ ଝୋଲା ମାରିଯାଉଥାଏ । ପୁଣି ଡାକିଲା ପୁଙ୍ଗି, ପୁଲକି-ଇ, ପୁଲକି-ଇ–

ପୁଲକିର ଜବାବ ନାହିଁ । ଘର ଆଗରେ ଯାଉଥିଲା ପୁଲକିର ମା’ । ସେ ଘର ଭିତରକୁ ଆସିଲା । ପଚାରିଲା, କିସ୍ ହେଲାରେ ପୁଙ୍ଗି, ପୁଲକି ନାଇଁକି ?

ପୁଙ୍ଗି ମୁଣ୍ଡ ହଲାଇ ନାହିଁ କଲା । କହିଲା, ମା’, ପାଣିକି, ପେଜ ଟିକେ ଦେ ।

ପୁଲକିର ମା’ ହାଣ୍ଡିରୁ ପେଜ (ପଇତି) ଆଣି ଦେଲା । ପୁଙ୍ଗି ଢକ ଢକ କରି ପିଇଦେଲା-

ପୁଲକିର ମା’ ପଚାରିଲା, କିଏ ତତେ ମାରିଲାକିରେ ପୁଙ୍ଗି ?

ମାରିନାହିଁ ମା’ । ସାହୁକାରର ଘର ତୋଳା ହୋଇଚି । କାନ୍ଥ ଉପରକୁ ପଥର ନେଉଥିଲି । ଗୋଡ଼ ଖସିଗଲା । ପଡ଼ିଗଲି ତଳେ । ମୁଣ୍ଡ ଫାଟିଗଲା । ସାହୁକାର ଭଲ ମଣିଷ, ମୁଣ୍ଡରେ କନା ବନ୍ଧେଇଲା । ଭାତିଆ ଦେଲା । ଦି ଦିନ ସିଲ୍ (ଛୁଟି) ଦେଇଚି । ଚାରିଅଣା ପଇସା ଦେଇଚି ।

ସତେ, ସାହୁକାର ଭଲ ମଣିଷ । ହେ ପୁଙ୍ଗି, ତୁ ଶୋଇଥାରେ । ମୁଁ ପୁଲକିକୁ ଡାକୁଚି । କାଠ, ପତର, କି ପାଣିଲାଗି କେଉଁଠିକି ଯାଇଥିବ । ତୁ ଶୋଇପଡ଼–

ପୁଲକିର ମା’ ଘାସବୁଣା ଚଟେଇ ଖଣ୍ଡେ ଦଉଡ଼ିଆ ଖଟରେ ପକାଇ ଦେଲା । ପୁଙ୍ଗିର ହାତ ଧରି ଉଠାଇ ତାକୁ ଖଟରେ ଶୁଆଇଲା । ଘରର ତାଟି ଆଉଜାଇ ଆଣିଲା । ଘରୁ ବାହାରକୁ ଆସି ଏଣେ ତେଣେ ଚାହିଁ ମନକୁ କହିହେଲା, ପୁଲକି ଗଲା କୁଆଡ଼େ ? ଦେଖେଁ–

ପାହାଡ଼ତଳ ନିଘଞ୍ଚ ଜଙ୍ଗଲ ଭିତରେ ଗୋଟାଏ ଗଛକୁ ଆଉଜି ବୁଦ୍ଧିଆ ଡମ୍ୱ ବସିଚି । ଦୂରେଇ କରି ଠିଆ ହୋଇଚନ୍ତି ସୁକ୍ରୁ ଓ ଚଇତୁ । ବେଳ ଦ୍ୱିପ୍ରହର । ପାଖର ଥୁଆ ହୋଇଚି ମଦ ହାଣ୍ଡି ।

ବୁଦ୍ଧିଆ ପଚାରିଲା, ସାହୁକାର ବି ସାଥିରେ ଆସୁଛି କି ସୁକ୍ରୁ ?

ସୁକ୍ରୁ କହିଲା, ଏକା ସାହୁକାର ? ମୁନ୍‌ସି ସଙ୍ଗରେ ଦାକାଲଗୁଡ଼ାର ଗାଁ ଲୋକେ, ସାହୁକାର ବନମାଳୀର ଶଳା ଗୋବିନ୍ଦ, ଦୁଇଜଣ ଜମାନ୍ ବି ଆସୁଚନ୍ତି । ସାହୁକାର ତତେ ସନ୍ଦେହ କରୁଚି ।

ବୁଦ୍ଧି ଡମ୍ବ ଭାବିଲା, ପଳାଇ ଗଲେ ନିସ୍ତାର ନାହିଁ । ମୁନ୍‌ସି ତା’ କଥା ଭଲକରି ଜାଣେ ।

ବୁଦ୍ଧି କହିଲା, ସାହୁକାରର ଯେଉଁ ପୁଢ଼କୁ ବାୟା ଜଙ୍ଗଲ ଭିତରେ ବାନ୍ଧି ରଖିଥିଲା ତାକୁ ତେମେ ମାରି ଖାଇଲ । ପୋଲିସ୍ କ’ଣ ତମୁକୁ ଛାଡ଼ିବ ଭାବିଚ ?

ଚଇତୁ କହିଲା, ତୁଇ କହିଲାକୁ ସିନା ଆମେ ତାହା କଲୁଁ ।

ବୁଦ୍ଧି ପଚାରିଲା, ମୁଣ୍ଡ ରଖିଲ କେଉଁଠି ?

ଚଇତୁ କହିଲା, ପଥର ଖୋଲରେ । ତୋ’ର କହିଲାପରି ବାୟାର ଟାଙ୍ଗିଟା ଚୋରିକରି ସେଇ ପାଖରେ ପକେଇ ଦେଇ ଆସିଚି ।

ଭଲ କାମ କରିଚୁ । ମୁନ୍‌ସି ଆଗରେ କହିବୁ ବାୟା ତୋ ଆଗରେ କହୁଥିଲା, ଗୁରୁମୂର୍ତ୍ତି ସାହୁକାର ଟଙ୍କା ନ ଦେଲା ତ ନାହିଁ, ସୁନାର ଲାଗି ସେ ଚୋରି କରିବ । କହିବୁ ନା ଚଇତୁ ?

କହିବି ।

ଶୁଣ ସୁକ୍ରୁ, ତୁ କହିବୁ ବାୟା କହୁଥିଲା ସୁନାକୁ ଘିଚି ନେବ । ତୁ ପଚାରିଲୁ, ଝୋଲାଟଙ୍କା ତା’ର ବାପକୁ କେମିତି ଦେବୁ ? ସେ କହିଲା ତତେ, ଟଙ୍କା, ଲୁଗା, ପୁଢ଼, ସବୁ ସେ ରଖିଚି ।

ସୁକ୍ରୁ କହିଲା, ମୁନ୍‌ସି ଯଦି ପଚାରେ ବାୟା କେଉଁଠୁ ଆଣିଲା ?

ବୁଦ୍ଧି ଉପଦେଶ ଦେଲା, ତୁ କହିବୁ, ବାୟା ସେ କଥା କହିଲା ନାହିଁ ।

ସୁକ୍ରୁ ଓ ଚଇତୁ ବୁଦ୍ଧିଆର କଥା ଭାବିଲେ । ମୁନ୍‌ସି ଆଗରେ ଏତିକି କହିଲେ ତ କିଛି କ୍ଷତି ନାହିଁ । ବିନା ପରିଶ୍ରମରେ ସେମାନେ ଟଙ୍କାରୁ ଭାଗ ପାଇଚନ୍ତି । ଆଉଦିନକୁ ଆଉଦିନେ ଅଛି-। ବୁଦ୍ଧିଆର କଥା ଶୁଣିଲେ ତାଙ୍କର ବିପଦ ନାହିଁ ।

ବୁଦ୍ଧି ପଚାରିଲା, ମୋ କଥା ମନେରହିଲା ?

ସୁକ୍ରୁ କହିଲା, –ହଁ !

ବୁଦ୍ଧି କହିଲା, ତେମେ ଦିହେଁ ମୋ ପାଖରୁ ଚାଲିଯାଅ । ମୁନ୍‌ସି ପାଖକୁ ଏକାଠି ଯିବ ନାହିଁ । ସୁକ୍ରୁ ତୁ ଆଗ ଯିବୁ । ଚଇତୁ ତୁ ପରେ ଯିବୁ ।

ସୁକ୍ରୁ ଓ ଚଇତୁ ଚାଲିଗଲେ । ବୁଦ୍ଧିଆ ଉଠି ଠିଆହେଲା । ଚାରିଆଡ଼କୁ ଚାହିଁଲା । ଗଛ ଗହଳି ଦି’ଭାଗ କରି ଯେଉଁ ଚଲାବାଟଟି ଉଠି ପଡ଼ି ବଙ୍କେଇ ବଙ୍କେଇ ଗାଁ ଆଡ଼କୁ ଗଡ଼ିଛି, ସେହି ବାଟରେ ଦୁଇଜଣ କିଏ ଆସୁଥିଲା ପରି ମନେହେଲା । ବୁଦ୍ଧିଆ ନଇଁପଡ଼ି ଏଣିକି ତେଣିକି ଚାହିଁଲା, ଦେଖିଲା–ଖୁସିହେଲା, ମାଗତା ପୁଲକିର ହାତ ଧରି ଆସୁଚି ।

ପୁଲକି ଓ ମାଗତା ସେହି ବାଟରେ ଯାଉଁଣୁ ଆଗରେ ବୁଦ୍ଧିଆକୁ ଦେଖି ଚମକି ଠିଆହେଲେ । ବୁଦ୍ଧିଆ ହସି ହସି ପାଖକୁ ଗଲା । ପଚାରିଲା, କୁଆଡ଼େ ଯାଉଚ ମାଗତା ?

ମାଗତା କହିଲା, ମୁଁ ପୁଲକିକୁ ଘିଚି ନେଉଚି । ସେ ପୁଙ୍ଗିପାଖେ ରହିବ ନାହିଁ । ପୁଙ୍ଗି ଖମ୍ବାରି ହେଲା । ପୁଲକି ମୋ’ର ଧାଙ୍ଗଡ଼ୀ ହେବ । ପୁଙ୍ଗିର ଝୋଲା ଟଙ୍କା ମୁଁ ଫେରେଇ ଦେବି । ଆଉ କଅଣ ?

ବୁଦ୍ଧିଆ ତା’ର କଥା ସମର୍ଥନ କରି କହିଲା, ଆରେ, ନାଇକର ପୁଅ ମାଗତା, ଭଲ କରୁଚୁ । ପୁଲକି ଭଲ ଧାଙ୍ଗଡ଼ୀଟେ । ମୁଇଁ କନ୍ଧପିଲା ହେଇ ଥାଇତି ତ କେବଠୁଁ ପୁଲକିକୁ ଘିଚି ନେଇଯାଇତି । ହେଲେ ମାଗତା, ପୁଙ୍ଗି ଜାଣିବ ତ ତତେ ହାଣିଦେବ ନାଇଁକି ? ତା’ର ସାଥିରେ ଲଢ଼ିଲେ ପାରବୁ କି ?

ମାଗତା ନିଃସହାୟ ଆଖିରେ ପୁଲକିକୁ ଚାହିଁଲା ।

ପୁଲକି ଉତ୍ତେଜିତ ହୋଇ କହିଲା, ନାଇକର ପୁଅକୁ ହାଣିବ ପୁଙ୍ଗି ଖମ୍ୱାରି ? ମାଗତା ତା’ର ଟଙ୍କା ଦେବ ।

ମାଗତା ତା’ର ଟଙ୍କା ଦେବ । ମାଗତାର କ’ଣ ଟଙ୍କା ନାଇଁକି ?

ବୁଦ୍ଧି କହିଲା, ପୁଲକି ସତ କହୁଚି । ତେବେ ହେ ପୁଲକି, ମାଗତା ତୋ’ର ବଂଶ ଭାଇଟା ଯେ–

ମାଗତା କହିଲା, ମୁଇଁ ଜୋରିମାନା ଦେବି, ଗାଁ ଲୋକଙ୍କୁ ଖାଇବାକୁ ଦେବି । ବଂଶ ଭାଇ ହେଲେ କିସ୍‍ ହେଲା ?

ପୁଲକି କହିଲା, ଭାରି କଥାଟେ କହିଲୁ ତ । ଥୋୟାକା ହିଞ୍ଜୁ କିପରି ଥୋୟାକା ମିଲ୍ଲିକୁ ଘିଚିନେଲା । ପୁଣି ଧାଙ୍ଗଡ଼ୀ ହୋଇ ଘର କରୁଚନ୍ତି ।

ବୁଦ୍ଧି ସମ୍ମତି ଜଣାଇଁ କହିଲା, ସତକଥା କହିଲୁ । ଯା, ଯା–

ମାଗତା ଓ ପୁଲକି ଆଗକୁ ଚାଲିଲେ । ବୁଦ୍ଧିଆ ପଛରୁ ଡାକି କହିଲା, ସେଣେ ଯା ନାଇଁ ରେ, ବାଘ–

ମାଗତା ଚମକି ଠିଆହେଲା ।

 

ବୁଦ୍ଧି ପାଖକୁ ଯାଇ କହିଲା, ହଁରେ ମାଗତା, ମୁଇଁ ସେଣେ ଯାଉଥିଲି ସେଇ ପାହାଡ଼ତଳ ଝୋଲାରୁ ଡରିକରି ପଲେ ଜିଆଦ ଛୁଟି ପଳେଇଲେ । ମାଙ୍କଡ଼ ଖେଙ୍କିଲେ । ଡରିକରି ଏଇ ଗଛ ଉପରେ ମୁଁ ଚଢ଼ି କେତେବେଳୁ ବସିଥିଲି । ତମକୁ ଦେଖି ଓହ୍ଲାଇଲି ।

ମାଗତା ଭୟରେ ଡାକିଲା, ପୁଲକି– ।

ପୁଲକି ତା’ର ହାତ ଧରି କହିଲା, ବାଘକୁ ଡରୁଚୁ, ତୁଇ କନ୍ଧପିଲା ? ତୋ’ର ହାତରେ ଟାଙ୍ଗି ଅଛି, ବାଘ କିସ୍‍ କରିବ ?

ନାଇଁ ପୁଲକି, ବାଘ ଖାଇଦେବ ।

ପୁଲକି ମାଗତା ହାତରୁ ଟାଙ୍ଗୀ ଟାଣିନେଇ କହିଲା, ଦେ, ମତେ, ଟାଙ୍ଗୀ ଦେ । ଆ ମୋ’ର ପଛରେ । ବାଘ ଆଇବତ ମୁଇଁ ତାକୁ ହାଣିବି । ତୁଇ ଦେଖିବୁ ଚାଲ–

ନାଇଁ ପୁଲକି–

ବୁଦ୍ଧି କହିଲା, ଶୁଣ ପୁଲକି । ଆରେ, ତୋ’ର ମନ ମାଗତାଠିତ ମାଗତାର ମନ ତୋଠି ରାଜି । ବଣ ଜଙ୍ଗଲକୁ କି ବାଘର ମୁହଁକୁ ଯିବ କାହିଁକି ? ହେ ମାଗତା, ତୁଇ ପୁଲକିକୁ ନିଜର ଘରକୁ ନେଇ ଯା । ରଖ ତାକୁ ଧାଙ୍ଗଡ଼ୀ କରି । ନାଇକ ପଚାରିଲେ ସେଇଆ କହ । ପୁଙ୍ଗି ଆସିଲେ, ତାକୁ ଟଙ୍କା ଦେଇଦେବୁ । ସୁନାକୁ ତ ବାୟା ନେଲା । ଲତାକୁ ତୋ’ର ବାପ ଚାହେଁ ନାହିଁ-। ପୁଲକିକୁ ତୋ’ର ବାପ ନାଇକ ଭଲ ପାଏରେ ।

ପୁଲକି ଆଗ୍ରହରେ ବୁଦ୍ଧିଆକୁ ଅନେଇଲା । ବୁଦ୍ଧିଆ ବୁଝିଲା ତା’ର କଥା ପୁଲକିର ମନକୁ ପାଇଚି । ସେ କହିଲା, କେତେଦିନ ତଳେ ନାଇକ ମତ କହୁଥିଲା, ହେ ବାରିକ, ପୁଲକି ଯଦି ମୋ’ର ବଂଶର ଝିଅ ହୋଇ ନ ଥାନ୍ତା, ମାଗତାର ଲାଗି ତାକୁ ମୁଇଁ ଆଣିଥାନ୍ତି । ମାଗତା ସିନା ସୁନାକୁ ଚାହୁଁଚି, ହେଲେ ସୁନା କି ପୁଲକି ଲାଖି ହେବ କିରେ ? ମୁଇଁ ତୁନି ପଡ଼ିଲି । କିସ୍ ଆର କରନ୍ତି । ମାଗତା ତ ସୁନାର ପଛରେ ଗୋଡ଼ାଇଚି । ସୁନା ତ ଗଲା, ମାଗତା ଚାହିଁଲା ପୁଲକିକୁ । ଭଲ ହେବ ପୁଲକି, ନାଇକ ମଙ୍ଗିବ ।

ବୁଦ୍ଧିଆ ତୁନି ହେଲା । ମାଗତା ଓ ପୁଲକି ବୁଦ୍ଧିଆର କଥା ଭାବିଲେ, ବାରିକ ଭଲ କଥା କହୁଚି ତ !

ପୁଲକି ପଚାରିଲା, ହେ ବାରିକ, କିସ୍ ତେବେ କହୁଚୁ ତୁଇ ?

ତମର ଭଲକୁ ମୁଇଁ କହୁଚି । ତୁ ପୁଙ୍ଗି ଘରକୁ ଫେରିଯା । ରହ ଆଉ ଦୁଇ ଚାରଦିନ । ମନର କଥା ଆଉ କାହାକୁ କହିବୁ ନାଇଁ । ମୁଁ ନାଇକକୁ ସବୁ କଥା କହିବି । ମୋ’ର କଥାରୁ ସେ ବାହାର ହେବ ନାହିଁରେ ପୁଲକି, ମୁଇଁ ଗାଁଆର ବାରିକ ନୁହେଁକି ? ନାଇକ ମଙ୍ଗିଲେ, ଆଉ ଭାବନା କ’ଣ ? ପୁଙ୍ଗି କିସ୍ କରିବ ?

ମାଗତା କହିଲା, ସତ ଏକା । ଦିନ ଚାରିଟା ପୁଙ୍ଗି ପାଖରେ ରହ ପୁଲକି, ନାଇକ ମଙ୍ଗିଲେ ମାଗତା ତତେ ଧାଙ୍ଗଡ଼ୀ କରି ତା’ ଘରକୁ ନେବ । ମତେ କ’ଣ ଦେବୁରେ ପୁଲକି ? ତୁ ମାଗତାର ମାଇପ ହେବୁ, ନାଇକର ବୋହୂ ହେବୁ, ପେଜ ଦେବୁ ନାଁ ? ଭୁଲିବୁ ନାଇଁ ତ ?

ପୁଲକି ହସିଲା । କହିଲା, ଦେବିରେ ବାରିକ, ତୁଇ ବଞ୍ଚିଥିବା ଯାକେ ଦେଉଥିବି ।

ବେଶ୍, ତୁଇ ଘରକୁ ଫେରିଯା ପୁଲକି । ମାଗତା, ତୁଇ ରହ ମୋ ପାଖରେ । ତୋତେ ସାଙ୍ଗରେ ନେଇ ମୁଁ ନାଇକ ଆଉ ଦିଶାରି ପାଖକୁ ଯିବି । ସବୁ ଠିକ୍ ହୋଇଯିବ । ପୁଲକି ତୁଇ ଯା, ଆଜି ଏକା ଜାକରା ପାଖରେ ଦିଟା କୁକୁଡ଼ା ଦେ । ମନର କଥା ମନରେ ରଖ । ବୁଝିଲୁ ?

ପୁଲକି ସବୁ ବୁଝିଲା । ବାରିକ ଉପରେ ଖୁସି ହେଲା । ଭାବିଲା, ନାଇକର ବୋହୂ ହେଲେ ବାରିକକୁ ଟଙ୍କା ଦେବ, ଲୁଗା ଦେବ, ପୁଣି ନିତି ଦେବ ଭାତ । ଟାଙ୍ଗିଟା ମାଗତା ହାତକୁ ଦେଇ, ଆନନ୍ଦରେ ପୁଲକି ଫେରିଲା । ନାଇକର ବୋହୂ ସେ ହେବ । ପୁଙ୍ଗିକୁ ସିନା ଦିନେ ଭଲ ପାଉଥିଲା, ପୁଙ୍ଗିର ଦେହରେ ବଳ ଅଛି, ସେ ଭଲ ପିଲା, କିନ୍ତୁ ପୁଙ୍ଗି ଖମ୍ବାରି ହେଲା । ପୁଲକି ହେଲା ଏକୁଟିଆ ।

ପୁଲକି ଗହନ ବନର ଗଛ ଗହଳି ତଳେ ଛପି ଗଲା ।

ବୁଦ୍ଧିଆ ମାଗତାର କାନ୍ଧରେ ହାତ ପକାଇ କହିଲା, ବସ୍ ଏଇଠି ମାଗତା ।

ଚାଲ ଯିବା ବୁଦ୍ଧିଆ, ବାଘ ଆସିବ ଯଦି–

ବାଘ ଡୋଙ୍ଗର ସେପାଖକୁ ଚାଲି ଗଲାଣି । ତୁଇ ବସ ମୋ’ ପାଖରେ । ତତେ କେତେ କଥା କହିବି । ତୁଇ ମୋ’ର ପିଲା ଦିନର ସାଙ୍ଗଟା । ତୋ ବାପର ପରେ ତୁଇ ହେବୁ ଗାଁର ନାଇକ-। ମୁଁ ହେବି ତୋ’ର ବାରିକ ମୋ’ର କଥା ତୁଇ ଶୁଣିବୁ ତ ?

ମାଗତା ବୁଦ୍ଧିଆ ପାଖରେ ବସିଲା । ବୁଦ୍ଧିଆ ତାକୁ ମଦ ଦେଲା । ମାଗତା ପିଇଲା । ବୁଦ୍ଧିଆ ମଧ୍ୟ ପିଇଲା ।

କଥାଟେ ପଚାରିବି ସତ କହିବୁ କି ମାଗତା ?

କିସ୍ କଥା ?

ତୁଇ ସୁନାକୁ ଧାଙ୍ଗଡ଼ୀ କରିବୁ ଲତାକୁ କି ପୁଲକିକୁ କରିବୁ । କାହାଠି ତୋ’ର ମନ ?

ମାଗତା କହିଲା, ସୁନାକୁ ବାୟା ନେଲା । ସୁନା ମତେ ଚାହେଁ ନାଇଁ । ଲତା ମତେ ଚାହେଁ । ମୁଁ ତାକୁ ଚାହେଁନା । ବାପ କହିଲା, ଲତାର ସାଥିରେ ମିଶିବି ନାଇଁ । ପୁଲକିକୁ ମୁଁ ଚାହିଁଥିଲି । ସେ କହିଲା ସେ ହେବ ପୁଙ୍ଗିର ମାଇପ । ହେଲା ତ । ପୁଙ୍ଗି ହେଲା ଖମ୍ବାରି । ପୁଲକି ତାକୁ ଚାହୁଁ ନାହିଁ । କହୁଚି, ମୋ’ର ଘରକୁ ଆସିବ । କହୁଚି, ହେ ମାଗତା, ଘିଚି ନେ ମତେ । ମୁଁ କହିଲି, ଚାଲ–

ବୁଦ୍ଧିଆ ତୁନି ତୁନି କହିଲା, ମାଗତା, ସୁନାକୁ ମାଇପ କରି ନେବୁ କି ? ବାୟାକନ୍ଧ ତତେ ଠକି ନେବ ? ତୁଇ ନାଇକର ପୁଅ ପୁଣି ମୁଁ ତୋ’ର ବାରିକ ପିଲାଦିନର ସାଙ୍ଗ । ତା’ ହାତରୁ ସୁନାକୁ ଆଣି ମୁଁ ତୋ ହାତରେ ଦେବି ।

ଏଁ– ?

ଯାହା କହୁଚି ସତ କଥା ।

ମତେ ବାୟା ମାରି ଦେବ ନାଇଁକି ?

ସୁନା ହେବ ତୋ’ର ଆଉ ବାୟା ଶିକ୍ଷା ପାଇ ଜେଲରେ ରହିବ ।

କିପରି ଏହା ହେବ ?

ହେବ କଅଣରେ, ସବୁ ହୋଇସାରିଛି । ତୋରି ପାଇଁ ଆଗରୁ ମୁଁ ସବୁ ଠିକ୍ କରି ରଖିଛି-। ମୋ ନାଇକର ପୁଅକୁ ବାୟା ଠକିବ କି ?

ବୁଦ୍ଧିଆ ତା’ର ବିଚାରିଲା ଫନ୍ଦି କଥା ମାଗତାର କାନ ପାଖରେ ତୁନି ତୁନି କହିଲା । ମାଗତା ଖୁସି ହୋଇ ବୁଦ୍ଧିଆକୁ କୁଣ୍ଢାଇ ଧରିଲା । ବୁଦ୍ଧିଆ ପୁଣି ତା’ର କାନ ପାଖରେ ମନକଥା କହିଲା । ମାଗତା ମୁଣ୍ଡ ହଲାଇ ସମ୍ମତି ଜଣାଇଲା ।

ବୁଦ୍ଧିଆ ପଚାରିଲା, ହେଲା ତ ? ବେଶ୍, କଅଣ କହିବୁ ମୁନ୍‌ସି ଆଗରେ ?

ମାଗତା କହିଲା, କହିବି, ରାତିରେ ତୁଇ ଆଉ ମୁଇଁ ଜିଆଦ ଶିକାର କରିବାକୁ ଝୋଲା ପାଖରେ ଜଗିଥିଲୁଁ । କିଏ ଦୁଇ ତିନିଜଣ ଆସିଲେ ସେ ବାଟରେ । ଜଣେ ପଟେ ପୁଢ଼ ଧରିଥିଲା । ଦି ତିନିଜଣ ଆଗରେ ଚାଲିଗଲେ । ପଛରେ ଆଉ ଜଣେ ଆସିଲା । ତୁଇ ଆଉ ମୁଁ ତା’ ପାଖକୁ ଗଲୁ–

ଆଉ କଅଣ କହିବାକୁ ହେବ ମାଗତା ଭୁଲିଗଲା । ସେ ତୁନି ରହିଲା ।

ତୁନି ରହିଲୁ ଯେ ।

ଭୁଲିଗଲି ବାରିକ ।

ଶୁଣ, ମୁଇଁ ବାରିକ ତାକୁ ଧରିଲି । ତୁଇ ନାଇକର ପୁଅ ମୋ ପାଖକୁ ଗଲୁ । ସେଇ ଚୋର ଲୋକଟା ଏଇ ବାୟା କନ୍ଧ । ତା’ କାନ୍ଧରେ କେତେ ଲୁଗା ପଡ଼ିଥିଲା । କାନିରେ କେତେ କଅଣ ବାନ୍ଧିଥିଲା । ବୁଝିଲୁ କି ?

ହଁ ବୁଝିଲି । ପୁଣି କହିବି, ଆମେ ତାକୁ ପଚାରିଲୁ, ସେ କିଛି କହିଲା ନାହିଁ । ବାରିକ ହାତରୁ ହାତ ଟାଣି ନେଇ ପଳେଇଲା । ଏଇଆ କହିବାକୁ ଶିଖାଇଲୁ ତ ବାରିକ ମୁଇଁ ଭୁଲି ଯିବି କି-? ବାୟା ଚୋର ହେବ, ବାୟାକୁ ମୁନ୍‌ସି ବାନ୍ଧିନେବ । ଶିକ୍ଷା କରାଇବ । ସୁନା ହେବ ମୋ’ର ଧାଙ୍ଗଡ଼ୀ । ନୁହେକି ବାରିକ ? ପୁଙ୍ଗି ସଙ୍ଗରେ ପୁଲକି ଥାଉ ।

ବୁଦ୍ଧି ବାରିକ ମାଗତାର ପିଠି ଥାପଡ଼ କହିଲା, ସାବସ୍ । ତୁଇ ମୋ’ର ନାଇକର ପୁଅ, କାଲି ପୁଣି ନାଇକ ହେବୁ । ମୁଁ ହେବି ତୋ’ର ବାରିକ । ତୋ ପାଇଁ ମୁଁ ସବୁ କରିଦେବି । ମୁଁ କ’ଣ କହୁଛି ଶୁଣ । ମନେରଖ । ମୁନ୍‌ସି ଆଗରେ କହିବୁ । କୋଟ ଘରେ କହିବୁ । ବାୟାକୁ ଶିକ୍ଷା କରାଇବା । ସୁନା ଭଲ ଝିଅଟେରେ ମାଗତା ! ସେ ତୋ’ର ଧାଙ୍ଗଡ଼ୀ ହେବ ।

କିସ୍ କହିବି ନାଇକ ?

କହିବୁ ଆମେ ଦିହେଁ ତା’ ପଛରେ ଗୋଡ଼େଇଲୁ । ବାୟା ଝୋଲା ସେ ପାଖେ ଡୋଙ୍ଗର କଡ଼ରେ ଲୁଚିଗଲା । ତାକୁ ଖୋଜି ଖୋଜି ପାଇଲୁ ନାଇଁ ।

ମାଗତା ବୁଦ୍ଧିଆର କହିବାମତେ ସବୁକଥା ଆବୃତ କଲା । ବୁଦ୍ଧିଆ ବାରମ୍ବାର ତାକୁ ଶିଖାଇଲା । ଖୁସି ହୋଇ ମାଗତାର ପିଠିରେ ହାତ ମାରି କହିଲା, ବେଶ୍ ମନେରଖିଥା ମାଗତା । ଏତିକି କହିବୁ । ମୁଁ ବି କହିବି ।

ଡୋଙ୍ଗର କଡ଼ରେ ଅଗନାଗ୍ନି ବଣ । ତାରି ଭିତରେ ଡୋଙ୍ଗରକୁ ଗୁଡ଼େଇ ହୋଇ ଗୋଟିଏ ଝୋଲା । ତଳର ପଥରମାଳ ଉପରେ ଝରି ଝରି କୁଳୁକୁଳୁ ହୋଇ ଝରଣାଟି ବହି ଯାଉଚି-। ସେଇ ଝରଣା କୂଳରୁ ଟିକିଏ ଛାଡ଼ି ଗୋଟାଏ ବଡ଼ ପଥରକୁ ଲାଗି ଭଙ୍ଗା କୁଡ଼ିଆ । କୁଡ଼ିଆ ଆଗରେ, ଝୋଲାକୂଳ ପଥର ଉପର ଗଛମୂଳରେ ବସିଚନ୍ତି ସୁନା ଓ ବାୟା ।

ସୁନା ପିନ୍ଧିଛି ଖଣ୍ଡେ ନାଲି ଶାଢ଼ୀ । ବେକ ଉପରୁ ଓହଳିପଡ଼ିଛି ଲମ୍ବା ସୁନାହାର । ଛାତି ଉପରେ ଦୋହଲୁଛି ପଦକ । ବେକରେ ପୁଣି କେତେ ରଙ୍ଗର କାଚମାଳି ଓ ପୋହଳା । ଜଡ଼ାତେଲ ଲାଗି ମୁଣ୍ଡ ଦିଶୁଛି ଚିକ୍ ଚିକ୍ । ବାଳ ଉପରେ ଖୋସା ହୋଇଛି ଫୁଲ ।

ବାୟା ବସିଛି ତା’ପାଖରେ । ପିନ୍ଧିଛି ଖଣ୍ଡେ ଧୋବ ଫର୍‌ଫର୍ ଲୁଗା ।

ବାୟା ସୁନାର କାନ୍ଧରେ ହାତ ପକାଇଲା । ତା’ର ମୁଣ୍ଡକୁ ଛାତି ଆଡ଼କୁ ଟାଣିନେଇ ଗେଲ କଲା । କେଡ଼େ ଆନନ୍ଦ କେଡ଼େ ଫୁର୍ତ୍ତି ତା’ ମନରେ, ସୁନା ଆଜି ତା’ର ହୋଇଛି । ଗରିବ ହେଲେ ମଧ୍ୟ ଜାକର ଠାକୁରାଣୀ ଦୟାରୁ ସେ ସୁନାକୁ ପାଇଛି । ମାଗତା ହାରିଛି । ମାଗତା ଆଉ ସୁନା ଆଡ଼କୁ ଅନାଇଁ ପାରିବ ନାହିଁ ।

ସୁନାର ମନରେ ସେମିତି ଆନନ୍ଦ । ବାୟା ତାକୁ ଘିଚି ଆଣିଚି । ଶାଢ଼ୀ ସୁନାହାର ଦେଇଚି । ବାହାଘର ତ ସରିଲା । ଏଥର ଝୋଲାଟଙ୍କା, ଗାଁ ଲୋକଙ୍କୁ ଭୋଜି, ନାଟ ଗୀତ, ପୁଣି ପ୍ରଥା ଅନୁସାରେ ସାମାନ୍ୟ କେତେକ ଆଦି ବିଧି କର୍ମ ! ବାୟା ଟଙ୍କା ରଖିଛି । ବୁଦ୍ଧି ଡମ୍ବ ପୁଣି ତା’ ପାଇଁ ରଖିଛି ପୁଢ଼ ।

ଭଲ ସାଙ୍ଗଟେ ବୁଦ୍ଧି ଡମ୍ବ ।

ବାୟା କହିଲା, ଗୀତ ବୋଲ ସୁନା ।

ତୁଇ ବୋଲ ଆଗ ।

ନାଇଁ ତୁଇ ବୋଲ । ଆମର ପାଟି ଶୁଣିଲେ ବାଟ ଧରି ତୋ’ର ବାପା, ନାଇକ, ଆଉ ଗ୍ରାମ ଲୋକେ ଆସିବେ । ଆସିଲେ ସିନା ଝୋଲା ଟଙ୍କା ଦେବି । ପୁଣି ଫେରିଯିବା ଗାଁକୁ । ଏଇ ଜଙ୍ଗଲ ମଝିରେ ବାଘପଲ ଭିତରେ କେତେଦିନ ଆଉ ରହିବା ?

ବୁଦ୍ଧିଆ ବାରିକ ମୋ ବାପକୁ ଆଉ ଗ୍ରାମଲୋକଙ୍କୁ ଖବର ଦେଇଥିବ ।

ସେମାନେ ଆସୁଥିବେ । ବେଳ ମୁଣ୍ଡଉପରକୁ ଉଠିଲାଣି । ଗୀତ ବୋଲିବାକୁ ମନ ଡାକୁନାହିଁ ।

ଚାଲ ତେବେ ଜଙ୍ଗଲ ଭିତରେ ବୁଲିବା ।

ସୁନାର ହାତଧରି ବାୟା ଉଠିଲା । କାହାର ପାଟି ଶୁଭିଲା ଦୂରରୁ ବନ ଗହନ ସେପାରିରୁ । ସୁନା କହିଲା, ରହ ବାୟା, ସେମାନେ ଆସୁଛନ୍ତି । ଆଉ କୁଆଡ଼େ ଯିବାନାହିଁ । ଗ୍ରାମ ଲୋକେ ଆସିବେ । ଆମୁକୁ ନ ଦେଖି ପୁଣି ଜଙ୍ଗଲ ଭିତରେ ଖୋଜି ଖୋଜି ହଇରାଣ ହେବେ । ହସିହସିକା ପୁଣି ସେ କହିଲା, ପିଠିକୁ ପଥର ପରି ଟାଣ କରିବୁ ହେ ବାୟା, ମୋ’ର ଭାଇ, ପୁଣି ଗାଁ ଟୋକାଏ ତତେ ଆଜି ଛାଡ଼ିବେ ନାହିଁ । ତୋ’ ପିଠିରେ ଆଜି କେତେ ମାଡ଼ ବସିବ ।

ମାଡ଼କୁ ଡରେ କି ସୁନା ? ତୋ’ ଲାଗି ମୋ ପିଠିକୁ ମୁଁ ପଥର କରିବି ।

କୋଳାହଳ ପାଖେଇ ଆସିଲା । ସୁନା ଓ ବାୟା ଚାରିଆଡ଼କୁ ଚାହିଁଲେ ।

ସୁନା ଖୁସିହୋଇ ବାୟାକୁ କୁଣ୍ଢାଇ ଧରିଲା । ବାୟା ତା’ର ମୁଣ୍ଡରେ ମୁଣ୍ଡ ଲଗାଇ ପିଠି ଆଉଁସିଲା । ସୁନା ପୁଣି ସିଧାସଳଖ ଠିଆ ହୋଇ କହିଲା, ମୋ’ର ବାପ ଭାଇ ଆସୁଛନ୍ତି । ବାୟା, ଆମେ ପୁଣି ଗାଁକୁ ଯିବା ଫେରି । ମାଗତା ବାହାହେବ ଲତାକୁ । ତା’ ଛଡ଼ା ଆଉ ଅଛି କିଏ ? ଲତାଟା ଭଲ ଝିଅ । ମୋ’ର ପିଲାଦିନର ସାଙ୍ଗ । ଲତା ହେବ ନାଇକର ବୋହୂ । କେଡ଼େ ସୁଖରେ ରହିବ । ଲତା ଖୁସି ହେବ । ଆଉ ଆମେ– ?

ଆମେ ବି ଖୁସି ଆନନ୍ଦରେ ରହିବା ସୁନା, ନାଇକକୁ ମାଗିଲେ ସେ ଖଣ୍ଡେ ଭୂମିଦେବ । ଭୂମି ତଷିବା । ପୋଡ଼ୁ ଚାଷ କରିବା । ମୁଇଁ ବେଳ ପାଇଲେ କୁଲି କରିଯିବି । ଆମେ ବି ସୁଖରେ ରହିବା । ନୂଆ ଘର ବାନ୍ଧିବା ।

ସୁଖରେ ରହିବା ବାୟା । ତୋ’ ସାଥିରେ ମୁଇଁ ସଦାବେଳେ ଥିବି । ତୋ’ ସଙ୍ଗେ ମିଶି କୁଲି-କରିବି । ଡୋଙ୍ଗର ଜଗିବି–

କୋଳାହଳ ପାଖେଇ ଆସିଲା । ବଡ଼ ପଥର କଡ଼ ବାଙ୍କୁଲି ବାଟରୁ, ଗଛ ଗହଳି ଭିତରୁ ବାହାରି ପଡ଼ିଲେ ଏକ ସଙ୍ଗେ ଅନେକ ଲୋକ । ବାୟା ଓ ସୁନାଙ୍କର ଆଗରେ ଠିଆ ହେଲେ -ମୁନ୍‌ସି ବାବୁ, ଜଣେ ଜମାନ୍, ଜାନି ଭେଡ଼ିକା, ନାଇକ ନୋକା, ଦିଶାରି, ମାଗତା, ବୁଦ୍ଧିଆ, ସୁକ୍ରୁ, ଚଇତୁ ପୁଣି ବନମାଳି ସାହୁକାର ।

ମୁନ୍‌ସି ପଚାରିଲେ, ଏଇ ତୋ’ର ଝିଅ ସୁନା ?

ଭେଡ଼ିକା ଉତ୍ତର ଦେଲା, ଚିତ୍ତ ମହପ୍ରଭୁ । ରକ୍ଷାକର ।

ମୁନ୍‌ସି ପଚାରିଲେ, କିରେ ନୋକା ନାଇକ, ଏଇ ଟୋକାର ନାଆଁ ବାୟାକନ୍ଧ ?

ହଁ, ଅଧିକାରୀ–

ବନମାଳି ସାହୁକାର ହାତଯୋଡ଼ି ଜଣାଇଲା, ଦେଖ ମୁନ୍‌ସି, ସୁନା ଯେଉଁ ଶାଢ଼ୀ ପିନ୍ଧିଛି, ବେକରେ ଯେଉଁ ସୁନାହାର ଝୁଲାଇଛି, ସେ ସବୁ ମୋ’ର । ଯେଉଁ ନିଅମ ଦେବ ମୁଁ କରିବି ।

ମୁନ୍‌ସି ପଚାରିଲେ, ହେ ଟୋକୀ, କିଏ ତତେ ଦେଲାରେ ?

ସୁନା ତୁନି ରହିଲା । ଭୟରେ ଚାହିଁଲା ।

କହ, ଡର ନାଇଁ, ବାୟା କନ୍ଧ ଦେଇଛି କି ? ମୁନ୍‌ସି ପଚାରିଲେ ।

ସତକଥା କହିଦେ ସୁନା, ପୁଙ୍ଗି ଗାଁର ଜାନି କାଡ୍ରାକା ଭେଡ଼ିକା ତା’ର ଝିଅକୁ କହିଲା ।

କହ, ଡରନା ସୁନା । କିନାମ ଗାଁର ନାଇକ ମିଲିକା ନୋକା ପ୍ରବର୍ତ୍ତାଇଲା ।

ସୁନା କହିଲା ମତେ ବାୟା ଦେଇଛି ।

ବାୟା ଯେଉଁ ଖଦି ପିନ୍ଧିଛି ସେ ମିଶା ମୋ’ର । ସାହୁକାର ବନମାଳି କହିଲେ ।

ମୁନ୍‌ସି ପଚାରିଲେ, କିରେ ବାୟା ?

ବାୟା ନିର୍ଭୟରେ ଉତ୍ତର ଦେଲା, ସତକଥା ମହାପ୍ରଭୁ । ବୁଦ୍ଧିଆ ବନମାଳି ସାହୁକାର ଘରୁ ଚୋରି କଲା । ମତେ ଶାଢ଼ୀ, ସୁନାହାର, ଦିଇଟା ଖଦି, ଆଞ୍ଜୁଳେ ଟଙ୍କା ଦେଲା । ଆଉ ସବୁ ଟଙ୍କା ସେ ନେଲା ।

ବୁଦ୍ଧି ବାରିକ ହାତଯୋଡ଼ି କହିଲା, ଚୋର ଫଟ୍‌କାରଟେ ସେ ମାହାପ୍ରୁ । ଦେଖ୍, ଦେଖ୍, କେମିତି ମିଛ କଥା କହୁଛି । ମୁଇଁ ତାକୁ ଧରିଲି ବୋଲି ମତେ ଚଦିଥିଲା, ମୋ ନାମରେ ମିଛ କହିବ-

ବାୟା କହିଲା, ନାଇଁ ମାହାପ୍ରୁ, ବୁଦ୍ଧିଆ ଡମ୍ବ ମିଛ କହୁଛି । ମୁଁ ତା’ ସାଙ୍ଗରେ ଯାଇଥିଲି । ସାହୁକାର ଘରେ ପଶି ନାହିଁ । ବୁଦ୍ଧିଆ ଡମ୍ବ ଏକା ପଶିଲା, ସବୁ ଆଣିଲା, ପୁଢ଼ ଆଣିଲା । ପୁଢ଼ ସେ ରଖିଛି ।

ବୁଦ୍ଧିଆ ମାଗତାକୁ ଚାହିଁ କହିଲା, ଦେଖ୍‌ରେ ମାଗତା, ବାୟା କେମିତି ମିଛ କଥା କହୁଛି-। ଜହ୍ନ ରାତିରେ ତୁଇ ଆଉ ମୁଇଁ ଝୋଲା ପାଖରେ ଶିକାର କରିବାକୁ ଜଗି ବସିଥିଲୁନା ? ଏଇ ବାୟା କନ୍ଧ ପୁଢ଼ ପଟେ ନେଇ ଯାଉଥିଲା ମୁଇଁ ତାକୁ ଧରିଲି ।

ମୁନ୍‌ସି ପଚାରିଲେ, କିରେ ମାଗତା ?

ସତକଥା ମାହାପ୍ରୁ, ବାୟା କନ୍ଧ କାନିରେ କିସ୍‌ଟା ବାନ୍ଧିଥଲା । କାନ୍ଧରେ ତା’ର ଏଇ ଶାଢ଼ୀ ଲୁଗା ଥିଲା ।

ବାୟା କହିଲା, ମାଗତା ମିଛ କହୁଛି । ମତେ ସେ ଦେଖିନାହିଁ । ବୁଦ୍ଧିଆ ଡମ୍ବଠୁଁ ଜିନିଷ ଆଣି ମୁଁ ଲୁକି ଲୁକି ପଳେଇ ଆସିଲି ।

ମାଗତା କହିଲା, ମୁଇଁ ଦେଖିଛି ମାହାପ୍ରୁ ।

ବାୟା ମତେ ସବୁ କହୁଥିଲା, ସୁକ୍ରୁ ଡମ୍ବ କହିଲା, ସୁନାକୁ ସେ ଘିଚି ନେବ, ଧାଙ୍ଗଡ଼ୀ କରିବ । ଝୋଲା ଟଙ୍କା ଦେବାପାଇଁ ସେ ସାହୁକାର ଘରୁ ଚୋରିକଲା ବୋଲି ମତେ କହିଲା ମାହାପ୍ରୁ ।

ଚଇତୁ ଡମ୍ବ କହିଲା, ସେଇକଥା ବାୟା ମତେ ମିଶା କହିଲା ମାହାପ୍ରୁ । ମିଛ କହିବି କି-? ଉପରେ ଧର୍ମ, ତଳେ ଧରତୀ, ମିଛ କହିଲେ ଆଖି ଫୁଟିଯିବ ନାଇଁକି-?

ବାୟା କହିଲା, ସମସ୍ତେ ମିଛ କହୁଛନ୍ତି ମାହାପ୍ରୁ ।

ମୁନ୍‌ସି ରାଗିଯାଇ କହିଲେ, ଚୋପ୍ ବଦମାସ୍ । ସମସ୍ତେ ମିଛ କହୁଛନ୍ତି ଏକା ଏଇ ସତ କହୁଛି । ଟଙ୍କା କ’ଣ କଲୁ ? ପୁଢ଼ କ’ଣ କଲୁ ?

ଟଙ୍କା ରଖିଛି । ପୁଢ଼ ବୁଦ୍ଧିଆ ଡମ୍ବ ନେଲା ।

ଦେଖ ମାହାପ୍ରୁ ମିଛ କହୁଛି ମୋ ନାମରେ ।

ସୁକ୍ରୁ କହିଲା କେତେଦୂରରେ, ଝୋଲା ପାଖରେ ଗୋଟେ ପୁଢ଼-ମୁଣ୍ଡ ପଡ଼ିଛି । ମୁଁ ଆସୁଥିଲି ଦେଖିଲି ।

ମୁନ୍‌ସୀ ଆଦେଶ ଦେଲେ, ଜମାନ୍ ବାୟା କନ୍ଧକୁ ହାତକଡ଼ା ଦେଇଦିଅ । ଏଇ ଟୋକୀକୁ ବି ଆରେଷ୍ଟ କର ।

ଭେଡ଼ିକା ପ୍ରାର୍ଥନା କଲା, ମୋ’ର ଧାଙ୍ଗଡ଼ୀ ଝିଅ ମାହାପ୍ରୁ । ତା’ର କି ଦୋଷ ? ବାୟା କନ୍ଧ ତାକୁ ସବୁ ଦେଇଛି । ସୁନା, କାଢ଼ିଦେ ବେକରୁ ହାର, ତୋ’ ଲୁଗା ତୁ ପାଲଟିପକା ।

ସୁନା ଅଚଳ ରହିଲା ।

ଜମାନ୍ ବାୟା କନ୍ଧ ହାତରେ ବେଢ଼ି ପିନ୍ଧାଇଲା । ସୁନା ଆଉ ତା’ର କୋହ ସମ୍ଭାଳି ପାରିଲା ନାହିଁ । ମୁନ୍‌ସିଙ୍କର ଗୋଡ଼ତଳେ ପଡ଼ି କାନ୍ଦିବାକୁ ଲାଗିଲା । ମୁନ୍‌ସି ପଛକୁ ଘୁଞ୍ଚି ଠିଆହେଲେ । ନୋକା ନାଇକ ସୁନାର ହାତଧରି ତଳୁ ଉଠାଇଲା । କହିଲା, ଧାଙ୍ଗଡ଼ୀ ଟୋକୀ, ମୋ’ର ମାଗତା ପାଇଁ ତାକୁ ଠିକ୍ କରିଛି । ତା’ର ଦୋଷ ନାହିଁ । ଏଇ ବାୟା କନ୍ଧ ତାକୁ ଭୁଲେଇ ଆଣିଛି ।

ମୁନ୍‌ସୀ ପଚାରିଲେ, ତେବେ ଚୋରିମାଲ ?

ନୋକା ନାଇକ ସୁନାର ବେକରୁ ହାର ଖୋଲି ମୁନ୍‌ସିକୁ ଦେଲା । କହିଲା ନେ ତୋ’ର ଚୋରିମାଲ । ଶାଢ଼ୀ ଖଣ୍ଡକ ଘରକୁ ଗଲେ ଦେଇଦେବି । ସୁନା ମୋ’ର ବୋହୂ ମୁନ୍‌ସି, ଭେଡ଼ିକା ଜାନି ମତେ କଥା ଦେଇଛି । ତାକୁ ଛାଡ଼ିଦେ ।

ଆଗରେ ବାୟା କନ୍ଧ, ଦୁଇ ହାତରେ ଲୁହା କଡ଼ି, ଅଣ୍ଟାରେ ବନ୍ଧା ହୋଇଛି ଦଉଡ଼ି, ଛେଳିଛୁଆପରି ବଲ ବଲ କରି ଚାରିଆଡ଼କୁ ଚାହୁଁଛି । ତୁଣ୍ଡରୁ ଆଉ କଥା ବାହାରୁ ନାହିଁ । ସତକଥା ସେ କହି ଦେଇଛି । ଆଉ ତା’ର କିଛି କହିବାର ନାହିଁ । ଏଣିକି ଯେଉଁମାନେ ବିଚାର କରିବେ, ଯେଉଁମାନେ ଆଇନ୍ ଧରି ବସିଛନ୍ତି, ତାଙ୍କର ଦାୟିତ୍ୱ ।

ଉପରେ ଆକାଶ, ତଳେ ଧରିତ୍ରୀ ମାତା, ଚାରିପାଖେ, ଗଛ, ପଥର, ପାହାଡ଼, ଝରଣା । ସମସ୍ତେ ଯେପରି ସତ୍ୟର ଅବତା’ର, ବାୟା କନ୍ଧ ମଧ୍ୟ ଠିକ୍ ସେହିପରି । ବୁଦ୍ଧି ଡମ୍ବର ମୁହଁକୁ ଚାହିଁ ତା’ର ଆତ୍ମା ବାହୁନି ଉଠୁଛି ।

ବୁଦ୍ଧିଆ ଡମ୍ବ ପିଲା, କନ୍ଧର ସେ ଆଖି । ବନଗହନର ତଳେ ସେ ଚଳନ୍ତି ସାପ । ସେ ଚୋରି କରିଛି, ଠକିଛି, ମିଛ କହିଛି, ଗାଁ ଗାଁରେ ସୃଷ୍ଟି କରିଛି କନ୍ଦଳ । ରକ୍ତଧାର ଛୁଟାଇଛି, ରକ୍ତ ପିଇ ବଞ୍ଚିଛି । ତଥାପି କନ୍ଧପିଲା ତା’ର କଥା ମାନେ । ବୁଦ୍ଧିଆ ଡମ୍ବ ବାୟାର ଦୁର୍ଦ୍ଦଶା ଦେଖି ହସୁଛି ।

ମାଗତା କନ୍ଧ ପିଲା, ମିଛ କହି ଥରି ଉଠିଛି ତା’ର ଆତ୍ମା । ତଥାପି, ସେ ମିଛ କହିଛି । ଆଗରେ, ସୁନା, ଯାହାକୁ ସେ ଚାହେଁ, ଯାହାକୁ ସେ ନିଜର କରିବ ।

ସୁନା, ସବୁକଥା ସେ ବୁଝିଛି । ସ୍ୱପ୍ନ ତା’ର ଭାଙ୍ଗିଛି । ତାଆରି ପାଇଁ ନିରୀହ, ସରଳ, ଅନାଥ ବାୟା କନ୍ଧ ଚୋର ହୋଇଛି । ପୁଣି ଶିକ୍ଷା ପାଇବ କେବଳ ତାଆରି ପାଇଁ । ସ୍ୱପ୍ନ ଭାଙ୍ଗିଛି । ସବୁ ଆଶା ମିଳାଇ ଯାଇଚି । ମାଗତା ହେବ ତା’ର ଧାଙ୍ଗଡ଼ା–ମାଗତା !

ମିଲିକା ନୋକାର ହାତରୁ ହାତ ଖସାଇ ସୁନା ଧାଇଁଗଲା ବାୟା ପାଖକୁ । ବାୟାକୁ କୁଣ୍ଢାଇ ଢଳ ଢଳ ଆଖିରେ ସୁନା ମୁନ୍‌ସିଙ୍କୁ ପ୍ରାର୍ଥନା କଲା, ମାହପ୍ରୁ, ନେ ନେ, ତୁ ସବୁ ନେଇଯା । ବାୟା ଚୋରି କରିନାହିଁ । ତା’ର କିଛି ଦୋଷ ନାହିଁ । ସବୁ ତାକୁ ବୁଦ୍ଧି ଡମ୍ବ ଦେଇଚି । ତୁ ସବୁ ନେଇ ଯା । ମୁନ୍‌ସି ମାହାପ୍ରୁ ତାକୁ ଛାଡ଼ି ଦେ । ଆମର କିଛି ଲୋଡ଼ା ନାହିଁ । ବାୟା ମୋ’ର ଧାଙ୍ଗଡ଼ା; ଆମେ ଜଙ୍ଗଲକୁ ପଳାଇବୁ ମୁନ୍‌ସି ମାହାପ୍ରୁ, ତାକୁ ଛାଡ଼ି ଦେ ।

ମୁନ୍‌ସି ରାଗିଯାଇ କହିଲେ, ଜମାନ୍, ସେ ଟୋକୀକୁ ବି ଆରେଷ୍ଟ କର ।

ଜମାନ୍ ସୁନାର ହାତ ଧରିଲା ।

ସୁନା କହିଲା, ବାୟା ଯଦି ଶିକ୍ଷା ଯିବ, ମତେ ବି ଶିକ୍ଷା କରେଇ ଦେ ମୁନ୍‌ସି, ମୁଇଁ ଶିକ୍ଷା ଦୋଷ କରିଚି ।

ନୋକା ନାଇକ କହିଲା, ଆରେ ମାଗତା, ସୁନାର ହାତଧରି ନେଇଚାଲ ଗାଁକୁ । ସେ ତୋ’ର ଧାଙ୍ଗଡ଼ୀ । ଭେଡ଼ିକା ଜବାବ ଦେଇଚି ।

ଭେଡ଼ିକା, କହିଲା, ସତ କଥା ମାଗତା–

ମାଗତା ସୁନାର ହାତଧରି ବାୟା ପାଖରୁ ଟାଣି ଆଣିଲା । ସୁନା ଚିତ୍କାର କଲା । ତା’ର ପ୍ରାର୍ଥନା କେହି ଶୁଣିଲେ ନାହିଁ ।

ସୁନାକୁ ସଙ୍ଗରେ ଧରି ଗ୍ରାମଲୋକେ ଗ୍ରାମକୁ ଫେରିଲେ । ଦରିଦ୍ର ବାୟାକୁ ସଙ୍ଗରେ ଧରି ମୁନ୍‌ସି ପୁଢ଼ ଦେଖିବାକୁ ଆଗେଇ ଗଲେ । ସଙ୍ଗରେ ଗଲେ ବୁଦ୍ଧି ବାରିକ, ଚଇତୁ ଓ ସୁକ୍ରୁ ।

ସିପି ଗାଁର ଛୋଟ କନ୍ଧ ପଲ୍ଲୀ ବାହାରେ-ଡୋଙ୍ଗର ତଳ ପଥର ଚଟାଣ ଉପରେ ବସିଚି ସୁନା । କୋଳରେ ତା’ର ବର୍ଷକର ପୁଅ । କେତେଗୁଡ଼ିଏ ଫୁଲ ପତର ପିଲାର ଆଗରେ ଜମାଇ ଦେଇଚି । ପିଲାଟି ଖେଳୁଚି । ନିଜେ ସୁନା ଚାହିଁ ରହିଚି ସାମ୍ନାର ଗେଡ଼୍‍ଡ଼ା ଆଡ଼କୁ, ବେଳ ଦ୍ୱିପ୍ରହର-

ପଛରୁ ଛପି ଛପି ଆସିଲା ଲତା । ସୁନାର ଦୁଇ ଆଖି ବୁଜି ଧରିଲା ।

ସୁନା କହିଲା, ଛାଡ଼ ଲତା ।

ଲତା ଆଖି ଖୋଲିଦେଲା । ପିଲାଟିକୁ କୋଳକୁ ନେଲା । କହିଲା, ମୁଁ ଜାଣେ, ତୁ ଏଇଠି ଥିବୁ । ତୋ’ ଘରକୁ ଯାଇଥିଲି । ମାଗତା ନାଇକ ନାଇଁ । ତୋ’ର ଖମ୍ବାରି ପୁଟିଆ କହିଲା, ମାଗତା ପୁଲକି ସାଥିରେ କେଣେ ଯାଇଚି, ଆଉ ତୁ ଟିକି ନୋକାକୁ ଧରି କେଣେ ଯାଇଛୁ । ଖୋଜି ଖୋଜି ଆସିଲି ।

କିସ୍ ଲାଗି ମୋତେ ଖୋଜୁଥିଲୁରେ ଲତା ?

ଏଇ ଟିକି ନୋକାର ଲାଗି । ଲତା ମାଗତାର ସାନପୁଅ ନୋକାକୁ ଛାତିରେ ଜାକି ଧରିଲା । କହିଲା, ଦେଖ ସୁନା, ନୋକା ନାଇକ ମତେ ଛାଡ଼ି ତତେ ବୋହୂକଲା । ଜାକରା ଠାକୁରଣୀ ତାକୁ ରଖିଲା କି ? ଅଧର୍ମ କଥା କଲା । ତୁଇ ତା’ର ବୋହୂ ହେଲୁ । ମାସ ଗୋଟେ ପୂରିଲା ନାହିଁ । ନୋକା ନାଇକକୁ ବାଘ ଖାଇଲା । ଦିଶାରି-ସିନା କହୁଚି, ସେଇ ନୋକା ତୋ’ର କୋଳରେ ଜନମ ହେଇଚି, ମୁଁ କହୁଚି, ସେଟା ମିଛ କଥା । ନୋକା ହେଇଚି ବାଘ ଡୁମା ।

ସତ ଲୋ ଲତା, ନୋକା ନାଇକକୁ ବାଘ ଖାଇ ନାଇଁ, ତାକୁ ଖାଇଚି ବାୟାର ବାପ ବାଘ-ଡୁମା । ମାଗତା ଫଟ୍‍କାର କାମ କଲା, ମିଛ କହିଲା, ବାୟାକୁ ଶିକ୍ଷା କରେଇଲା । ବାୟାର ବାପ ମାଗତାର ବାପକୁ ଖାଇଲା । ଲତାରେ– !

ତୁନି ରହିଲୁ ଯେ ସୁନା ?

ଏଇଠି ଥିଲା ବାୟାର ଭଙ୍ଗା ଘର । ଦି ବରଷ କି କେତେ ହେଲାଣି । ତା’ ଘରକୁ ଚିହ୍ନି ନାହିଁ । ଡିହ ଉପରେ କେତେ ବଣୁଆ ଗଛ ଉଠିଲାଣି । ବାୟା ଆଉ ଫେରିବ ନାହିଁ ଲତା ?

ସୁନାର ଆଖି ଛଳ ଛଳ ହେଲା ।

ଲତା କହିଲା, ସିଟାମ ଭିଙ୍ଗୁ ଡମ କୋରାପୁଟ ଜେଲରୁ ଫେରିଚି । ତାକୁ ପଚାରିଲି ଯେ ସେ କହିଲା, ବାୟା ଜେଲରୁ ପଳାଇବାକୁ ବସିଥିଲା, ଧରାପଡ଼ି ପୁଣି ବେଶୀ ଦିନ ଶିକ୍ଷା ପାଇଚି । ଭିଙ୍ଗୁକୁ ପଚାରୁଥିଲା ତୋ’ କଥା । ଭିଙ୍ଗୁ ସବୁ କହିଲାରୁ ବାୟା କହିଲା, ଶିକ୍ଷା ଭୋଗି ଫେରିଲେ ମାଗତାର ମୁଣ୍ଡ ହାଣିବ । ମାଗତା ମିଛ କହି ତା’କୁ ଶିକ୍ଷା କରେଇଚି ।

ବାୟା ତେବେ ଫେରିବ ଲତା ?

ଆଜି ନ ହେଲେ, କେବେ ତ ଫେରିବ ।

ଲତା, ତୁ ବାୟାର ଘରଣୀ ହେବୁ ?

ଲତା ଘୃଣାରେ ଚାହିଁଲା ସୁନାକୁ । କହିଲା, କାହିଁକି ଲୋ ? ତୁ ହେଲୁ ନାଇକର ଘରଣୀ, ଯେଉଁ ନାଇକ ମୋ’ର ଅଣ୍ଡରା, ଆଉ ମୁଁ ହେବି କେଡ଼ିର (ଦାଗୀର) ଘରଣୀ ?

ନାଇକର ଘରଣୀ ହୋଇ କି ସୁଖ ମୁଁ ପାଉଛି ତ ଦେଖୁଛୁ ଲତା ? ମାଗତା ଦିନରାତି ମଦ ଖାଉଛି । ପରର ଧାଙ୍ଗଡ଼ୀ ପଛରେ ଧାଉଁଛି । କି ସୁଖ ମୋ’ର ? ବାପ ମତେ ତାରି ହାତରେ ଦେଲା । ଆଜି ପୁଣି ବାପ କହୁଛି, ସୁନା, ଚାଲିଆ ମୋ’ ଘରକୁ । ତୋ’ ପାଇଁ ଅନ୍ୟ ଧାଙ୍ଗଡ଼ା ଠିକ୍ କରିବି । ମାଗତା ତା’ର ଝୋଲା ଟଙ୍କା ଫେରାଇ ନେବ ତ ଆଉ କ’ଣ ?

ସେଇଆ କରୁନୁ ସୁନା, ବାପାର କଥା ଅମାନ୍ୟ କରନା ।

ବେଳେବେଳେ ମୋ’ର ମନ ଡାକୁଛି । ଏଇ ପିଲାଟା ମୋ’ର ଗୋଡ଼ ବାନ୍ଧି ରଖିଛିରେ ଲତା । ପୁଣି ଭାବୁଛି, ପିଲା ତ ମୋ’ର ନୁହେଁ, ପିଲା ମାଗତାର । ତୁଇ ଯଦି ମାଗତାର ଘରଣୀ ହୋଇଥାନ୍ତୁ, ଏ ପିଲା ତୋ କୋଳରେ ଜନମ ହୋଇଥାନ୍ତା । ମାଗତା ତା’ର ପିଲାକୁ ରଖୁ, ମୋ’ର କିସ୍‍ ହେବ ?

ସତ କଥା, ସୁନା । ଏଇଟା ମାଗତାର ପିଲା । ଯିଏ ତା’ର ଧାଙ୍ଗଡ଼ୀ ହୋଇଥାନ୍ତା ତା’ କୋଳକୁ ଆସିଥାଆନ୍ତା ।

ସତ ଯେ, ତେବେ ଯଦି ପିଲାକୁ ଛାଡ଼ି ବାପ ଘରକୁ ମୁଁ ଚାଲିଯାଏ, ମଦ ଖାଇ ଦିନେ ମାଗତା ତାକୁ ମାରିଦେବ । ହେଉପଛେ ସେ ମାଗତାର ପିଲା, ମୋ ପେଟରେ ଥାଇ ମୋ ରକତ ଖାଇ ବଢ଼ିଛିତ ? ସେଥିଲାଗି, ମାଗତାର ଘରଛାଡ଼ି ଯାଇପାରୁ ନାହିଁରେ ଲତା, ସବୁ ଦୁଃଖ କଷ୍ଟ ସହି ମୁଁ ପଡ଼ିରହିଛି ।

ମାଗିବି ସୁନା, ଏ ପିଲାକୁ ମତେ ଦେବୁ ? ମାଗତା ମତେ ଘରଣୀ କଲା ନାହିଁ ସିନା, ତା’ ପିଲା ମତେ ମା’ କରୁ, ମୋ ବାପର କଥା ରହୁ । ତା’ ଡୁମା ଶାନ୍ତି ପାଉ ।

ସୁନା ମୁହଁ ଫଣଫଣ କରି କହିଲା, ମୁଇଁ କିଏ ଯେ ମାଗତାର ପିଲାକୁ ତୋତେ ଦେବି-? ମୁଇଁ ମିଶା ମାଗତାର ଖମ୍ବାରି ହୋଇଛିରେ ଲତା, ତା’ ମାଡ଼ ଗାଳି ସହୁଛି, ପେଜ ମନ୍ଦେ ପିଉଛି, ପିଲାକୁ ପାଳୁଛି । ତୁଇ ଯା ମାଗତାକୁ ମାଗିବୁ ।

ଲତାର ଛାତିରୁ ଟିକିପୁଅ ମିଲିକା ନୋକାକୁ ଟାଣି ନେଇ ସୁନା ଛାତିରେ ଲଗାଇଲା । ଲତା ଆଖି ଛଳ ଛଳ କରି ସୁନାକୁ ଚାହିଁରହିଲା ।

ପଥର କଡ଼ ଅରଣ୍ୟ ଭିତରୁ ପୁଙ୍ଗି ବାହାରି ଆସିଲା । ଖୋଜି ଖୋଜି ସେ ପୁଲକିକୁ ପାଉ ନାହିଁ । କାଳେ ସେ ପାଣି ଘାଟରେ ଥିବ, ସେଥିପାଇଁ ଝରଣା କୂଳକୁ ଆସିଲା । ପୁଲକିକୁ ସେଠାରେ ନ ପାଇ ଲତାକୁ ପଚାରିଲା, ପୁଲକିକୁ ଦେଖିଲୁ କି ?

ଲତା ଉତ୍ତର ଦେଲା, ନାଇଁରେ ପୁଙ୍ଗି ।

ପୁଙ୍ଗି ବ୍ୟସ୍ତ ହୋଇ ପଚାରିଲା, ବାଘ ମାତିଛି ବୋଲି ସାହୁକାରଠୁଁ ଛୁଟି ନେଇ ଆସିଲି । ଦେଖିଲି ଘରେ ତାଟି ପଡ଼ିଛି, ପୁଲକି ନାହିଁ । ତଣ୍ଟି ଶୁଖି ଯାଉଛି । ଘରେ ପେଜ ଟିକେ ବି ରଖି ନାହିଁ-। ଗଲା କୁଆଡ଼େ ?

କନ୍ଦା ଖୋଳି ଯାଇଥିବ ।

ପୁଙ୍ଗି କହିଲା, ବୁଦ୍ଧିଆ ଡମ୍ୱ କହୁଛି, ମାଗତା ସଙ୍ଗେ ପୁଲକି ବଣକୁ ଯାଇଛି । ଡମ୍ବ ଫଟ୍‌କାର ସବୁବେଳେ ମିଛ କହେ ।

ଗଛ ଉହାଡ଼ରୁ ବୁଦ୍ଧିଆ ଡମ୍ବ ବାହାରିପଡ଼ିଲା । ବୋଧହୁଏ ସେ ପୁଙ୍ଗିର ପଛେ ପଛେ ଲୁଚିକରି ଆସୁଥିଲା । ପୁଙ୍ଗିର କଥା ଶୁଣି ସେ କହିଲା, ମିଛ ନୁହେଁରେ ପୁଙ୍ଗି, କିନାମ ଗାଁ ବାଟରେ ଦିହେଁ ଏକାଠି ଯାଉଥିଲେ, ମୁଁ ନିଜେ ଦେଖିଛି ।

ପୁଙ୍ଗି ମନକୁ ମନ କହିଦେଲା, କିନାମ ଗାଁ ବାଟରେ ? ଯାଏଁ ଦେଖେଁ । ପୁଙ୍ଗି ହାତର ଟାଙ୍ଗି କାନ୍ଧରେ ପକାଇ ଟଳିଟଳିକା ପୁଣି ଜଙ୍ଗଲ ଭିତରକୁ ଚାଲିଗଲା । ପଛକୁ ଫେରି ଚାହିଁଲା ନାହିଁ ।

ବୁଦ୍ଧି ବାରିକ ଟିକିଏ ଅପେକ୍ଷା କଲା । ପୁଙ୍ଗି ବଣ ଭିତରେ ଲୁଚିଗଲାରୁ ସେ କହିଲା, ତେମେ ଏଠି କ’ଣ କରୁଛରେ–

ସୁନା କହିଲା ତୋ’ର କିସ୍ ଥାଏ ?

ବାୟା କନ୍ଧ ଖବର ପଠାଇଛି ।

ଲତା କହିଲା, ତୁଇ ମିଛ କହିଲାରୁ ତା’ର ଶିକ୍ଷା ହେଲା ।

ମୋ’ର କି ଦୋଷ ? କହ ସୁନା, ତୋ’ ଲାଗି, ବାୟାର ଲାଗି ମୁଇଁ ଚୋରି କଲି ନାଇଁକି-? ବାୟା ମୋ’ର ସାଥିରେ ସିନା ଥିଲା । ସୁକ୍ରୁ ଚଇତୁ ପୋଲିସରେ କହିଲେ । କୋଟ୍‌ ଘରେ ମହାପ୍ରଭୁ ଆଗରେ ମୁଇଁ ସିକ୍‌ସନ ପୋଥି (ପେନାଲ୍‌କୋଡ଼୍‌) ଧରି ସତକଥା କହିଲି । ନାଇକ ହେଲେ କିସ୍‍ ହେଲା, ମାଗତା ମିଛ କହିଲା । କୋଟ୍‌ ଘର ମତେ ଛାଡ଼ିଦେଲେ । ବାୟାକୁ ଶିକ୍ଷା କରେଇଲେ । ମୋ’ର କି ଦୋଷରେ ସୁନା ?

ସୁନା ପଚାରିଲା, ବାୟା ସଙ୍ଗେ ତୋ’ର କେଉଁଠି ଦେଖାହେଲା ବାରିକ ?

ମୋ’ର ଦେଖା ହୋଇନାହିଁ । ଭିଙ୍ଗୁ ଜେଲରୁ ଫେରିଛି । ସେ କହୁଥିଲା–

ଲତା ପଚାରିଲା, କିସ୍‍ କହୁଥିଲା ?

ବୁଦ୍ଧିଆ କହିଲା, ଶିକ୍ଷା ସରିଲେ ବାୟା ଫେରିବ ।

ସୁନା କହିଲା, ଫେରୁ, ମୋ’ର କି ଥାଏ ?

ବୁଦ୍ଧିଆ କହିଲା, ବାୟା ସିଟାମ୍ ଭିଙ୍ଗୁକୁ କହିଲା ଯେ ଶିକ୍ଷା ପାଇ ଫେରିଲେ ସେ ତୋ’ର ଖମ୍ବାରି ହେବ ।

ମୋ’ର କିସ ହେବ ଖମ୍ୱାରି ? ଯା, ଯା, ମାଗତାକୁ କହିବୁ ।

ସୁନା ମୁହୂର୍ତ୍ତେ ନ ରହି ପିଲାକୁ ଛାତିରେ ଯାକି ଗେଡ଼୍‌ଡ଼ା କୂଳେ କୂଳେ ଚାଲିଗଲା । ଥରେ ହୋଇ ପଛକୁ ଫେରି ଚାହିଁଲା ନାହିଁ ।

ବୁଦ୍ଧି କହିଲା, କିରେ ଲତା, ତତେ ଧାଙ୍ଗଡ଼ା ମିଳୁନାହିଁକି ?

ତୁଇ ତ ଡମ୍ବ ଲୋକଟେ, ନୋହିଲେ ତୋ ସାଥିରେ ପଳାଇ ଯାଆନ୍ତି । ଡମ୍ବ ଫଟ୍‌କାର, ସବୁ ଚୋରି ବଦମାସୀର ମୂଳ ତୁଇ ।

ମୁହଁମୋଡ଼ି ଲତା ଚାଲିଲା ସୁନାର ବାଟରେ । ପଛରୁ ଡାକ ଛାଡ଼ିଲା ବୁଦ୍ଧିଆ, ହେ ଲତା, ଜଙ୍ଗଲ ଜମାନ୍‍ ଆଇଚିରେ, ତତେ ଖୋଜିଛି । ଲତା, ହେ ଲତା–

ଲତା ଫେରି ଚାହିଁଲା ନାହିଁ ।

ସଞ୍ଜ ପହର ଗଡ଼ି ଗଲାଣି । ପାହାଡ଼ ଫାଙ୍କରୁ ଉଠିଲାଣି ଜହ୍ନ । ମାଗତା ନାଇକର ଘର ଆଗ ବୁଦିବୁଦିକା ଜଙ୍ଗଲ ଭିତରେ ବଡ଼ ବଡ଼ ମହୁଲ ଗଛ । ଗଛ ଉହାଡ଼ରେ ଛପିଛପିକା ଆଲୁଅ ଛାଇତଳେ ଠିଆ ହୋଇଛି ବାୟା କନ୍ଧ । ଅଢ଼େଇ ବର୍ଷ ଜେଲ ଭୋଗି ସେ ଫେରି ଆସିଛି । ସବୁ କଥା ସେ ଶୁଣିଛି । ଜୀବନର ସବୁ ଆଶା ତା’ର ପୋଡ଼ିଜଳି ଯାଇଛି । ବାକି ରହିଛି, ପ୍ରତିଶୋଧ ।

କାନ୍ଧରେ ଟାଙ୍ଗିଆ । ଭାବୁଛି, ଥରେ ଯଦି ମାଗତାକୁ ସେ ଦେଖନ୍ତା, ମାଗତା, ଯିଏ ତା’ର ଛାତି ଉପରୁ ସୁନାକୁ ଟାଣି ନେଇଛି, କୋଟ ଘରେ ମିଛ କହି ଯିଏ ତାକୁ ଭୋଗେଇଛି ଜେଲ, ତା’ର କାନ୍ଧରୁ ମୁଣ୍ଡ ଛିଣ୍ଡାନ୍ତା । ବାୟାର ରକ୍ତ ଗରମ ହୋଇଉଠିଲା । ମାଗତା କାହିଁ ? ଏତେବେଳଯାଏ ଫେରୁନାହିଁ କାହିଁକି ? ଗୋଟିଏ ଚୋଟ, ତା’ପରେ ନିଜେ ମୁଣ୍ଡଟା ଧରି ଥାନାରେ ହାଜର ହୋଇ ଯାଆନ୍ତା ।

ମାଗତା ଆସିଲା ନାହିଁ । ଘର ଭିତରୁ ପଦାକୁ ବାହାରି ଆସିଲା ସୁନା । ବାୟାର ଛାତି ଦମ୍‌କି ଉଠିଲା, ସୁନା !

ସୁନାର ଆଖିରେ ପଡ଼ିଲା ଗୋଟାଏ ଚଳନ୍ତି ଛାଇ । ଚମକି ଉଠିଲା । ମନ ଭିତରୁ ଯେପରି କିଏ କହି ଉଠିଲା, ବାୟା, ବାୟା-ଥରିଲା ତୁଣ୍ଡରୁ ବାହାରି ଆସିଲା କ୍ଷୀଣ କରୁଣ ସ୍ୱର, କି–ଏ, ବାୟା ?

ବାୟା ନିଜକୁ ଆଉ ଛପାଇ ପାରିଲା ନାହିଁ । ଗଛ ଗହଳି ଭିତରୁ ବାହାରି ପଡ଼ିଲା ଜହ୍ନ ଆଲୁଅକୁ । ଡାକିଲା, ସୁନା–

ସୁନା ଧୈର୍ଯ୍ୟଧରି ପାରିଲା ନାହିଁ । ଧାଇଁ ଯାଇ ବାୟାକୁ ଆଲିଙ୍ଗନ କଲା । ତା’ର ଛାତି ଉପରେ ମୁଣ୍ଡ ରଖି ତୁନି ତୁନି କାନ୍ଦିବାକୁ ଲାଗିଲା । ବାୟାର ଆଖିରେ ଆସିଲା ଲୁହ ।

ଫେରି ଆସିଛୁ ବାୟା ?

ଆସିଛି ସୁନା, ମାଗତାର ମୁଣ୍ଡଟା ଧରି ପୁଣି ଫେରିଯିବି କୋଟ ଘରକୁ ।

ଛି, ବାୟା, ମାଗତାର କି ଦୋଷ ?

ତେବେ ଦୋଷ କାହାର ?

ଦୋଷ ମୋ’ର । ମୁଇଁ ମଙ୍ଗିଲି ବୋଲି ମାଗତା ମତେ ଘରଣୀ କଲା ।

ମାଗତା ମତେ ଶିକ୍ଷା କରେଇଲା, କନ୍ଧପୁଅ ହୋଇ କୋଟ ଘରେ ମିଛ କହିଲା ।

ମୋରି ଲାଗିତ ?

ତୋରି ଲାଗି ?

ସୁନାକୁ ଛାତିଉପରୁ ଠେଲିଦେଲା ବାୟା । ସୁନା ପଡ଼ୁ ପଡ଼ୁ ଠିଆ ହୋଇଗଲା । କହିଲା, ମୁଇଁ ତୋ’ର ଦୋଷ କରିଛି । ମୋ’ ମୁଣ୍ଡ ତୁ ନେ ବାୟା, ମାଗତାର କିଛି ଦୋଷ ନାହିଁ ।

ବାୟା ଠିଆହୋଇ ଭାବିଲା । ସୁନାକୁ କିଛି ଉତ୍ତର ନ ଦେଇ ଟାଙ୍ଗିଆଟି କାନ୍ଧରେ ପକାଇ ଟଳିଟଳି ଆଗକୁ ଚାଲିଲା । ସୁନା କ୍ଷଣେ ତା’ର ପଛରୁ ଚାହିଁ ଡାକିଲା, ବାୟା, ବାୟା–

ବାୟା ଅଟକି ରହିଲା ନାହିଁ । ସୁନା ତା’ର ପଛରେ ଧାଇଁଯାଇ ତା’ର ହାତଧରି ଅଟକାଇଲା ।

ବାୟା–

କ’ଣ କହୁଛୁ ?

କଥାଟେ ମାନିବୁ ବାୟା ?

କିସ୍‌ କଥା ସୁନା ?

ଯେଉଁଠି ତତେ ପୁଲିସ୍‌ ଜମାନ୍‌ ଧରିଥିଲା ସେଇଠି ତୁଇ ଥିବୁ କାଲି ଗାଧୁଆବେଳେ ?

କିସ୍‌ ଲାଗି ?

ସେଇଠି ତତେ ସେଇକଥା କହିବି । ଥିବୁ ବାୟା ?

ଥିବି ସୁନା ।

ଯା ଏଥର ।

ବାୟା ଚାଲିଗଲା । ସୁନା ଘର ଆଗକୁ ଆସିଲା । ମାଗତା ଠିଆ ହୋଇଛି । ପାଟିରୁ ବାହାରୁଛି ମଦଗନ୍ଧ । ସୁନାକୁ ଦେଖି ଖନିମରା ପାଟିରେ କହିଲା, ହେ, ପୁଲକି-ପୁଲକି-ପୁଲକି–

ମୁଁ ସୁନା ।

ହେ ସୁନା, ସୁନା, ପୁଙ୍ଗି କହୁଛି ହାଣିବ । ମୁଁ ତାକୁ ଆଗ ହାଣିବି, ଆଗ ହାଣିବି ।

ସେ ଟଳିବାକୁ ଲାଗିଲା । ସୁନା ତା’ର ହାତଧରି ଅଟକାଇ ରଖିଲା । ଉତ୍ତର ଦେଲା ନାହିଁ । ମନକଥା ମନରେ ଥାଉ । ମାଗତା ଆଗରେ କହିବ କାହିଁକି ? ମାଗତା ତାକୁ ଘରଣୀ କରିଛି ସତ, ଜନନୀ ବି କରିଛି, କିନ୍ତୁ ମାଗତା ତାକୁ ନିଜର କରିପାରିନାହିଁ । ମାଗତାର ମନ ତା’ପାଖରେ ନାହିଁ, ଦୂରରେ, କେତେଦୂରରେ– ।

ସକାଳେ, ଲତା ଘର କାମରେ ବ୍ୟସ୍ତ । ତା’ର ବୁଢ଼ୀ ମା’ ଘର ଆଗରେ ବସି ଛେଳି ଛୁଆକୁ ପତ୍ର ଖୋଉଛି । ଧାଙ୍ଗଡ଼ୀ ଝିଅ । ଲତା ଉପରେ ତା’ର ଆଖି ପଡ଼ିଲା । ବିରକ୍ତ ହୋଇ କହିଲା, କେତେଦିନ ଆଉ ବସି ଥିବୁଲୋ ? ଯେତେ ଧାଙ୍ଗଡ଼ା ଆଇଲେ ସମସ୍ତିଙ୍କୁ ଘଉଡ଼ି ଦେଲୁ । ତୋ’ ସାଙ୍ଗର ଝିଏ, ପୁଣି ତୋ’ଠୁ ପିଲା ଝିଏ ଘର କଲେଣି, ଆଉ ତୁଇ ବସିଥା ?

ବଢ଼ିଣାଟା ପିଣ୍ଡା ତଳକୁ ରଖିଦେଇ ଲତା କହିଲା, ଦେଖ୍‌ ମା’, ମୁଇଁ ଧାଙ୍ଗଡ଼ା ସାଥିରେ ପଳେଇଲେ ତୁଇ କେମିତି ଚଳିବୁ ? ତୋ’ର ପୁଅ ତ ନାହିଁ । ଆଉର୍, କିସ୍‌ ଲାଗି ମୁଁ କାହା ସାଥିରେ ଯିବି ? କେହି ତ ଝୋଲା ଟଙ୍କା ନେଇ ଆସୁ ନାହିଁ ।

ଏଇ ବରଷ ଚଇତ ପରବରେ ତୁଇ କାହାର ସାଥିରେ ଚାଲି ଯାରେ ଲତା, ତୋ’ର ସୁଖ ଦେଖି ମୁଇଁ ଆଖି ବୁଜିବି ।

ଲତା ଜବାବ ଦେଲା ନାହିଁ । ମାଠିଆ ଧରି ପାଣି ପାଇଁ ଗେଡ଼୍‌ଡ଼ାକୁ ଯିବାକୁ ବାହାରିଲା-। ବୁଢ଼ୀ ତା’ ହାତରୁ ପାଣିମାଠିଆ ଛଡ଼ାଇ କହିଲା, ତୁଇ ଘରେ ଥା, ମୁଁ ମାଠିଆଏ ପାଣି ନେଇ ଆସେ, ଏଇ ସୁନା ଆସୁଛି ।

ବୁଢ଼ୀ ମାଠିଆ ଧରି ଚାଲିଗଲା । ଛାତିରେ ସାନ ନୋକାକୁ ଜାକି ସୁନା ପହଞ୍ଚିଲା ଲତାଘରେ । ଗୋଟିଏ କାଖରେ ମାଠିଆ । ସୁନା ଆଜି ପ୍ରଫୁଲ୍ଲ ଦିଶୁଛି । ଭଲ ଶାଢ଼ୀ ପିନ୍ଧିଛି । ଯତ୍ନକରି କୁଣ୍ଡାଇଛି ମୁଣ୍ଡ । ଏଡ଼େ ସକାଳୁ ପେନ୍ଥା ପେନ୍ଥା ଫୁଲ ଖୋସିଛି ମୁଣ୍ଡରେ ।

କିଲୋ, ଆଜି ସଜବାଜ ହେଇ ପାଣିକି ଯାଉଛୁ କାଇଁକି ?

ଲାଜ ଲାଜ ହୋଇ ସୁନା କହିଲା, ତୁ ଯିବୁ ନାହିଁ କି ?

ମା’ ଯାଇଛି ।

ହାତ ବଢ଼ାଇ ଟିକି ନୋକାକୁ ଲତା ସୁନାର ଛାତି ଉପରୁ ଟାଣି ନେଲା । ତା’ ମୁହଁରେ ବାରମ୍ବାର ବୋକ ଦେବାକୁ ଲାଗିଲା । ଟିକି ନୋକା କିର୍‌ କିର୍‌ ହୋଇ ହସିଲା । ଲତା ତାକୁ ଛାତିରେ ଯାକି ଧରି ହସି ହସି ନୟାନ୍ତ ହେଲା ।

ସୁନାର ମୁହଁ ଗମ୍ଭୀର । ଆଖି କାନ୍ଦରା ।

ଭାରି ଜଣେ ହେବଲୋ ତୋ’ର ଏ ପୁଅ ନୋକା ।

ଲତା, ମୁଇଁ ଫେରିଲା ଯାକେ ନୋକାକୁ ରଖିବୁ କି ପାଖରେ ?

ପାଣିକି ଯିବୁ ତ ? ଯା, ନୋକାର ସାଙ୍ଗେ ମୁଇଁ ଖେଳୁଥିବି । ତୁଇ ଆଇଲେ ତତେ ଦେବି ।

ଆଉରି କାହାକୁ ଦେବୁ ନାହିଁରେ, ପିଲା ମୋ’ର କାନ୍ଦିବ । ଫେରୁ ଫେରୁ ଟିକେ ଡେରି ହେବ ଲତା !

ତା’ର ବାପ ମାଗତାକୁ ମିଶା ଦେବି ନାହିଁ, ହେଲା ତ ?

ସୁନା ମାଠିଆଟି ଧରି ଚାଲି ଯାଉଁ ଯାଉଁ ଲୁହ ଝରା ଆଖିରେ ଟିକି ନୋକା ଆଡ଼କୁ କଣେଇଁ ଚାହିଁଲା । ସେ ହସୁଥିଲା ଲତା ମୁହଁକୁ ଚାହିଁ । ଲତା ତାକୁ ଗେଲ କରିବାରେ ବ୍ୟସ୍ତ ।

ପାହାଡ଼ ତଳ ଝରଣା କୂଳରେ, ଅଢ଼େଇବର୍ଷ ତଳେ ଯେଉଁଠି ପୋଲିସ ତାକୁ ବାନ୍ଧିଥିଲା, ଯେଉଁଠି ତା’ର ଛାତି ଉପରୁ ସୁନାକୁ ମାଗତା ଟାଣି ନେଇଥିଲା, ସେଇଠି ଚାହିଁ ବସିଚି ବାୟା । ସୁନା ଆସିବ, କଥାଟିଏ କହିବ । କିସ୍‌ କଥା ? ବାୟାର ତାହାହିଁ ଚିନ୍ତା ।

ସେ ଜେଲରୁ ଫେରିଛି । ଦୁନିଆଁରେ ସେ ଏକା । ସାହା ସମ୍ବଳ କିଛିନାହିଁ । ଅଣ୍ଟା ଚାରିପାଖେ କନାଧଡ଼ି, ଚାରି ଆଙ୍ଗୁଳ କନା ଖଣ୍ଡେ ସାମନାରେ ଓହଳିଚି, ହାତେ ତଳକୁ । କାନ୍ଧରେ ଖଣ୍ଡେ ଟାଙ୍ଗିଆ । ଆର ହାତରେ ଗୁଣ ହୁଗୁଳା ଧନୁ ଖଣ୍ଡେ । ଅଣ୍ଟା ପାଖକୁ ଚମ ମୁଣିରେ କେଇଖଣ୍ଡି କାଣ୍ଡ ।

ସୂର୍ଯ୍ୟ ଉଠିଲେ ପାହାଡ଼ ଉପରକୁ । ଗାଧୁଆ ବେଳ ହୋଇ ଆସିଲା । ସୁନା କାହିଁ ? କି କଥା ସେ କହିବ ? କାହିଁକି ବାୟା କନ୍ଧକୁ ସେ ଅଟକାଇ ରଖିଲା ? ସେ ଆସିଥିଲା ମାଗତାର ମୁଣ୍ଡ ନେବାକୁ । କ୍ଷମା କରିପାରିନାହିଁ । ଫେରି ଯାଉଚି ହତାଶ୍‍ ହୋଇ । ଫେରିଯିବ, ବହୁତ ଦୂରକୁ–

ଏଇ, ଧାଡ଼ି ଧାଡ଼ି ପାହାଡ଼ ମାଳ ସେ ପାଖେ ସେ ଯେଉଁ ଧୂଆଁଳିଆ ଉଚ୍ଚ ପାହାଡ଼, ଲମ୍ବ ପାଚିରି ପରି ନେଳି ଆକାଶରେ ଯାହାର ମଥା ମିଶି ଯାଇଚି, ଯାହାର ଛାତିରେ ପେଟରେ ଚଳନ୍ତି ମେଘର ରୂପେଲୀ ପରଦା, ସେଇ ନିମଗିରି ପାହାଡ଼ । ବାୟାର ଦୃଷ୍ଟି ସେଇଠି । ସେଠି ପଶୁ ମଣିଷର ଭେଦ ନାହିଁ । ବାୟାର ଆଖି ଚଳନ୍ତି ମେଘ ଉପରେ ।

ସୁନା ଆସିଲା । ଅଣ୍ଟାରେ ପତର ମାଳ, ଛାତିରେ ସଜ ସାବୁଜା ପତର । ମୁଣ୍ଡରେ ପେନ୍ଥା ପେନ୍ଥା ଫୁଲ । ସୁନା ଆସିଲା ହସି ହସିକା । ତେରଛା କଅଁଳ ସୂର୍ଯ୍ୟ କିରଣ ସଜ ପତର ଉପରେ ଚିକ୍‌ ଚିକ୍‌ ଦିଶୁଚି ।

ସୁନା ଧରିଲା ବାୟାର ହାତ ।

ବାୟା ଫେରି ଚାହିଁଲା, ହଁ, ଏଇତ ସେ ସୁନା, ଅଢ଼େଇ ବର୍ଷ ଆଗର ସୁନା, ମାଗତା ନାଇକର ଘରଣୀ ନୁହେଁ ।

ବାୟା !

ସୁନାର ଦୁଇ ଆଖିରୁ ଲୁହଧାର ଗଡ଼ି ଆସୁଚି ।

କିସ୍‌ରେ ?

ମୁଁ ଫେରିଆସିଚି ବାୟା । କଥାଟେ କହିବି ?

କିସ୍‌ କଥା ସୁନା ?

ଚାଲ୍‌ ପଳାଇବା ।

ପଳାଇବା ?

ହଁ, ସେଇ ଡୋଙ୍ଗର ସେପାରି ନିମଗିରି ପାହାଡ଼ ଉପରକୁ । ସେଠି କେହି ଝୋଲା ଟଙ୍କା ମାଗିବେ ନାହିଁ ବାୟା–

ସୁନା !

ବାୟାର ଆଖିରେ ଢଳ ଢଳ ଲୁହ ।

ନାହିଁ କରନା ବାୟା, ମାଗତାର ପିଲାକୁ ମୁଁ ଲତାକୁ ଦେଇ ଆସିଚି । ଚାଲ–

ଆରେ ସୁନା–

ସୁନା ଦୁଇ ହାତରେ ବାୟାକୁ କୁଣ୍ଢାଇ ଧରିଲା । ଦୁଇ ଆଖିରୁ ଲୁହଧାର ଗଡ଼ି ପଡ଼ୁଥାଏ-। କାନ ପାଖରେ କହିଲା, ଚାଲ୍‌ ବାୟା, ନାହିଁ କରନା, ଡେରି ହେଉଚି ।

ବାୟା ସୁନାର ପିଠି ଆଉଁସିଲା । କହିଲା, ତେବେ ଚାଲ୍‌ ।

ବାୟାର ଛାତି ଉପରୁ ସୁନା ଅଲଗା ହେଲା । ବାୟା ଧରିଲା ସୁନାର ହାତ । ଦିହେଁ ଚାଲିଲେ ଡୋଙ୍ଗର ଉପରକୁ । କାହାରି ତୁଣ୍ଡରେ ଭାଷା ନାହିଁ । ଦୂରରେ, କେତେଦୂରରେ ଢେଉଢେଉକା କାନ୍ଥପରି ଦିଶୁଚି ନିମଗିରି ପାହାଡ଼ ମାଳ । ଆକାଶର ବାଦଲ ତଳେ ତା’ର ନୀଳ ଶୃଙ୍ଗ ଛପି ଯାଇଚି ।

Image